Videos
|
Business

Diwali Muhurat Trading / ମୁହୁରତ ଟ୍ରେଡିଂରେ ଖସିଲା ସେୟାର ବଜାର, ତଥାପି ନିବେଶକଙ୍କୁ ୨ ଲକ୍ଷ କୋଟିର ଲାଭ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ମୁହୁରତ ଟ୍ରେଡିଂରେ ଖସିଲା ସେୟାର ବଜାର, ତଥାପି ନିବେଶକଙ୍କୁ ୨ ଲକ୍ଷ କୋଟିର ଲାଭ
Share Market

Key Points

ସେନ୍‌ସେକ୍ସ-ନିଫ୍ଟି ହ୍ରାସ
ହେଲେ ୨ ଲକ୍ଷ କୋଟି ବଢ଼ିଲା ନିବେଶକଙ୍କ ସମ୍ପତ୍ତି
ଦୀପାବଳିରେ ସେୟାର ବଜାରର ଚମତ୍କାର
ଦୀପାବଳି ଅବସରରେ ସେୟାର ବଜାରରେ ଅନୁଷ୍ଠିତ ହୋଇଥିବା ମୁହୁରତ ଟ୍ରେଡିଂରେ ଦେଖିବାକୁ ମିଳିଛି ଉତ୍ଥାନ-ପତନ। ଟ୍ରେଡିଂ ଆରମ୍ଭରେ ସେନ୍‌ସେକ୍ସ ଓ ନିଫ୍ଟି ଭଲ ଲାଭ ସହ କାରବାର ଆରମ୍ଭ କରିଥିଲେ ମଧ୍ୟ ଶେଷରେ ଉଭୟ ସୂଚକାଙ୍କ ହ୍ରାସ ସହ ବନ୍ଦ ହୋଇଛନ୍ତି। ତେବେ ସେୟାର ବଜାରରେ ହ୍ରାସ ସତ୍ତ୍ୱେ ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ଶେୟାରରେ ଭଲ କାରବାର ଯୋଗୁଁ ନିବେଶକମାନେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ବୃଦ୍ଧି ଦେଖିଛନ୍ତି ।

ସେନ୍‌ସେକ୍ସ ଓ ନିଫ୍ଟିରେ ହ୍ରାସ

ମୁହୁରତ ଟ୍ରେଡିଂ ଆରମ୍ଭରେ ବଜାରରେ ଜବରଦସ୍ତ ଉତ୍ସାହ ଦେଖାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କାରବାରରେ ଅସ୍ଥିରତା ଦେଖାଦେବାରୁ ବଜାର ହ୍ରାସ ସହ ବନ୍ଦ ହୋଇଥିଲା ।

ସେନ୍‌ସେକ୍ସ ୨୮ ପଏଣ୍ଟ ହ୍ରାସ ପାଇ ୮୦,୯୯୯ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୪୩ ପଏଣ୍ଟ ବା ୦.୧୮ ପ୍ରତିଶତ ହ୍ରାସ ପାଇ ୨୪,୯୯୮ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି ବ୍ୟାଙ୍କ ନିଫ୍ଟିରେ ୨୩୫ ପଏଣ୍ଟର ହ୍ରାସ ହୋଇଥିଲା। ଏହା ୫୮,୮୫୦ ପଏଣ୍ଟରେ କାରବାର ଶେଷ କରିଥିଲା ।

ବିଏସ୍‌ଇର ଟପ୍ ୩୦ଟି ସେୟାର ମଧ୍ୟରୁ ୧୬ଟି ସେୟାର ଲାଭରେ ବନ୍ଦ ହୋଇଥିବା ବେଳେ ୧୪ଟି ଶେୟାରରେ ହ୍ରାସ ଦେଖାଯାଇଥିଲା। ସନ୍ ଫାର୍ମା ଓ ଟାଟା ଷ୍ଟିଲ୍ ସେୟାରରେ ସର୍ବାଧିକ ବୃଦ୍ଧି ଦେଖାଯାଇଥିଲା। ଏହା ବ୍ୟତୀତ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଆଦାନୀ ପୋର୍ଟସ୍ ଓ ବିଇଏଲ୍ ସେୟାରରେ ମଧ୍ୟ ଭଲ କିଣାବିକା ହୋଇଥିଲା ।
ମୁହୁରତ ଟ୍ରେଡିଂ ସମୟରେ ଫିନୋଲେକ୍ସ କେବଲ୍ସ ସେୟାରରେ ସର୍ବାଧିକ କିଣାବିକା ଦେଖାଯାଇଥିଲା। ଏହି ସେୟାର ୨୦ ପ୍ରତିଶତର ଅପର ସର୍କିଟ୍‌ରେ ପହଞ୍ଚି ୧,୩୦୯ ଟଙ୍କାରେ କାରବାର କରିଥିଲା । ଅନ୍ୟପକ୍ଷରେ ଭୋଲ୍ଟାସ୍ ସେୟାରରେ ୪ ପ୍ରତିଶତ ହ୍ରାସ ହୋଇଥିଲା । କନକର୍ଡ ବାୟୋଟେକ୍‌ରେ ୩.୨୨ ପ୍ରତିଶତ, ସାଇ ଲାଇଫ୍ ସାଇନ୍ସରେ ୨.୩୦ ପ୍ରତିଶତ ଏବଂ ଷ୍ଟରଲାଇଟ୍ ଟେକ୍‌ରେ ୨ ପ୍ରତିଶତ ହ୍ରାସ ହୋଇଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିବେଶକଙ୍କ ସମ୍ପତ୍ତିରେ ୨ ଲକ୍ଷ କୋଟି ଟଙ୍କା ବୃଦ୍ଧି

ସେୟାର ବଜାରର ପ୍ରମୁଖ ସୂଚକାଙ୍କ ହ୍ରାସ ପାଇଥିଲେ ମଧ୍ୟ ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ସେୟାରରେ ଭଲ କାରବାର ଯୋଗୁଁ ବିଏସ୍‌ଇର ମୋଟ ମାର୍କେଟ୍ କ୍ୟାପିଟାଲାଇଜେସନ୍ ବୃଦ୍ଧି ପାଇଥିଲା । ବଜାରର ମୋଟ ମାର୍କେଟ୍ କ୍ୟାପ୍ ୫୦୩ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୫୦୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ଅର୍ଥାତ୍ ମୁହୁରତ ଟ୍ରେଡିଂ ସମୟରେ ନିବେଶକଙ୍କ ସମ୍ପତ୍ତିରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଥିଲା ।

କାହିଁକି ହୁଏ ମୁହୁରତ ଟ୍ରେଡିଂ ?

ଦୀପାବଳି ଅବସରରେ ମୁହୁରତ ଟ୍ରେଡିଂ କରିବାର ଏକ ଦୀର୍ଘ ପରମ୍ପରା ରହିଛି । ହିନ୍ଦୁ ଧର୍ମରେ ଦୀପାବଳି ଦିନ ମା' ଲକ୍ଷ୍ମୀଙ୍କ ପୂଜା କରାଯାଏ। ମା' ଲକ୍ଷ୍ମୀଙ୍କୁ ଧନ, ଐଶ୍ୱର୍ଯ୍ୟ ଓ ସମୃଦ୍ଧିର ଦେବୀ ଭାବେ ପୂଜା କରାଯାଏ । ଧାର୍ମିକ ମାନ୍ୟତା ଅନୁଯାୟୀ, ଦୀପାବଳିର ଶୁଭ ମୁହୂର୍ତ୍ତରେ ନୂଆ କାମ ଆରମ୍ଭ କିମ୍ବା ନିବେଶ କଲେ ବର୍ଷସାରା ସୁଖ ଓ ସମୃଦ୍ଧି ମିଳିଥାଏ। ଏହି ବିଶ୍ୱାସକୁ ଆଧାର କରି ସେୟାର ବଜାରର ନିବେଶକମାନେ ମଧ୍ୟ ଦୀପାବଳି ଦିନ ଶୁଭ ସମୟରେ ସେୟାର କିଣି ନୂଆ ଆର୍ଥିକ ବର୍ଷ କିମ୍ବା ନୂଆ କାରବାରର ଶୁଭାରମ୍ଭ କରିଥାନ୍ତି ।