Salary Hike / କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର ! ୨୦୨୬ ଜାନୁଆରୀରୁ ମିଳିବ କି ଏରିଅର୍ ?

Key Points
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର ! ୨୦୨୬ ଜାନୁଆରୀରୁ ମିଳିବ କି ଏରିଅର୍ ?
ଅଷ୍ଟମ ବେତନ ଆୟୋଗକୁ ନେଇ ବଡ଼ ଅପଡେଟ୍, ୨୦୨୭ରେ ବଢ଼ିବ କି ଦରମା ?
ଦରମା ବୃଦ୍ଧିକୁ ନେଇ ବଢ଼ିଲା ଅପେକ୍ଷା ! ଜାଣନ୍ତୁ ଅଷ୍ଟମ ବେତନ ଆୟୋଗର ପୂରା ହିସାବ
କେନ୍ଦ୍ରୀୟ କର୍ମଚାରୀଙ୍କ ମନରେ ଏବେ ଗୋଟିଏ ବଡ଼ ପ୍ରଶ୍ନ ଅଷ୍ଟମ ବେତନ ଆୟୋଗ ଗଠନ ହୋଇଗଲା, ହେଲେ ଦରମା କେବେ ବଢ଼ିବ ? ଅନେକଙ୍କୁ ଲାଗୁଥିଲା ଆୟୋଗ ଗଠନ ହେଲେ ପରବର୍ତ୍ତୀ ମାସରୁ ଦରମା ଦୁଇଗୁଣ ହୋଇଯିବ । କିନ୍ତୁ ପ୍ରକୃତ କଥା ହେଉଛି, ଆୟୋଗ ଗଠନ ହେବା ଏବଂ ବର୍ଦ୍ଧିତ ଦରମା ମିଳିବା ଏହି ଦୁଇଟି ସମ୍ପୂର୍ଣ୍ଣ ଅଲଗା କଥା । ତେବେ ଦରମା ବୃଦ୍ଧିରେ ବିଳମ୍ବ କାହିଁକି ହେଉଛି ? ନୂଆ ଦରମା କେବେଠାରୁ ମିଳିବ? ଆଉ ୨୦୨୬ ଜାନୁଆରୀ ୧ରୁ ଏରିଅର୍ ମିଳିବ କି? ଆସନ୍ତୁ, ସବୁକିଛି ସହଜ ଭାଷାରେ ଜାଣିବା ।
ପ୍ରଥମ ପର୍ଯ୍ୟାୟ: ଆୟୋଗକୁ କରିବାକୁ ପଡ଼ିବ ପୂରା ହୋମୱାର୍କ
ଅଷ୍ଟମ ବେତନ ଆୟୋଗ ଗଠନ ପରେ ଏବେ ଏହାର ମୁଖ୍ୟ କାମ ହେଉଛି କେନ୍ଦ୍ରୀୟ କର୍ମଚାରୀ, କର୍ମଚାରୀ ସଂଘ ଏବଂ ପେନ୍ସନଭୋଗୀଙ୍କ ଦାବି ଶୁଣିବା ।
ମୂଳ ଦରମା କେତେ ବଢ଼ିବ? ଘରଭଡ଼ା ଭତ୍ତା ବା HRA କେତେ ହେବ ? ମହଙ୍ଗା ଭତ୍ତା ବା DA ଏବଂ ପେନ୍ସନରେ କେତେ ବୃଦ୍ଧି ହେବ? ଏହି ସବୁ ବିଷୟରେ ଆୟୋଗ ଅଧ୍ୟୟନ କରିବ ଏବଂ ଆର୍ଥିକ ହିସାବକିତାବ କରି ସରକାରଙ୍କୁ ରିପୋର୍ଟ ଦେବ।
ଏହି କାମ ପାଇଁ ଆୟୋଗକୁ ୧୮ ମାସ ସମୟ ଦିଆଯାଇଥିବା କୁହାଯାଉଛି। ଏହି ସମୟସୀମା ଅନୁସାରେ ରିପୋର୍ଟ ୨୦୨୭ ମେ ମାସ ସୁଦ୍ଧା ଆସିପାରେ। ଯଦି ତା’ ପୂର୍ବରୁ ରିପୋର୍ଟ ଆସେ, ତେବେ କର୍ମଚାରୀଙ୍କ ପାଇଁ ଏହା ଖୁସି ଖବର ହେବ।
ଦ୍ୱିତୀୟ ପର୍ଯ୍ୟାୟ: ରିପୋର୍ଟ ଆସିଲେ ସଙ୍ଗେ ସଙ୍ଗେ ବଢ଼ିବନି ଦରମା
ଆୟୋଗ ରିପୋର୍ଟ ଦାଖଲ କରିଦେଲେ ଯେ ତୁରନ୍ତ ନୂଆ ଦରମା ମିଳିବ, ସେମିତି ନୁହେଁ । ପ୍ରଥମେ କେନ୍ଦ୍ର ସରକାର ରିପୋର୍ଟର ସମୀକ୍ଷା କରିବେ । ଯଦି କର୍ମଚାରୀଙ୍କ ଦରମାରେ ୩୦ ପ୍ରତିଶତ ବୃଦ୍ଧି କରାଯାଏ, ତେବେ ସରକାରୀ ରାଜକୋଷ ଉପରେ କେତେ ଆର୍ଥିକ ବୋଝ ପଡ଼ିବ ? କେଉଁ ସୁପାରିସକୁ ଗ୍ରହଣ କରାଯିବ ଏବଂ କେଉଁଟିକୁ ପରିବର୍ତ୍ତନ କରାଯିବ ? ଏସବୁ ନିଷ୍ପତ୍ତି ନେବା ପରେ କ୍ୟାବିନେଟ୍ ଅନୁମୋଦନ, ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଏବଂ ସରକାରୀ ବିଜ୍ଞପ୍ତି ଜାରି ହେବ । ଏହି ପ୍ରକ୍ରିୟାରେ ମଧ୍ୟ କିଛି ମାସ ସମୟ ଲାଗିପାରେ । ସେଥିପାଇଁ ଆୟୋଗର ରିପୋର୍ଟ ଆସିବା ମାତ୍ରେ ଦରମା ବଢ଼ିଯିବ ବୋଲି ଆଶା କରିବା ଠିକ୍ ନୁହେଁ ।
ତେବେ ବର୍ଦ୍ଧିତ ଦରମା କେବେ ମିଳିପାରେ ?
ଯଦି ରିପୋର୍ଟ ୨୦୨୭ ମେ ମାସ ସୁଦ୍ଧା ଆସେ ଏବଂ ଏହାର ସମୀକ୍ଷା ଓ ଅନୁମୋଦନ ପାଇଁ ଆଉ କିଛି ମାସ ଲାଗେ, ତେବେ ୨୦୨୭ ଶେଷ ଭାଗ କିମ୍ବା ୨୦୨୮ ଆରମ୍ଭରେ ବର୍ଦ୍ଧିତ ଦରମା ମିଳିବାର ସମ୍ଭାବନା ରହିପାରେ । କିନ୍ତୁ ଏଠାରେ ଗୋଟିଏ କଥା ମନେ ରଖନ୍ତୁ ଏହା କେବଳ ସମ୍ଭାବ୍ୟ ସମୟସୀମା । ସରକାରଙ୍କ ପକ୍ଷରୁ ଚୂଡ଼ାନ୍ତ ତାରିଖ ଘୋଷଣା ନହେବା ପର୍ଯ୍ୟନ୍ତ ଦରମା କେବେ ଆସିବ, ତାହା ନିଶ୍ଚିତ ଭାବେ କହିହେବ ନାହିଁ ।
୨୦୨୬ ଜାନୁଆରୀ ୧ରୁ ମିଳିବ କି ଏରିଅର୍ ?
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏହା ସବୁଠାରୁ ବଡ଼ ପ୍ରଶ୍ନ । ଯଦି ସରକାର ଅଷ୍ଟମ ବେତନ ଆୟୋଗର ସୁପାରିସକୁ ୨୦୨୬ ଜାନୁଆରୀ ୧ରୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଅନ୍ତି, କିନ୍ତୁ ବର୍ଦ୍ଧିତ ଦରମା ପରେ ମିଳେ, ତେବେ ନିୟମ ଅନୁସାରେ ବକେୟା ଅର୍ଥ ବା ଏରିଅର୍ ମିଳିବାର ସୁଯୋଗ ରହିବ ।
ଉଦାହରଣ ସ୍ୱରୂପ, ଯଦି କାହାର ମୂଳ ଦରମା ୩୦,୦୦୦ ଟଙ୍କାରୁ ବଢ଼ି ୪୫,୦୦୦ ଟଙ୍କା ହୁଏ, ତେବେ ମାସିକ ମୂଳ ଦରମାରେ ୧୫,୦୦୦ ଟଙ୍କାର ପାର୍ଥକ୍ୟ ହେବ । କିନ୍ତୁ ଧ୍ୟାନ ଦିଅନ୍ତୁ, ଏହା କେବଳ ଏକ ଉଦାହରଣ । ପ୍ରକୃତ ଏରିଅର୍ ରାଶି ନୂଆ ବେତନ ଢାଞ୍ଚା, ଭତ୍ତା, ପୂର୍ବରୁ ମିଳିଥିବା ଦେୟ ଏବଂ ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ନିର୍ଭର କରିବ । ତେଣୁ ୨୦୨୬ ଜାନୁଆରୀ ୧ରୁ ଏରିଅର୍ ମିଳିବ ବୋଲି ଏବେଠାରୁ ନିଶ୍ଚିତ ଧରିନେବା ଠିକ୍ ନୁହେଁ ।
ଅଷ୍ଟମ ବେତନ ଆୟୋଗ ବିଷୟରେ ଜାଣନ୍ତୁ ଏହି ୩ଟି କଥା
- ରିପୋର୍ଟ କେବେ ଆସିବ ? ଦିଆଯାଇଥିବା ୧୮ ମାସର ସମୟସୀମା ଅନୁସାରେ ୨୦୨୭ ମେ ମାସ ସୁଦ୍ଧା ଆସିପାରେ ।
- ଦରମା କେବେ ବଢ଼ିବ ? ୨୦୨୭ ଶେଷ ଭାଗ କିମ୍ବା ୨୦୨୮ ଆରମ୍ଭ ଏକ ସମ୍ଭାବ୍ୟ ସମୟ, କିନ୍ତୁ ଚୂଡ଼ାନ୍ତ ତାରିଖ ଘୋଷଣା ହୋଇନାହିଁ।
- ଏରିଅର୍ କେବେଠାରୁ ମିଳିବ ? ୨୦୨୬ ଜାନୁଆରୀ ୧କୁ କାର୍ଯ୍ୟକାରୀ ତାରିଖ ଭାବେ ସରକାର ଗ୍ରହଣ କଲେ ଏରିଅର୍ ମିଳିପାରେ। ଏହା ନିଶ୍ଚିତ ନୁହେଁ ।
ଅଷ୍ଟମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍ସନଭୋଗୀଙ୍କ ମଧ୍ୟରେ ଆଶା ବଢ଼ିଛି । କିନ୍ତୁ ଦରମା ବୃଦ୍ଧି ପାଇଁ ଆୟୋଗର ସୁପାରିସ, ସରକାରଙ୍କ ଅନୁମୋଦନ ଏବଂ ଚୂଡ଼ାନ୍ତ ବିଜ୍ଞପ୍ତି ଅତ୍ୟନ୍ତ ଜରୁରୀ ।
ଏବେ ସମସ୍ତଙ୍କ ନଜର ରହିଛି ଆୟୋଗର ରିପୋର୍ଟ ଏବଂ କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ଘୋଷଣା ଉପରେ । ଏରିଅର୍ ମିଳିବାର ଆଶା ରହିଛି, ହେଲେ ସରକାରୀ ଘୋଷଣା ନହେବା ପର୍ଯ୍ୟନ୍ତ ଏହାକୁ ନିଶ୍ଚିତ ଖବର ବୋଲି ଧରିନେବା ଉଚିତ୍ ନୁହେଁ ।
📱 Get Argus News App
✨Related Topics
Explore more stories