Videos
|
Odisha

ବୁଧବାର ରାତି, ଗୁରୁବାର ସକାଳ ମଧ୍ୟରେ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ `ଦାନା’

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବୁଧବାର ରାତି, ଗୁରୁବାର ସକାଳ ମଧ୍ୟରେ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ `ଦାନା’

Key Points

  • ଓଡ଼ିଶା ମୁହାଁ ଭୀଷଣ ବାତ୍ୟା
  • ବୁଧବାର ରାତି, ଗୁରୁବାର ସକାଳ ମଧ୍ୟରେ ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ `ଦାନା’
  • ପୁରୀରୁ ସାଗର ଦୀପ ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ୍ 
  • 100ରୁ120 କିମି ରହିବ ପବନର ବେଗ
  • ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆକଳନ
  • 24ରେ 7ଟି ଓ 25 ତାରିଖ ପାଇଁ 4ଟି ଜିଲ୍ଲାକୁ ରେଡ୍ ଆଲର୍ଟ

ଅର୍ଗସ ବ୍ୟୁରୋ : 24 ତାରିଖ ରାତି ନ ହେଲେ 25 ତାରିଖ ଭୋର ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ଭୀଷଣ ବାତ୍ୟା ବାତ୍ୟା । ପୁରୀରୁ ସାଗର ଦୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଏହି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ । ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ ଆଇଏମଡି ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ବୁଧବାର ସକାଳୁ ଏହା ବାତ୍ୟାର ରୂପ ନେବ। 24 ତାରିଖ ବା ଗୁରୁବାର ସକାଳୁ ଏହା ନେବ ଭୀଷଣ ବାତ୍ୟାର ରୂପ । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି 100ରୁ 120 କିଲୋମିଟର ରହିବାର ଆକଳନ କରାଯାଇଛି । ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ପଡ଼ିବ ବର୍ଷା ଓ ପବନର ସବୁଠାରୁ ଅଧିକ ପ୍ରଭାବ। 24 ଓ 25 ତାରିଖରେ ପ୍ରବଳ ବର୍ଷା ହେବା ନେଇ ବି ଅନୁମାନ କରିଛନ୍ତି ଆଇଏମଡି ଡିଜି। କେତେକ ସ୍ଥାନରେ ହୋଇପାରେ ଅତ୍ୟନ୍ତ ପ୍ରବଳ ବର୍ଷା । 

କେଉଁ ଜିଲ୍ଲାରେ କେତେ ରହିପାରେ ପବନର ବେଗ ସେ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, କଟକ ଓ ଯାଜପୁର ଏହି ଛଅଟି ଜିଲ୍ଲାରେ ପର୍ବନର ବେଗ ସର୍ବାଧିକ 100ରୁ 120 କିମି ଯାଏଁ ରହିପାରେ। ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଆଦି ଜିଲ୍ଲାରେ ପବନର ବେଗ ରହିପାରେ 60ରୁ 100 କିମି। 24 ଓ 25 ତାରିଖରେ ପବନ ନେଇ 6ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର ଓ ଭଦ୍ରକ । 
 ପାରାଦୀପଠାରୁ ଦକ୍ଷିଣ ପୂର୍ବକୁ ପ୍ରାୟ 600 କିଲୋମିଟର ଦୂରରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି ଅବପାତର ଅବସ୍ଥିତି। ଘଣ୍ଟା ପ୍ରତି 6 କିଲୋମିଟର ବେଗରେ ଏହା ସ୍ଥଳଭାଗ ଆଡ଼କୁ ଆସୁଛି । ସମୟ ଯେତେ ପାଖଉଛି, ପବନ ଓ ବର୍ଷା ନେଇ ସେତେ ବଢୁଛି ଆଶଙ୍କା।

ଅଧିକ ପଢନ୍ତୁ : ସମ୍ଭାବ୍ୟ ଦାନା ବାତ୍ୟା ନେଇ ହାଇକୋର୍ଟରେ ଶୁଣାଣୀ

ଏପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବି 24ରୁ 26 ତାରିଖ ଯାଏଁ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି 24 ତାରିଖରେ 7 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକ। ଏଥିସହ 24 ତାରିଖରେ ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି 25 ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି । 25ରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼କୁ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।  ଆସନ୍ତାକାଲି ମଧ୍ୟ ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହି 8ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଓଡ଼ିଶାର ସବୁ ବନ୍ଦରକୁ 1 ନଂ ବିପଦ ସଙ୍କେତ ଜାରି ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
``Dana'' may hit Odisha coast between Wednesday night and Thursday morning | Argus News