ସୁପରସଣ୍ଡେରେ ହେବ ସୁପର ଫାଇଟ୍ । ଭାରତ ସହ ଲଢିବ ୫ ଥରର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଫାଇନାଲ ଖେଳିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଦଳ ଭାରତକୁ ଦେଇଥିଲା ୩୬୦ ରନରେ ବିଜୟ ଲକ୍ଷ୍ୟ । ଜବାବରେ ଭାରତ ୨୩୪ ରନ୍ ହିଁ କରିପାରିଥିଲା । ବୀରେନ୍ଦ୍ର ସେହୱାଗ ସର୍ବାଧିକ ୮୨ ରନ୍ କରିଥିବା ବେଳେ ଦ୍ରାବିଡ଼ ୪୭, ସଚିନ୍ ୪ ଓ ଗାଙ୍ଗୁଲି ୨୪ ରନ୍ କରିଥିଲେ ।
ଏପର୍ଯ୍ୟନ୍ତ ବିଶ୍ୱକପରେ ଅପରାଜେୟ ରହିଛି ରୋହିତ ବାହିନୀ । ତେଣୁ ୨୦୦୩ର ପ୍ରତିଶୋଧ ୨୦୨୩ରେ ନେବା ଭାରତ । ୨୦୦୩ରେ ବିଶ୍ୱକପରେ ଉପଅଧିନାୟକ ଥିବା ରାହୁଲ ଦ୍ରାବିଡ ଏବେ ଭାରତୀୟ ଦଳର ମୁଖ୍ୟ କୋଚ୍ । ଟିମର ଭଲ ପ୍ରଦର୍ଶନ ପଛରେ ଦ୍ରାବିଡଙ୍କର ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଭାରତ ବିଶ୍ୱକପ୍ ଜିତିଲେ ଦ୍ରାବିଡଙ୍କ ୨୦୦୩ର ଆଶା ପୂରଣ ହୋଇପାରିବ । ସେପଟେ ବିଶ୍ବକପ ଫାଇନାଲ ପୂର୍ବରୁ ଏୟାର ଶୋ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ । ଫାଇନାଲ୍ ମ୍ୟାଚ ଆରମ୍ଭ ହେବାର ଆଗରୁ ୧୦ ମିନିଟ୍ ପାଇଁ ଏୟାର ଶୋ କରାଯିବ ।