ଟ୍ୱିନ୍ ସିଟିରେ ପାଗ ମେଘୁଆ ରହିବା ସହ ତାପମାତ୍ରା ହ୍ରାସ

ଅର୍ଗସ ବ୍ୟୁରୋ: ସକ୍ରିୟ ହୋଇଛି ଘୂର୍ଣ୍ଣିବଳୟ ଓ କାଳବୈଶାଖୀ । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ରହିଛି । ପ୍ରଚଣ୍ଡ ତାତିରୁ ମିଳିଛି ତ୍ରାହି । ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ପାଗ ମେଘୁଆ ରହିବା ସହ ତାପମାତ୍ରା ମଧ୍ୟ ହ୍ରାସ ହୋଇଛି। ଏଥି ମଧ୍ୟରେ ଘୂର୍ଣ୍ଣିବଳୟ ପ୍ରଭାବରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ୧୯ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।
ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଖୋର୍ଦ୍ଧା,କଟକ,ଢେଙ୍କାନାଳ, ଅନୁଗୁଳ, ଭଦ୍ରକ, ଯାଜପୁର, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କେନ୍ଦ୍ରାପଡ଼ା, ନବରଙ୍ଗପୁରରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ଆଶଙ୍କା ରହିଛି । ଆଗାମୀ 24 ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ 2-4 ଡିଗ୍ରୀ ଯାଏଁ ଦିନ ତାପମାତ୍ରାରେ ହ୍ରାସ ସମ୍ଭାବନା ରହିଛି ।
ଏହାର 2 ଦିନ ମଧ୍ୟରେ ତାପମାତ୍ରା ପୁଣି 4 ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଥିବା ବେଳେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେବ।ଆଗାମୀ ଦିନରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ରାତି ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ଦିନ ଓ ରାତିରେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ । ଉପକୂଳ ଓଡ଼ିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।
📱 Get Argus News App
✨ଏହା ସହ ଗତକିଛି ଦିନ ହେବ ରାଜ୍ୟରେ ଅସହ୍ୟ ଖରା ସହ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିଲା । ପ୍ରବଳ ଗରମ ସହ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହୋଇଯାଇଥିଲେ । କିନ୍ତୁ ଆଜିର ମେଘୁଆ ପାଗ ଯୋଗୁଁ ଏଥିରୁ ସାମାନ୍ୟ ତ୍ରାହି ମିଳିଛି। ଗତକାଲି 5ଟି ସହରର ତାପମାତ୍ରା 40 ଡିଗ୍ରୀ ରହିଥିବାବେଳେ, 41 ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ବୌଦ୍ଧ ଏବଂ ଟିଟିଲାଗଡ଼ର ତାପମାତ୍ରା 40.5 ଡିଗ୍ରୀ, ବଲାଙ୍ଗିରରେ 40.2 ଏବଂ ନୟାଗଡ଼ ରେ 40 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ସେହିପରି କଟକରେ 37.6 ଏବଂ ଭୁବନେଶ୍ୱରରେ 37 ଡିଗ୍ରୀ ସେଲସିୟସ ରହିଥିଲା ପାରଦ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର