ଅର୍ଗସ ବ୍ୟୁରୋ : ରକ୍ତରଂଜିତ ହେଲା ନିର୍ବାଚନୀ ରାଜନୀତି । ଗଡ଼ିଲା ରାଜନୈତିକ ଦଳର କର୍ମୀଙ୍କ ମୁଣ୍ଡ। ରକ୍ତରେ ଭିଜିଲା ଖଲ୍ଲିକୋଟ ମାଟି । ରାଜନୈତିକ ହତ୍ୟା ପରେ ରଣକ୍ଷେତ୍ର ପାଲଟିଛି ଇଲାକା । ପୋଲିସ ଉପରକୁ ଟେକା ପଥର ମାଡ଼ ହେଲା, ପୋଲିସ ବି ଲାଠିଚାର୍ଜ କଲା । ହେଲେ ନିର୍ବାଚନୀ ସମୟରେ ନବୀନଙ୍କ ଜିଲ୍ଲାରେ ଏମିତି କେମିତି ଘଟଣା ଘଟିଲା ? ପୋଲିସ କେମିତି ସୁରାଗ ପାଇଲା ନାହିଁ ? ନାଁ ଜାଣିସୁଣି ଶାସକ ଦଳର ଚାପରେ ଚେପା ହୋଇଗଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିବା ସ୍ଵାଭାବିକ ।
ଦିଲ୍ଲୀପ ପାହାନ । ଯିଏ କି ବିଜେଡି କର୍ମୀଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ବୁଧବାର, ରାତି ପ୍ରାୟ ୮ଟା । ଗଂଜାମ ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପିର ବ୍ୟାନର୍ ଲଗାଇବାକୁ କେନ୍ଦ୍ର କରି ଉପୁଜିଥିଲା ଜଘଣ୍ୟକାଣ୍ଡ । ବାଇକରେ ୧୦ରୁ ଅଧିକ ବିଜେଡି କର୍ମୀ ଆସି ଦିଲୀପ ପାହାନଙ୍କୁ ମାଡ଼ ମାରିବା ସହ ହାଣି ପକାଇଥିଲେ । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଦିଲ୍ଲୀପଙ୍କର ଜୀବନ ଚାଲିଗଲା । କଥା ହେଲା, ପୋଷ୍ଟର ମରାକୁ ନେଇ ଦିଲ୍ଲୀପ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ନେଇନଥିଲା କୌଣସି ଆକ୍ସନ । ଯେଉଁଥି ଲାଗି ଆଜି ବି ଖଲ୍ଲିକୋଟରେ ଅଶାନ୍ତି ଲାଗି ରହିଛି ।
ସୂଚନା ଅନୁସାରେ, ୨ ମାସ ତଳେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଦିଲୀପ । ବିଜେଡିରେ ଥାଇ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ଦିଲୀପ କୁଆଡ଼େ ବିରୋଧ କରିଆସୁଥିଲେ । ଏପରିକି ସୂର୍ଯ୍ୟମଣିଙ୍କ ବଦଳରେ ଅନ୍ୟ କାହାକୁ ଟିକଟ ଦେବାକୁ ନବୀନ ନିବାସ ଆସି ଦାବି କରିଥିଲେ । ଯେଉଁଥି ଲାଗି ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖା ଦେଇଥିଲା, ଆଉ ଦିଲ୍ଲୀପଙ୍କର ସେଇଥି ଲାଗି କୁଆଡ଼େ ପ୍ରାଣ ଗଲା ।
କଥା ହେଲା, ଏହି ଜଘଣ୍ୟ ହତ୍ୟାକାଣ୍ଡ ପଛରେ ଦିବଂଗତ ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ପୁତୁରା ସାକେତ ରାମାରାଓଙ୍କ ହାତ ରହିଛି । ବିଜେପିର ଲୋକସଭା ସଂଯୋଜକ ଯଜ୍ଞ ନାରାୟଣ ଦାଶଙ୍କ କହିବା କଥା, ବୁଧବାର ରାତିରେ ରାଣୀଙ୍କ ବଙ୍ଗଳାରେ ଭୋଜିଭାତ ଚାଲିଥିଲା । ସେଠାରେ ଷଡ଼ଯନ୍ତ୍ର ରଚି ବିଜେପି କର୍ମୀଙ୍କୁ ହମଲା କରାଯାଇଥିଲା । ଆଉ ଦିଲ୍ଲୀପଙ୍କୁ ଆକ୍ରମଣ କରାଯାଇଥିଲା । ହେଲେ ଅଭିଯୋଗ ବାବଦରେ ମୁହଁ ଖୋଲିନାହାନ୍ତି ସାକେତ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଆସନ୍ତା ୨୦ରେ ଖଲ୍ଲିକୋଟରେ ପଡ଼ିବ ଭୋଟ୍ । ତା’ପୂର୍ବରୁ ଏଭଳି ରାଜନୈତିକ ହିଂସାକୁ ନିନ୍ଦା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ପୋଲିସ ଘଟଣାର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ । ଅପରପକ୍ଷେ ହିଂସା ନିୟନ୍ତ୍ରଣ ପାଇଁ ବିଧି ସମ୍ମତ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପିଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ବି ଅଧ ରାତିରେ ବିଜେପି କର୍ମୀଙ୍କୁ ଯେଉଁ ପରି ଭାବରେ ହତ୍ୟା କରାଗଲା ତାହାକୁ ନେଇ ଚର୍ଚ୍ଚା ଜୋର ।