ଅର୍ଗସ ବ୍ୟୁରୋ: LACରେ ସ୍ୱାଭାବିକ ହେଉଛି ସ୍ଥିତି । ଭାରତ ଚୀନ ସୀମା ସମସ୍ୟାର ଶାନ୍ତପୂର୍ଣ୍ଣ ସମାଧାନକୁ ନେଇ ଲୋକସଭାରେ ବିବୃତ୍ତି ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଏଲଏସିରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ପରେ ବିବାଦୀୟ ସ୍ଥଳରେ ପ୍ୟାଟ୍ରୋଲିଂ କରୁଛନ୍ତି ଉଭୟ ଦେଶର ସେନା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦର୍ଶୀ ନିଷ୍ପତ୍ତି ସୀମା ସମସ୍ୟାର ଶାନ୍ତପୂର୍ଣ୍ଣ ସମାଧାନ ପାଇଁ ବାଟ ଦେଖାଇଛି ବୋଲି କହିଛନ୍ତି ଜୟଶଙ୍କର ।
ଭାରତ-ଚୀନ ମଧ୍ୟରେ କୂଟନୈତିକ ଆଲୋଚନା ଯୋଗୁ ସମ୍ପର୍କରେ ଉନ୍ନତି ଆସିବା ସହ ସୀମାକୁ ନେଇ ଲାଗି ରହିଥିବା ଅଶାନ୍ତି ଦୂର ହୋଇଛି । ଲଦାଖ ସୀମାରେ ଉତ୍ତେଜନା ଯୋଗୁ ୨୦୨୦ ପରଠାରୁ ଭାରତ-ଚୀନ ମଧ୍ୟରେ ଲାଗି ରହିଥିଲା ତିକ୍ତତା । ଡିସଏନଗେଜମେଣ୍ଟ ପ୍ରକ୍ରିୟା ଶେଷ ହୋଇଥିବାରୁ ଏବେ ଜାତୀୟ ସୁରକ୍ଷାକୁ ଅଗ୍ରାଧିକାର ଦେଇ ଅନ୍ୟ ଦିଗ ଗୁଡ଼ିକ ଉପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ପଥ ପରିସ୍କାର ହୋଇଛି ବୋଲି ଲୋକସଭାରେ ବିବୃତ୍ତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।