ଗତକାଲି ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ଦଶମୂଳ ମୋଦକ ଶ୍ରୀମନ୍ଦିରରେ ଆସି ପହଞ୍ଚିଥିଲା। ଏକାଦଶୀ ତିଥି ପରେ ମହାପ୍ରଭୁଙ୍କୁ ଏହା ଲାଗି କରାଯିବାର ପରମ୍ପରା ରହିଛି । ଆଜି ଖଳିଲାଗି ଏକାଦଶୀରେ ଠାକୁରମାନଙ୍କୁ ଖଳି ଲାଗି କରାଯିବ । ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ। ଚନ୍ଦନରେ କର୍ପୂର, କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହ ମାନଙ୍କୁ ଲାଗି କରାଯିବାର ବିଧି ରହିଛି ।
ଆଜି ମହାପ୍ରଭୁ ବାରଲାଗି ପାଟ ପରିଧାନ କରିବା ସହ ତୁଳସୀ ଲାଗି କରିବା ପରେ ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯିବ । ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ତେବେ ମହାପ୍ରଭୁ ଜ୍ୱରରେ ଅସୁସ୍ଥ ଥିବାରୁ ଭୋଗଲାଗି ସମୟରେ ଘଣ୍ଟ ବାଜିବା ବନ୍ଦ ରହିଥାଏ । ଆଜି ଖଳି ଲାଗି ସମୟରେ ଘଣ୍ଟ ଓ କାହାଳୀ ବଜାଇ ଶ୍ରୀଜୀଉ ମାନେ ସୁସ୍ଥ ହେଉଥିବା ବାର୍ତ୍ତା ଭକ୍ତଙ୍କୁ ଜଣାଇବାର ପରମ୍ପରା ରହିଛି । ଏକାଦଶୀ ତିଥିର ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜିଠାରୁ ତୁଳସୀ ଲାଗି ହେବାର ବିଧି ରହିଛି ।
ଆସନ୍ତାକାଲି ଅଣସର ଦ୍ୱାଦଶୀ ନୀତି । ଏହି ନୀତି ବିଶେଷ ମହତ୍ତ୍ବପୂର୍ଣ୍ଣ । କାରଣ, ଏହିଦିନ ରାଜ ନଅରକୁ ରାଜପ୍ରସାଦ ବିଜେ କରାଯାଏ ଏବଂ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ଦିଆଯାଏ ।
ଆହୁରି ପଢନ୍ତୁ ଓଡିଶା ଖବର...