|
logo
Live

Argus News - ଓଡ଼ିଶାର ସାଂସଦଙ୍କୁ ଭେଟିବା ପରେ ଅଶ୍ବିନୀ ବୈଷ୍ଣବଙ୍କ ମନ୍ତବ୍ୟ

Odisha

ଓଡ଼ିଶାର ସାଂସଦଙ୍କୁ ଭେଟିବା ପରେ ଅଶ୍ବିନୀ ବୈଷ୍ଣବଙ୍କ ମନ୍ତବ୍ୟ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଓଡ଼ିଶାର ସାଂସଦଙ୍କୁ ଭେଟିବା ପରେ ଅଶ୍ବିନୀ ବୈଷ୍ଣବଙ୍କ ମନ୍ତବ୍ୟ

Key Points

  • ପ୍ରସ୍ତାବିତ ଦକ୍ଷିଣ ତଟ ରେଳପଥ ଯୋଗୁଁ ଓଡ଼ିଶାର ହେବ ନାହିଁ କୌଣସି କ୍ଷତି 
  • ଓଡ଼ିଶାର ସ୍ବାର୍ଥ ସହ କୌଣସି ସାଲିସ କରାଯିବନି କହିଲେ ରେଳମନ୍ତ୍ରୀ
  • ଓଡ଼ିଶାର ସାଂସଦଙ୍କୁ ଭେଟିବା ପାରେ ଅଶ୍ବିନୀ ବୈଷ୍ଣବଙ୍କ ମନ୍ତବ୍ୟ
  • ଦକ୍ଷିଣ ତଟ ରେଳପଥ ଅଧିନକୁ ଯିବନି ଓଡ଼ିଶାର କୌଣସି ରେଳପଥ
  • ଓଡ଼ିଶାରେ ଥିବା ରେଳ ଡିଭିଜନରେ ହେବନି କୌଣସି ପରିବର୍ତ୍ତନ 
  • ପୂବତଟ ରେଳପଥ ଅଧିନରେ ଗଠନ ହେବ ନୂଆ ରାୟଗଡ଼ା ରେଳ ଡିଭିଜନ
  • ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • କହିଲେ ଓଡ଼ିଶାକୁ ୧୦ ବର୍ଷରେ ମିଳିଛି ୭୫ ହଜାର କୋଟି ଟଙ୍କାର ଅନୁଦାନ

ଅର୍ଗସ ବ୍ୟୁରୋ : ଓଡ଼ିଶାର ଇଞ୍ଚେ ବି ରେଳପଥ ପ୍ରସ୍ତାବିତ ସାଉଥ୍ କୋଷ୍ଟ ରେଲୱେରେ ମିଶିବ ନାହିଁ। ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ସଂସଦର ଶୀତ ଅଧିବେଶନ ଚାଲିଥିବା ବେଳେ ମଙ୍ଗଳବାର ବିଜେପି ସାଂସଦମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ରେଳ ମନ୍ତ୍ରୀଙ୍କୁ ଭେଟିଥିଲେ। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଶ୍ବିନୀ କହିଛନ୍ତି ଓଡ଼ିଶାର ସ୍ବାର୍ଥ ସହ କୌଣସି ସାଲିସ କରାଯିବନି। ଓଡ଼ିଶାରେ ପୂର୍ବପରି ୩ଟି ଡିଭିଜନ ହିଁ ରହିବ। ୱାଲଟିଅର ଡିଭିଜନ ଦକ୍ଷିଣ ତଟ ରେଳପଥ ଅଧିନକୁ ଯିବାକୁ ଥିବା ବେଳେ ରାୟଗଡ଼ାରେ ଏକ ନୂଆ ଡିଭିଜିନ କରାଯିବ। 

ସ୍ପଷ୍ଟୀକରଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହ ଓଡ଼ିଶାରେ ରେଳ ବିକାଶକୁ ଗୁରୁତ୍ବ ଦେଇଆସିଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଜଣାଇଛନ୍ତି କୃତଜ୍ଞତା। ରାୟଗଡ଼ାରେ ନୂଆ ରେଳ ଡିଭିଜନ ହେବା ଓଡ଼ିଶାରେ ରେଳ ବିକାଶ ଦୃଷ୍ଟିରୁ ବଡ଼ ଉପଲବ୍ଧି ବୋଲି କହିଛନ୍ତି ଧର୍ମେନ୍ଦ୍ର। ରାୟଗଡ଼ାରେ ନୂଆ ଡିଭିଜନ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର ସେପ୍ଟେମ୍ବର ମାସରୁ ହୋଇସାରିଛି। ଡିଭିଜନ ମୁଖ୍ୟାଳୟ ଏବଂ ଅଧିକାରୀ ଓ କର୍ମଚାରୀମାନଙ୍କ ବାସଗୃହ ନିର୍ମାଣ ପରେ ନୂଆ ଡିଭିଜନ କାର୍ଯ୍ୟକ୍ଷମ ହେବ। ନୂଆ ରାୟଗଡ଼ା ଡିଭିଜନ ଅଧିନରେ ୱାଲଟିୟର ଡିଭିଜନ ଅନ୍ତର୍ଗତ ଓଡ଼ିଶା ଓ ଛତିଶଗଡ଼ର ସମସ୍ତ ରେଳପଥ ଏପରିକି ଆନ୍ଧ୍ରପ୍ରଦେଶର କିଛି ରେଳ ଲାଇନ ରହିବ। ଏପରିକି ଭାରତୀୟ ରେଳର ସର୍ବାଧିକ ଆୟକାରୀ କୋଟଭାଲସା- କିରଣ୍ଡୁଲ ରେଳପଥକୁ ବି ରାୟଗଡ଼ା ଡିଭିଜନ ଅଧିନରେ ରଖିବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ରାୟଗଡ଼ାବାସୀ। 

ମୋଦି ସରକାର ଆସିବା ପରେ ରେଳ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଗୁରୁତ୍ବ ଦେଇଆସିଛନ୍ତି। ଓଡ଼ିଶାରେ ଏବେ ୪୮ଟି ନୂଆ ରେଳ ପ୍ରକଳ୍ପ ନିର୍ମାଣଧୀନ ରହିଛି ଏଥିପାଇଁ ୭୩ ହଜାର ୭୨୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରକଳ୍ପ ଗୁଡ଼ିକ ଅଧିନରେ ୪୭୮୪ କିଲୋମିଟରର ନୂଆ ରେଳପଥ ନିର୍ମାଣ ହେବ। ୨୦୧୪ରୁ ୨୦୨୪ ମଧ୍ୟରେ ଓଡ଼ିଶାରେ ସମୁଦାୟ ୧୮୨୭ କିଲୋମିଟର ରେଳପଥ ନିର୍ମାଣ ସରିଛି ଯାହାକି ଶ୍ରୀଲଙ୍କାର ମୋଟ୍ ରେଳପଥଠାରୁ ବି ଅଧିକ। ଓଡ଼ିଶାର ୨୯ଟି ରେଳ ଷ୍ଟେସନକୁ ଅମୃତ ଷ୍ଟେସନ ଯୋଜନାରେ ସାମିଲ କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ରେଳପଥର ବିକାଶ କ୍ଷେତ୍ରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଓଡ଼ିଶାର ସାଂସଦଙ୍କୁ ଭେଟିବା ପରେ ଅଶ୍ବିନୀ ବୈଷ୍ଣବଙ୍କ ମନ୍ତବ୍ୟ | Argus News