ସେହପରି ମଣ୍ଡିରେ ଧାନର ମାନ ମନଇଚ୍ଛା ନିର୍ଦ୍ଦାରଣ କରି ଆଉ କଟନୀ ଛଟନୀ କରିପାରିବେନି ମିଲର। ଗ୍ରେନ୍ ଆନାଲାଇଜର ମେସିନ ମାଧ୍ୟମରେ ଏଣିକି କରାଯିବ ଧାନର ମାନ ପରୀକ୍ଷା। ସେହିପରି ମଣ୍ଡିରୁ ମିଲକୁ ଆଉ ମିଲରଙ୍କ ଗାଡ଼ିରେ ଯିବନି ଧାନ। ଧାନ ପରିବହନ ବ୍ୟବସ୍ଥା ନିଜେ କରିବେ ସରକାର କରିବେ ବୋଲି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ। ସେ କହିଛନ୍ତି ଧାନ କିଣାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିବ ଟଙ୍କା।
ନିର୍ବାଚନ ପ୍ରତିଶ୍ରୁତି ରକ୍ଷାକରି ବିଜେପି ସରକାର ଚଳିତ ଖରିଫ ଋତୁରୁ ଚାଷୀଙ୍କୁଠାରୁ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣିବାକୁ କରିସାରିଛନ୍ତି ଘୋଷଣା। ଏହାକୁ ଯେପରି ସ୍ବଚ୍ଛତାର ସହ ଲାଗୁକରାଯିବ ଏବଂ କେହି ଯୋଗ୍ୟ ଚାଷୀ ବଞ୍ଚିତ ନହେବେ ସେଥିପାଇଁ ତତ୍ପର ରାଜ୍ୟ ସରକାର। ପୂର୍ବରୁ ଛତିଶଗଡ଼ ବିଜେପି ସରକାର ଏହାକୁ ସଫଳତାର ସହ ଲାଗୁ କରିସାରିଥିବା ବେଳେ ସେଠାକାର ଧନ କିଣା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଛତିଶଗଡ଼ ଯାଇଥିଲେ ଯୋଗାଣ ବିଭାଗର ଉଚ୍ଚସ୍ତରୀୟ ଟିମ୍। ଯୋଗାଣ ମନ୍ତ୍ରୀ କୃଷ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଯାଇଥିବା ଏହି ୭ ଜଣିଆ ଟିମ୍ ସେଠାରେ କ୍ଷେତ୍ର ପରିଦର୍ଶନ ସହ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ, ଧାନ ସଂରକ୍ଷଣ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ବାବଦରେ ଅବଗତ ହୋଇଥିଲେ । ଛତିଶଗଡ଼ର ଖାଦ୍ୟଯୋଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀ ଦୟାଲ୍ ଦାସ ବାଘେଲ୍ ଏବଂ ସମବାୟ ମନ୍ତ୍ରୀ କେଦାର କାଶ୍ୟପଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଗୁରୁବାର ଯୋଗଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୌଦ୍ଧ ଜିଲା ପୁରଣାକଟକ ସ୍ଥିତ ପିଇଜି ଗୋଦାମରେ ଅଚାନକ ପରିଦର୍ଶନ କରି ନିମ୍ନମାନର ଚାଉଳ ଯୋଗାଣ ଏବଂ ଓଜନରେ ଠକେଇ ହେଉଥିବା ଜାଣିବାକୁ ପାଇଥିଲେ। ମିଲର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ଦେଇଥିଲେ ନିର୍ଦେଶ। ଏଥିସହ ଯୋଗାଣ ବ୍ୟବସ୍ଥାକୁ ଠିକ୍ ଭାବରେ ପରିଚାଳନା କରିବା ଲାଗି ଅଧିକାରୀଙ୍କୁ ତାଗିଦ କରିଥିଲେ ମନ୍ତ୍ରୀ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଭିନ୍ନ ସ୍ଥାନରେ ମିଲ ଉପରେ ଆରମ୍ଭ ହୋଇଛି ଧରପଗଡ଼। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଂଚଳର ୩ଟି ରାଇସ ମିଲ୍ କୁ ଗତ କାଲି ରାତିରେ ସିଲ କରିଛି ଜିଲ୍ଲା ପ୍ରଶାସନ।
ଅଧିକ ପଢନ୍ତୁ ଓଡ଼ିଶା ଖବର