ରାଷ୍ଟ୍ରପତି ନିର୍ବାଚନ ଜିତୁ ଜିତୁ ବଡ଼ ବୟାନ ଦେଲେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଲେ, ଆମେରିକା ବିଜୟ ଐତିହାସିକ ବିଜୟ । ଯାତ୍ରା ସହଜ ନଥିଲା କିନ୍ତୁ ଆମେ ପରିଶ୍ରମ କରିଥିଲୁ ବୋଲି ଫଳ ପାଇଲୁ । ଖାଲି ଏତିକି ନୁହେଁ ଆମେରିକାର ବିକାଶ ମୋର ପ୍ରଥମ ଦାୟିତ୍ଵ କହିବା ସହିତ ଏବେ ଯୁଦ୍ଧ ବନ୍ଦ ହେବ ବୋଲି ରୋକଠୋକ କହିଛନ୍ତି ଟ୍ରମ୍ପ ।
ପୁଣି ଆମେରିକାରେ ରାଜ୍ କରିବେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଆଜି ଭୋଟ ଗଣତିରେ ଟ୍ରମ୍ପ ବହୁମତ ହାସଲ କରିଛନ୍ତି । ଦେଶବାସୀ ପୁଣି ତାଙ୍କୁ ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ଫଳାଫଳ ଆସିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରି ଟ୍ରମ୍ପ ଦେଶ ପାଇଁ କ’ଣ ସବୁ ସ୍ବପ୍ନ ଦେଖିଛନ୍ତି, ତାହା ଜଣାଇଛନ୍ତି । ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରି କହିଛନ୍ତି, ଆମେରିକାବାସୀଙ୍କୁ ହୃଦୟରୁ ଧନ୍ୟବାଦ । ଏହା ପୂର୍ବରୁ ଏପରି ଦୃଶ୍ୟ କେବେ ଦେଖି ନଥିଲି । ଆମେ ଆମର ସୀମାକୁ ମଜବୁତ କରିବୁ । ଦେଶର ସମସ୍ତ ସମସ୍ୟାର ସମାଧାନ କରିବୁ |
ଆମେରିକା ନିର୍ବାଚନ ପୂର୍ବରୁ ହିଁ ଟ୍ରମ୍ପଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । କାରଣ ଅନେକବାର ଟ୍ରମ୍ପ କହିଥିଲେ ମୋଦି ମୋର ଭଲ ବନ୍ଧୁ । ବଢିଆ ପ୍ରଧାନମନ୍ତ୍ରୀ । ମୋଦି ଯେବେ ଆମେରିକା ଗସ୍ତରେ ଯାଇଥିଲେ ସେବେ ଟ୍ରମ୍ପ ତାଙ୍କୁ ନିଶ୍ଚୟ ଭେଟିବି ବୋଲି କହିଥିଲେ । ଏହାସହ ଦିୱାଲୀ ଦିନ ବଢିଆ ବନ୍ଧୁର ଆଖ୍ୟା ବି ଦେଇଥିଲେ । ଏକଜିଟ୍ ପୋଲର ଆକଳନ ଅନୁସାରେ, ଟ୍ରମ୍ପ ହିଁ ନିର୍ବାଚନ ଜିତିବେ ବୋଲି ସ୍ପଷ୍ଟ ହୋଇଥିଲା । ଏବେ ସ୍ପଷ୍ଟ ହୋଇସାରିଛି କି ଟ୍ରମ୍ପ ହିଁ ନିର୍ବାଚନ ଜିତିଛନ୍ତି । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଭାରତ ସହ ଆମେରିକା ସମ୍ପର୍କ ଟ୍ରମ୍ପଙ୍କ ସମୟରେ ଅଧିକ ମଜବୁତ ହୋଇଥିଲା । ଅନେକ ସମୟରେ ମୋଦି-ଟ୍ରମ୍ପ ପରସ୍ପର ସହ କଥାବାର୍ତ୍ତା ହେବା ସହିତ ଦ୍ଵିପାକ୍ଷିକ ଆଲୋଚନା ବି କରିଥିଲେ । ଏ ସବୁଥିରୁ ଗୋଟିଏ କଥା ସ୍ପଷ୍ଟ ହେଲା କି ମୋଦିଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କ କେତେ ନିବିଡ଼ । ତେବେ ଏବେ ଟ୍ରମ୍ପ ବିଜୟ ହେବା ପରେ ଜଣେ ଭଲ ବନ୍ଧୁ ଭାବରେ ମୋଦି ତାଙ୍କୁ ଶୁଭେଚ୍ଛା ବି ଜଣାଇଛନ୍ତି ।
ସେପଟେ ୨୦୨୦ରେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ । ହେଲେ ନିର୍ବାଚନ ଫଳାଫଳ ତାଙ୍କ ସପକ୍ଷରେ ଯାଇନଥିଲା । ସେଇଥି ଲାଗି ତ ନିର୍ବାଚନ ଫଳକୁ ଗ୍ରହଣ କରିପାରିନଥିବା ଟ୍ରମ୍ପ୍ ଏନେଇ ମକଦ୍ଦମା ରୁଜୁ କରିଥିଲେ । କିନ୍ତୁ ତାଙ୍କର ମକଦ୍ଦମାଗୁଡ଼ିକ ପ୍ରମାଣ ଅଭାବରୁ ରଦ୍ଦ ହୋଇଗଲା । ଟ୍ରମ୍ପ ମେଲ୍-ଇନ୍ ବାଲଟ୍ର ବୈଧତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଏବଂ ବ୍ୟାପକ ଭୋଟ୍ ଜାଲିଆତି ହୋଇଥିବା ଅଭିଯୋଗ କରିଥିଲେ । କିନ୍ତୁ ଅନେକ ପ୍ରମୁଖ ରାଜ୍ୟଗୁଡ଼ିକରେ ଟ୍ରମ୍ପ୍ଙ୍କ ଲିଗାଲ୍ ଟିମ୍ ପ୍ରମାଣ ସଂଗ୍ରହରେ ବିଫଳ ହୋଇଥିଲେ । ହେଲେ ଚଳିତ ଥର ଟ୍ରମ୍ପ୍ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ଚାହିନାହାନ୍ତି । ଏଥିପାଇଁ ସେ ପ୍ରାୟ ୫ ହଜାର ଓକିଲଙ୍କୁ କାମରେ ନିୟୋଜିତ କରିଥିଲେ । ହେଲେ ଏବେ ନିର୍ବାଚନରେ ବିଜୟ ହୋଇଛନ୍ତି ଟ୍ରମ୍ପ ।