ଓଡ଼ିଆ ଭାଷାରେ ହେବ ସରକାରୀ କାର୍ଯ୍ୟ । ଆଜି ତୃତୀୟ ମହଲାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟ ଆରମ୍ଭ କରିବା ସହ ବଡ ଘୋଷଣା କରିଛନ୍ତି । ଓଡିଆ ଅସ୍ମିତାକୁ ଦିଆଯାଇଛି ଗୁରୁତ୍ବ । ରାଜ୍ୟ ପରିଚାଳନା ଓଡିଆ ଭାଷାରେ ହେବ । ଏଥିପାଇଁ ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ଦରକାର ପଡିଲେ ଏଥିରେ ଆବଶ୍ୟକ ପରିବର୍ତ୍ତନ କରାଯାଇ ଆହୁରି ସଶକ୍ତ କରାଯିବ । ଓଡିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ ହେବ । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ଓ ସୁଗମ କରିବା ପାଇଁ ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ । ଏଥିସହ ତାଙ୍କ ପାଖରେ ଉପସ୍ଥାପିତ ହେବାକୁ ଥିବା ସବୁ ନଥିପତ୍ରକୁ ଓଡିଆରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଅଧିକ ପଢନ୍ତୁ : ଏଣିକି ସରକାରୀ ଭାଷା ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ
କେବଳ ଏତିକି ନୁହେଁ, ଲୋକସେବା ଭବନ ମନ୍ତ୍ରୀ କରିଡରରେ ଦେଖିବାକୁ ମିଳିଛି ଓଡିଆ ଭାଷା, ସଂସ୍କୃତି ଓ ଅସ୍ମିତାର ଝଲକ । ସବୁ ମନ୍ତ୍ରୀଙ୍କ ନାମ ଫଳକରେ ଶୋଭା ପାଉଛି ଓଡିଆ ପରମ୍ପରାର କଳାକୃତି ।ଓଡିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ । ଓଡିଆ ଭାଷା ଭବନ ଅସ୍ମିତା ଭବନ ନିର୍ମାଣ କରାଯିବ । ଭାଷା କମିଶନ ଗଠିତ ହେବ । ଓଡିଆ ଅସ୍ମିତାର ପ୍ରତିଷ୍ଠା, ଅଭିବୃଦ୍ଧି, ସଂରକ୍ଷଣ ଓ ପ୍ରସାରକୁ ଦିଆଯିବ ଗୁରୁତ୍ବ । ଓଡିଆ ଭାଷା ଉପରେ ଗୁଣାତ୍ମକ ଗବେଷଣାକୁ ପ୍ରୋତ୍ସାହିତ କରାଯିବ । ଓଡିଶାରେ ପଠନ ଅଭ୍ୟାସ ବୃଦ୍ଧି ଓ ଲାଇବ୍ରେରୀ ଆନ୍ଦୋଳନକୁ ବ୍ୟାପକ ଓ ବ୍ୟବସ୍ଥିତ କରାଯିବ । ପ୍ରତ୍ୟେକ ଜିଲ୍ଲାରେ ସମନ୍ଵିତ ସଂସ୍କୃତି ଭବନ ନିର୍ମାଣ ସହ ଜିଲ୍ଲାର ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବ । ଉଚ୍ଚ ବିଦ୍ୟାଳୟ ସ୍ତରରେ ଓଡିଆ ଭାଷା ଶିକ୍ଷକ ନିଯୁକ୍ତି ପାଇଁ ବିଚାର କରାଯିବ । ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ଓ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କରିଛନ୍ତି ଘୋଷଣା ।