ରତ୍ନଭଣ୍ଡାର ଖୋଲିବା ନେଇ କେନ୍ଦ୍ରମନ୍ତ୍ରୀ କହିବା ପରେ ସାରା ରାଜ୍ୟରେ ଜୋରଧରିଛି ଦାବି। ଭକ୍ତ ଓ ସେବାୟତମାନେ ବି କେନ୍ଦ୍ରମନ୍ତ୍ରୀଙ୍କ ଦାବିକୁ ଜଣାଇଛନ୍ତି ସମର୍ଥନ। ଶ୍ରୀଜଗନ୍ନାଥ ସେନା ଆବାହକ ମଧ୍ୟ ରତ୍ନ ଭଣ୍ଡାର ଖୋଲି ରତ୍ନ ଗଣତି ଦାବି ଦୋହରାଇଛନ୍ତି।
ଏପରିକି କଂଗ୍ରେସ ବି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ସହ ସ୍ବର ମିଳାଇଛି। ଆଉ ବିଜେଡିର ସେହି ଚିରାଚରିତ ପ୍ରତିକ୍ରିୟା ସମୟକୁ ଅପେକ୍ଷା କର।
ରତ୍ନ ଗଣତିମଣତି ସହ ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର। ସେହିପରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସବୁ ପୁରୁଣା ମଠ, ମନ୍ଦିର, ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସହିତ ବିଭିନ୍ନ ସମ୍ପ୍ରଦାୟର ପୁରାତନ କୀର୍ତ୍ତିରାଜି ସବୁ ସ୍ଥାନ ପାଇବା ଦରକାର। ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା କଥା ଭକ୍ତମାନେ ବହୁବାର କହିଲେଣି, ଯେତେ ସୁବିଧାରେ ଦର୍ଶନ ହେବ, ସେତେ ଭଲ ବୋଲି କହିଛନ୍ତି ଧର୍ମେନ୍ଦ୍ର।
କେନ୍ଦ୍ରମନ୍ତ୍ରୀ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ସହ ଏଏସଆଇ ମରାମତି କରୁଥିବା ନାଟ ମଣ୍ଡପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ସେ କହିଛନ୍ତି ମହାପ୍ରଭୁଙ୍କର ଆଶୀର୍ବାଦରୁ ଏଏସଆଇ ନିଜର କାମକୁ ସୂଚାରୁ ରୂପେ କରିବ। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ମରାମତି ପ୍ରସଙ୍ଗରେ ଏଏସଆଇ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାବେଳେ ରାଜ୍ୟ ସରକାର ଓ ଏଏସଆଇ ମଧ୍ୟରେ ଦ୍ବନ୍ଦ୍ବ ଦୂର କରିବାକୁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରାବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୋରରୁ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ସକାଳ ମଙ୍ଗଳ ଆଳତି ଦେଖିଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର