ଗତ ଲୋକସଭା ନିର୍ବାଚନରେ ୟୁପି, ମହାରାଷ୍ଟ୍ର ପରି ବଡ଼ ରାଜ୍ୟରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିରୋଧୀଙ୍କ ଅଭିଯୋଗ ଥିଲା ଦେଶରେ ଆଉ କାମ କରୁନି ମୋଦି ମ୍ୟାଜିକ୍। କିନ୍ତୁ ମାତ୍ର ୫ ମାସ ଭିତରେ ବଦଳିଯାଇଛି ଦେଶର ରାଜନୈତିକ ବାତାବରଣ। ଲୋକସଭା ଭୋଟରେ ଯେଉଁ ରାଜ୍ୟରେ ବିଜେପି ସହିଥିଲା ବଡ଼ କ୍ଷତି ସେଠାରେ ଜନତା ପୁଣି କରିଛନ୍ତି ମୋଦିଙ୍କ ନେତୃତ୍ବ ଉପରେ ଭରସା। ଗତ ଲୋକସଭା ନିର୍ବାଚନରେ ସବୁଠୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପିର ଆସନ ସଖ୍ୟା ୬୨ରୁ ଖସିଆସିଥିଲା ୩୩କୁ ସେପଟେ ସମାଜବାଦୀ ପାର୍ଟି ୫ରୁ ସିଧା ୩୭ ଆସନକୁ ଲମ୍ଫ ଦେଇଥିଲା। ଆଉ କଂଗ୍ରେସର ଆସନବି ୧ରୁ ୬ ହୋଇଯାଇଥିଲା।
କିନ୍ତୁ ସଦ୍ୟ ସମାପ୍ତ ୟୁପିର ୯ଟି ବିଧାନସଭା ଆସନ ଉପନିର୍ବାଚନରେ ବିଜେପି ଓ ସହୋଯୋଗୀ ୭ଟି ଆସନରେ କରିଛନ୍ତି ବାଜିମାତ। ଏସପି ସପକ୍ଷରେ ଯାଇଛି ମାତ୍ର ୨ଟି ଆସନ। ହରିୟାଣାରେ ୨୦୧୯ ଲୋକସଭା ନିର୍ବାଚନରେ ୧୦ରୁ ୧୦ ସିଟ୍ ହାତେଇଥିଲା ବିଜେପି। କିନ୍ତୁ ୨୦୨୪ ସଂସଦୀ ନିର୍ବାଚନରେ ବିଜେପି ଭାଗରେ ପଡ଼ିଥିଲା ମାତ୍ର ୫ଟି ଆସନ। ତେବେ ୪ ମାସ ପରେ ଅନୁଷ୍ଠିତ ହରିୟାଣା ବିଧାନସଭା ନିର୍ବାଚନରେ ସବୁ ଆକଳନକୁ ଭୁଲ ପ୍ରମାଣିତ କରି ବିଜେପି ହାସଲ କରିଥିଲା ବମ୍ପର ଭିକ୍ଟ୍ରି। ସେହିପରି ମହାରାଷ୍ଟ୍ରରେ ଗତ ଲୋକସଭା ନିର୍ବାଚନରେ ବିଜେପିର ଆସନ ୨୩ରୁ ସିଧା ୯ରୁ ଖାସି ଆସିଥିଲା। କଂଗ୍ରେସ ହାତେଇଥିଲା ସର୍ବାଧିକ ୧୩ ଆସନ। କିନ୍ତୁ ମାତ୍ର ୫ ମାସ ଭିତରେ ପଲଟିଗଲା ବାଜି। ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାୟୁଥିକୁ ମିଳିଲା ସର୍ବକାଳୀନ ସଫଳତା। ଏ ତିନିଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ ପ୍ରମାଣିତ କରିଛି ଦେଶରେ ପୁଣି ଫେରିଛି ମୋଦି ମ୍ୟାଜିକ୍।
ସେଥିପାଇଁତ ପ୍ରଧାନମନ୍ତ୍ରୀଙ୍କର ଏପରି ଆଗ୍ରେସିଭ ଅବତାର। ଏଥିସହ ଜେଡିୟୁ ଓ ଟିଡିପି ପରି ଏନଡିଏର ବଡ଼ ସହଯୋଗୀଙ୍କୁ ବି ବଡ଼ ବାର୍ତ୍ତା ଦେଇଛି ମହାରାଷ୍ଟ୍ରର ମହାବିଜୟ। ସେମାନେ ବିଜେପିକୁ ଦୁର୍ବଳ ଭାବିବାର କେବେବି କରିବେନି ଭୁଲ। ବରଂ ମୋଦିଙ୍କ ସହ ରହିଲେ ହିଁ ସେମାନଙ୍କର ଭବିଷ୍ୟତର ରାଜନୀତି ରହିବ ସୁରକ୍ଷିତ ଏହି ବାର୍ତା ଦେଇଛି ମହାରାଷ୍ଟ୍ରରେ ମହାୟୁତିକୁ ବୃହତ ବିଜୟ। ସଂସଦର ଶୀତ ଅଧିବେଶନ ସାରା ଏହାର ପ୍ରଭାବ ସ୍ପଷ୍ଟ ଦେଖିବାକୁ ମିଳିବ। ୱାକଫ ଆଇନରେ ସଂଶୋଧନ ପରି ବିବାଦୀୟ ବିଲଗୁଡ଼ିକୁ ଆହୁରି ମଜଭୁତ ଢଙ୍ଗରେ ଉପସ୍ଥାନ କରିବେ ମୋଦି ସରକାର।