ବିଜେଡି ସରକାର ବେଳର ବଡ କେଳେଙ୍କାରୀ ଧରିଲେ ସିଏଜି

Key Points
- ବିଜେଡି ସରକାର ବେଳର ବଡ କେଳେଙ୍କାରୀ ଧରିଲେ ସିଏଜି
- ସ୍ଵେରେଜ, ଡ୍ରେନେଜ ନାଁରେ ହଜାର ହଜାର କୋଟିର ଦୁର୍ନୀତି
- ସହରାଞ୍ଚଳ ବର୍ଷା ଜଳ ନିଷ୍କାସନ ମାଷ୍ଟର ପ୍ଲାନ ନାଁରେ ପୂର୍ବ ସରକାର ବୁଲାଇଥିଲେ ଭୁଆଁ
- ସ୍ଵରେଜ ପ୍ରକଳ୍ପରେ ଭୁଲ ଡିପିଆର ଯୋଗୁଁ ୩ ହଜାର କୋଟି ଟଙ୍କା ହୋଇଛି ସ୍ଵାହା
ଅର୍ଗସ ବ୍ୟୁରୋ : ବର୍ଷା ଜଳ ନିଷ୍କାସନ ନାଁରେ ମହାନଗରବାସୀଙ୍କୁ ଭୁଆଁ ବୁଲାଉଥିଲେ ପୂର୍ବ ବିଜେଡି ସରକାର । ଆଉ ସେତେବେଳେ ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଥିଲେ ପାଣ୍ଡିଆନ କୋଟେରୀର ତାମିଲ ଅଫିସର ଜି. ମାଥିଭାତନନ। ବର୍ଷ ତମାମ ଡ୍ରେନେଜ, ସ୍ଵେରେଜ କାମ ନାଁରେ ମନଇଚ୍ଛା ଖୋଳାଖୋଳି କରୁଥିଲେ। କିନ୍ତୁ ଜଳ ନିଷ୍କାସନ ବ୍ୟବସ୍ଥାରେ ଆସିନଥିଲା କୌଣସି ସୁଧାର। କାରଣ ଏନେଇ ମହାନଗର ନିଗମମାନେ କରିନଥିଲେ କୌଣସି ମାଷ୍ଟର ପ୍ଲାନ। ଯେଉଁଥିପାଇଁ ପ୍ରତିବର୍ଷ ବର୍ଷା ଦିନେ ଜଳବନ୍ଦୀ ହେଉଛନ୍ତି ଭୁବନେଶ୍ଵର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ବାସୀ।
ଶନିବାର ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରୁ ଆସିଛି ଏଭଳି ସାଂଘାତିକ ତଥ୍ୟ। ଏପରିକି ୫ ମହାନଗରରେ ଲୋକଙ୍କ ସୁରକ୍ଷା ପାଇଁ ମୁକୁଳା ଡ୍ରେନରେ ସ୍ଲାବ ବି ପକାଇନଥିଲେ । ଯେଉଁଥିପାଇଁ ଅନେକ ସମୟରେ ଡ୍ରେନରେ ପଡି ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଏହାଛଡ଼ା ସ୍ଵରେଜ ପ୍ରକଳ୍ପ ପାଇଁ ଭୁଲ ଡିପିଆର ଯୋଗୁଁ ବିଜେଡି ସରକାର ସମୟରେ ୩ ହଜାର ୪୫ କୋଟି ୪୪ ଲକ୍ଷ ଟଙ୍କା ଅଯଥାରେ ଖର୍ଚ୍ଚ ହୋଇଥିବା ସିଏଜି ଧରିଛନ୍ତି । ସେହିପରି ଦୟା ୱେଷ୍ଟ ଜଳସେଚନ କେନାଲକୁ ସ୍ଵରେଜ ବର୍ଜ୍ୟ ଜଳ ଡ୍ରେନରେ ପରିଣତ କରିଥିଲା ବିଜେଡି ସରକାର। ଆଉ ସେହି ଦୂଷିତ ଜଳକୁ ତଳ ମୁଣ୍ଡରେ ୮୩୫ ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ଯୋଗାଇ ଦିଆଯାଉଥିଲା। ଭୁବନେଶ୍ଵର ସହରକୁ ଜଳ ଯୋଗାଣ ପାଇଁ କୁଆଖାଇ ନଦୀର କୂଅରେ ଥିବା ପାଣି ମଧ୍ୟ ଅତ୍ୟନ୍ତ ଦୂଷିତ ରହୁଥିଲା । ଏ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ପୂର୍ବ ସରକାରର ଦୁର୍ନିତୀର ପେଡି ଯେତେ ଖୋଲିଲେ ସେତେ ବାହାରିବ। ହେଲେ ଏବେ ଲୋକେ କିପରି ଉପକୃତ ହେବେ ବିଜେପି ସରକାର ସେ ଦିଗରେ ଧ୍ୟାନ ଦେଉଛନ୍ତି।
ଡ୍ରେନ ଦୁର୍ନିତୀର ସାମ୍ନାକୁ ଆସିବା ପରେ ଚିହିଁକି ଉଠିଛି ବିଜେଡି । ସବୁ କ୍ଷେତ୍ରରେ ପୂର୍ବ ସରକାରକୁ ଦୋଷ ଦେବା ଠିକ୍ ନୁହେଁ । ଯଦି ଦୁର୍ନିତୀ ହୋଇଛି, ସରକାର ବାନ୍ଧନ୍ତୁ ବୋଲି କହିଛି ମୁଖ୍ୟ ବିରୋଧୀ ଦଳ। ତାର କଡା ଜବାବ ରଖିଛି ବିଜେପି । କେତେବେଳେ ଡ୍ରେନେଜ ପାଇଁ ତ କେତେବେଳେ ସ୍ଵେରେଜ ପାଇଁ। ରାଜ୍ୟର କୌଣସି ନା କୌଣସି ସହରରେ ବର୍ଷ ତମାମ ଚାଲିଥାଏ ଖୋଳାଖୋଳି କାମ । ତେବେ ଏସବୁ ସହରରେ ଜଳବନ୍ଦୀ ସମସ୍ୟ ଦୂର ପାଇଁ ହେଉଥିଲା, ନା ବିଜେଡି ନେତା ଓ ବିଜେଡି ମାର୍କା ଅଫିସର ଓ କଣ୍ଟ୍ରାକଟର କେମିତି କୋଟି କୋଟି ଟଙ୍କା ଲୁଟ୍ କରିବେ, ସେଥିପାଇଁ ହେଉଥିଲା ସିଏଜି ରିପୋର୍ଟ ସାମ୍ନାକୁ ଆସିବା ପରେ ସେ ନେଇ ଉଠିଛି ପ୍ରଶ୍ନ।