Videos
|
Odisha

ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ‘ସଂସ୍ଥାଗତ ବିକାଶ ଯୋଜନା’ ଉପରେ ୟୁଜିସିର କର୍ମଶାଳା

Ritu Das
Browse all articles by Ritu Das
·2 years ago·2 min read
ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ‘ସଂସ୍ଥାଗତ ବିକାଶ ଯୋଜନା’ ଉପରେ ୟୁଜିସିର କର୍ମଶାଳା

ଅର୍ଗସ ବ୍ୟୁରୋ: ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଆଭିମୁଖ୍ୟ ମାଧ୍ୟମରେ ଭାରତରେ ଥିବା ପ୍ରାୟ ୫୦୦୦ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଧବାର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକ ପାଇଁ ସଂସ୍ଥାଗତ ବିକାଶ ଯୋଜନା(ଆଇପିଡି) ଉପରେ ଆୟୋଜିତ ଦିନିକିଆ କର୍ମଶାଳାକୁ ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ୟୁଜିସି ନିୟମାବଳୀ ସଂକଳନ (UGC Compendium of Regulations -1957-2023)କୁ ; ୟୁଜିସିର ସମସ୍ତ ନିୟମର ଏକକ, ସୁଲଭ ଏବଂ ବିଶ୍ୱସନୀୟ ଉତ୍ସ ଭାବରେ ଉନ୍ମୋଚନ କରିଥିଲେ । 

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିର ମୂଲ୍ୟବୋଧ ଏବଂ ବିଚାରକୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ପରିକଳ୍ପନାକୁ ସାକାର କରିବାରେ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।  ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶିକ୍ଷାର ଉଦ୍ଦେଶ୍ୟ ଏବଂ ଢାଞ୍ଚା ଉପରେ ଆଲୋକପାତ କରିବା ସହ ଯୁବବର୍ଗଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଦେଶରେ ମୋଟ ନାମଲେଖା ଅନୁପାତକୁ ଦ୍ୱିଗୁଣିତ କରିବା, ଅଧିକାଂଶ ଜନସଂଖ୍ୟାକୁ ଉଚ୍ଚ ଶିକ୍ଷା ପରିସରକୁ ଆଣିବା ପାଇଁ ଶିକ୍ଷା ଜଗତକୁ ସେ ପରାମର୍ଶ ଦେଇଥିଲେ । ଏହାବ୍ୟତୀତ ଜନସଂଖ୍ୟାଗତ ସୁବିଧାର ପ୍ରଭାବଶାଳୀ ଉପଯୋଗ, ଶୈକ୍ଷିକ, ଗବେଷଣା ଏବଂ ଇନୋଭେସନ ଉତ୍କର୍ଷତା ହାସଲ କରିବା, ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଆଭିମୁଖ୍ୟ ମାଧ୍ୟମରେ ୫୦୦୦ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଦିଗରେ ଥିବା ମାର୍ଗ ଉପରେ କେନ୍ଦ୍ରମନ୍ତ୍ରୀ ଚର୍ଚ୍ଚା କରିଛନ୍ତି । 

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ଶିକ୍ଷା ଭାରତକୁ ଏକ ଉପଭୋକ୍ତା ଅର୍ଥନୀତିରୁ ଉତ୍ପାଦକ ଅର୍ଥନୀତିରେ ପରିଣତ କରିବ । ଅନୁଷ୍ଠାନିକ ଉନ୍ନତି ଯୋଜନାରେ ଆମର ବିଶାଳ ଜନସଂଖ୍ୟାର ଦକ୍ଷତା ବୃଦ୍ଧି, ଶିକ୍ଷାର୍ଥୀ-କେନ୍ଦ୍ରୀତ ଏବଂ ବହୁବିଭାଗୀୟ ଶିକ୍ଷାର ସୁବିଧା, ଉଚ୍ଚଶିକ୍ଷାରେ ଭାରତୀୟ ଭାଷାକୁ ସମନ୍ୱିତ କରିବା, ଉଦ୍ଭାବନ, ଉଦ୍ୟୋଗ ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା, ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଏବଂ ଗବେଷଣା ଓ ବିକାଶର ବିଶ୍ୱସ୍ତରୀୟ ମାନଦଣ୍ଡ ହାସଲ କରିବା ଉପରେ ପ୍ରାଥମିକତା ଦେବାକୁ ହେବ। 

ଆମର ଶିକ୍ଷା ଏପରି ହେବା ଦରକାର, ଯେଉଁ ଶିକ୍ଷା ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବା ସହ ସ୍ଥାନୀୟ ଏବଂ ବୈଶ୍ୱିକ ଆହ୍ୱାନର ସମାଧାନ କରିପାରିବ । ନୂଆ ମଡେଲ ଏବଂ ସାମ୍ପ୍ରତିକ ସମସ୍ୟାର ସମାଧାନ ପାଇଁ ଭାରତର ପ୍ରତିଭାବାନ ଯୁବଶକ୍ତିଙ୍କ ଉପରେ ବିଶ୍ୱର ନଜର ରହିଛି । ଶିକ୍ଷାନୁଷ୍ଠାନଗୁଡ଼ିକର ପୁନରୁଦ୍ଧାର, ଉଚ୍ଚ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଏବଂ ଜାତୀୟ ପ୍ରାଥମିକତା ହାସଲ ଦିଗରେ ଏକ ସମୟବଦ୍ଧ ଢଙ୍ଗରେ କାର୍ଯ୍ୟ କରିବାକୁ ଶିକ୍ଷାବିତ୍ ମାନଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

UGC Workshop | Argus News