ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ବାବାଙ୍କ ହତ୍ୟା ପରେ ସଲମାନଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ସଲମାନଙ୍କୁ Y ସିକ୍ୟୁରିଟି ପ୍ରଦାନ କରାଯାଇଛି। ଖାନ ପରିବାର ମଧ୍ୟ କାହାରିକୁ ଘରକୁ ନ ଆସିବାକୁ ନିବେଦନ କରିଛନ୍ତି। ଏଭଳି ପରିସ୍ଥିତିରେ ସଲମାନଙ୍କୁ ପୁଣି ଥରେ ଧମକ ମିଳିବା ଅଭିନେତାଙ୍କ ପ୍ରଶଂସକଙ୍କ ପାଇଁ ଚିନ୍ତା ବଢାଇ ଦେଇଛି। ବିଷ୍ଣୋଇ ଗ୍ୟାଙ୍ଗର ୫ ଦାବିକୁ ତୁରନ୍ତ ମାନିବାକୁ ମଧ୍ୟ ଚେତାବନୀ ଦିଆଯାଇଛି।
ଏହା ପୂର୍ବରୁ ମଧ୍ୟ ସଲମାନଙ୍କୁ ଧମକ ମିଳିଥିଲା। ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣେ ଫେରାର ଥିଲା। ସଲମାନଙ୍କୁ ଜୀବନରୁ ମାରିଦେବାକୁ ୨୫ ଲକ୍ଷ ଟଙ୍କା ସୁପାରୀ ଦିଆଯାଇଥିଲା। ପରେ ମହାରାଷ୍ଟ୍ରର ନାଭି ମୁମ୍ବାଇ ପୋଲିସ ସଲମାନଙ୍କ ଫାର୍ମ ହାଉସର ରେକି କରିଥିବା ଶୁଟରଙ୍କୁ ଗିରଫ କରିଥିଲା। ଏବେ ହରିୟାଣାର ପାନିପତରୁ ଶୁଟର ସୁଖାଙ୍କୁ ପୋଲିସ ଗିରଫ କରିଛି। ମୁମ୍ବାଇ ଅଣାଯିବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ତେବେ ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପୋଲିସ ଜାଣିବାକୁ ପାଇଛି।
ସୁଖାଙ୍କୁ ଗିରଫ କରିବା ଲାଗି ପୋଲିସ ବୁଧବାର ରାତି ପ୍ରାୟ ସାଢ଼େ ୧୦ଟାରେ ପାନିପତରେ ପହଞ୍ଚିଥିଲା। ସେଠାର ଅଭିନନ୍ଦନ ହୋଟେଲର ରୁମ୍ ନଂ ୧୦୪ରୁ ତାଙ୍କୁ ଗିରଫ କରାଯାଇଥିଲା। ସେ ନିଜର ବେଶ ବଦଳାଇ ସେଠାରେ ଲୁଚିଥିଲେ। ସେ ପାନିପତର ରେରକଲା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।
ତେବେ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ସଲମାନଙ୍କ ଘରେ ଗୁଳିଚଳାଇବା ଦାୟିତ୍ୱ ଦେଇଥିଲା। ତାଙ୍କ ଦଳର କିଛି ସଦସ୍ୟ ଗିରଫ ହୋଇଥିଲେ ହେଁ ସୁଖା ଫେରାର ଥିଲେ। ଏବେ ବାବା ସିଦ୍ଦିକିଙ୍କ ହତ୍ୟାର ଯାଞ୍ଚ କରୁଥିବା ବେଳେ ପୋଲିସକୁ ବଡ଼ ସଫଳତା ମିଳିଛି। ସିଦ୍ଦିକିଙ୍କ ହତ୍ୟା ପରେ ବାରମ୍ବାର ସଲମାନଙ୍କୁ ଧମକ ମିଳୁଥିବାରୁ ମୁମ୍ବାଇ ପୋଲିସ ସହ ଫ୍ୟାନ ମାନେ ମଧ୍ୟ ସଲମାନଙ୍କୁ ନେଇ ବହୁ ଚିନ୍ତିତ ଅଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର