ଅର୍ଗସ ବ୍ୟୁରୋ : ବିରୋଧୀ ଦଳ ନେତାଙ୍କଠାରୁ ବି ଅଧିକ ସୁରକ୍ଷା ପାଉଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି । କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କଠୁ ଏବେ ଅଧିକ ସୁରକ୍ଷା ପାଉଛନ୍ତି ପୂର୍ବତନ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ । ହେଲେ ଏହା କେମିତି ସମ୍ଭବ ହେଲା ତାହାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି । ଏହାରି ଭିତରେ ନବୀନଙ୍କ ସୁରକ୍ଷା ହ୍ରାସ ହେବା ନେଇ ଜଣାପଡିଛି । ତେବେ ନବୀନଙ୍କ ସୁରକ୍ଷା ହ୍ରାସ ପାଇଁ ସରକାରଙ୍କୁ ସୁପାରିଶ କରିଥିବା ପୁଲିସ ଡିଜିଙ୍କ ଅଧ୍ୟକ୍ଷତା ବିଶିଷ୍ଟ ରାଜ୍ୟସ୍ତରୀୟ ସୁରକ୍ଷା କମିଟି କେମିତି ଓ କେଉଁ ଆଧାରରେ ଅସିତ୍ ଓ ପାଣ୍ଡିଆନଙ୍କୁ ଏଭଳି ସୁରକ୍ଷା ବ୍ୟବସ୍ଥାକୁ ବଜାୟ ରଖିଛନ୍ତି ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।
ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମଓଡ଼ିଶା ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀଙ୍କୁ ଏବେ ରାଜ୍ୟ ସରକାର ୩ଜଣ ପିଏସଓ ଯୋଗାଇ ଦେଇଛନ୍ତି । ଅସିତଙ୍କ ପାଖେପାଖେ କମିଶନରେଟ ପୁଲିସର ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ(ଏସଏସବି)ର ଯବାନ ରହୁଛନ୍ତି । ୩ ଜଣଙ୍କ ମଧ୍ୟରୁ ଜଣେ ଅସିତଙ୍କ ସହ ରହୁଥିବା ବେଳେ ଅନ୍ୟ ୨ ଜଣ କ୍ଵାର୍ଟର୍ସରେ ରହୁଛନ୍ତି । କିନ୍ତୁ ପଦ ଯିବା ପରେ ବି କାହିଁକି ଏତେ ସୁରକ୍ଷା ମିଳୁଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି ।
ଅସିତଙ୍କୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ଲୋକସେବା ଭବନର ସୁରକ୍ଷା ଅଧିକାରୀ ସୁଜିତ୍ କୁମାର ଦଳେଇ କାହିଁକି ଓ କାହା ନିର୍ଦ୍ଦେଶରେ ଏମିତି ସୁରକ୍ଷା ଦେଉଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । କେବଳ ଅସିତ ନୁହେଁ ବରଂ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଏବେ ରାଜ୍ୟ ସରକାରଙ୍କ କୌଣସି ପଦପଦବୀରେ ନାହାନ୍ତି ଓ ନିଜେ ରାଜନୀତିରୁ ସନ୍ୟାସ ଘୋଷଣା କରିସାରିଛନ୍ତି । କିନ୍ତୁ ଏହା ପରେ ବି ନିଜ ସୁରକ୍ଷାରେ ୨ ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିଛନ୍ତି ।
ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସୁରକ୍ଷା କମିଟି ବୈଠକରେ ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦ ଓ ଭିଭିଆଇପିମାନଙ୍କ ସୁରକ୍ଷା ସ୍ଥିତିର ସମୀକ୍ଷାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଥିବା ‘ଜେଡ୍ ବର୍ଗ’ର ସୁରକ୍ଷାକୁ ହ୍ରାସ ନିମନ୍ତେ ନିଷ୍ପତ୍ତି ହୋଇଥିଲା । ଏହି ସୁରକ୍ଷା କମିଟିର ସୁପାରିଶ ଆଧାରରେ ନବୀନଙ୍କୁ ଏବେ ‘ୱାଇ ବର୍ଗ’ର ସୁରକ୍ଷା ଯୋଗାଇ ଦିଆଯାଉଛି । ‘ୱାଇ ବର୍ଗ’ର ସୁରକ୍ଷା ପାଉଥିବା ଭିଭିଆଇପିଙ୍କ ସୁରକ୍ଷା ଦାୟିତ୍ୱରେ ୨ଜଣ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ୧୧ଜଣ ଯବାନ ମୁତୟନ ହୋଇଥାନ୍ତି । ଏହି ନିଷ୍ପତ୍ତି ଆଧାରରେ ନବୀନଙ୍କ ସୁରକ୍ଷାରେ ଏବେ ସବୁସମୟରେ ୨ଜଣ ବ୍ୟକ୍ତିଗତ ସୁରକ୍ଷା କର୍ମୀ ମୁତୟନ ଅଛନ୍ତି । କିନ୍ତୁ ଯଦି ନବୀନ ବାହାରକୁ ଗସ୍ତ କରନ୍ତି ତେବେ ୧୧ଜଣ ଯବାନ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ । ହେଲେ ସ୍ଥିତି ପରିସ୍ଥିତିକୁ ନଜରରେ ରଖି ସୁରକ୍ଷା ଯୋଗାଇ ଦେବାକୁ କୁଆଡ଼େ ନିର୍ଦ୍ଦେଶ ରହିଛି ।
ମୋଟ୍ ଉପରେ ନବୀନଙ୍କ ସୁରକ୍ଷାକୁ ନେଇ ପୂର୍ବରୁ ବି ଅନେକ ଥର ପ୍ରଶ୍ନ ଉଠିଥିଲା । ଏମିତିକି କାହିଁକି ଏତେ ସୁରକ୍ଷା ଦେଇ ରାଜ୍ୟ ରାଜକୋଷ ନଷ୍ଟ କରାଯାଉଛି ସେନେଇ ବି ପ୍ରଶ୍ନ ଉଠିଥିଲା । ଆଉ ଏବେ ପୁଣି ଥରେ ଅସିତ ଓ ପାଣ୍ଡିଆନଙ୍କ ସୁରକ୍ଷାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ।