Videos
|
Business

EPF Account Status / ଚାକିରି ବଦଳାଇଛନ୍ତି ? ସାବଧାନ ! ନିଷ୍କ୍ରିୟ ହୋଇପାରେ EPF ଖାତା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଚାକିରି ବଦଳାଇଛନ୍ତି ? ସାବଧାନ ! ନିଷ୍କ୍ରିୟ ହୋଇପାରେ EPF ଖାତା
EPF Account Status

Key Points

୨୦ ଲକ୍ଷରୁ ଅଧିକ EPF ଖାତା ନିଷ୍କ୍ରିୟ !
ଆପଣଙ୍କ PF ଷ୍ଟାଟସ୍ କିପରି କରିବେ ଚେକ୍ ?
ଏବେ ହିଁ କରନ୍ତୁ ଚେକ୍‌
ଚାକିରି କରୁଥିବା ପ୍ରାୟ ପ୍ରତ୍ୟେକ ଲୋକଙ୍କ ଦରମାରୁ ପ୍ରତିମାସ କିଛି ଟଙ୍କା EPF ଖାତାକୁ ଯାଏ । ଭବିଷ୍ୟତର ସୁରକ୍ଷା ପାଇଁ ଜମା ହେଉଥିବା ଏହି ଟଙ୍କା କେତେବେଳେ ଆପଣଙ୍କ ଅଜାଣତରେ ଏକ ‘ନିଷ୍କ୍ରିୟ’ ଖାତାରେ ପଡ଼ି ରହିଯାଇପାରେ । ସରକାରଙ୍କ ତଥ୍ୟ ଅନୁସାରେ, ଦେଶରେ ୨୦ ଲକ୍ଷରୁ ଅଧିକ EPF ଖାତା ନିଷ୍କ୍ରିୟ ହୋଇସାରିଛି । ଯଦି ଆପଣ ମଧ୍ୟ ଚାକିରି ବଦଳାଇଛନ୍ତି ଏବଂ ପୁରୁଣା PF ଟଙ୍କା ନୂଆ ଖାତାକୁ ଟ୍ରାନ୍ସଫର କରିନାହାନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ।
ରାଜ୍ୟସଭାରେ ଶ୍ରମ ଓ ରୋଜଗାର ରାଜ୍ୟମନ୍ତ୍ରୀ ଶୋଭା କରନ୍ଦଲାଜେ ଦେଇଥିବା ତଥ୍ୟ ଅନୁସାରେ, ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶରେ ୧୧,୭୨,୯୨୩ଟି ଇନଅପରେଟିଭ୍ EPF ଆକାଉଣ୍ଟ ଥିଲା । ୨୦୨୩-୨୪ରେ ଏହି ସଂଖ୍ୟା ବଢ଼ି ୨୧,୫୫,୩୮୭ରେ ପହଞ୍ଚିଛି । ଅର୍ଥାତ୍‌ ଚାରି ବର୍ଷ ମଧ୍ୟରେ ନିଷ୍କ୍ରିୟ EPF ଆକାଉଣ୍ଟ ସଂଖ୍ୟାରେ ପ୍ରାୟ ୮୪ ପ୍ରତିଶତ ବୃଦ୍ଧି ହୋଇଛି ।

କେବଳ ଆକାଉଣ୍ଟ ସଂଖ୍ୟା ନୁହେଁ, ଏହି ନିଷ୍କ୍ରିୟ ଆକାଉଣ୍ଟଗୁଡ଼ିକରେ ଥିବା ହାରାହାରି ଟଙ୍କା ମଧ୍ୟ ବଢ଼ିଛି । ୨୦୨୦-୨୧ରେ ପ୍ରତି ଇନଅପରେଟିଭ୍ ଆକାଉଣ୍ଟରେ ହାରାହାରି ୩୩,୫୧୩ ଟଙ୍କା ଥିବାବେଳେ, ୨୦୨୩-୨୪ରେ ଏହା ବଢ଼ି ପ୍ରାୟ ୩୯,୪୬୦ ଟଙ୍କା ହୋଇଛି ।

କାହିଁକି ନିଷ୍କ୍ରିୟ ହୋଇଯାଏ EPF ଆକାଉଣ୍ଟ ?

ସରକାରଙ୍କ ଅନୁସାରେ, ଚାକିରି ଛାଡ଼ିବା ପରେ କର୍ମଚାରୀ ପୁରୁଣା EPF ଆକାଉଣ୍ଟରୁ ଟଙ୍କା ଉଠାଇବା କିମ୍ବା ନୂଆ PF ଆକାଉଣ୍ଟକୁ ଟ୍ରାନ୍ସଫର କରିବା ପାଇଁ କ୍ଲେମ୍ ନକରିବା ଏହାର ଏକ ପ୍ରମୁଖ କାରଣ । ଏହାଛଡ଼ା KYC ଏବଂ ଆଧାର ସିଡିଂ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ମଧ୍ୟ କିଛି ଆକାଉଣ୍ଟ ନିଷ୍କ୍ରିୟ ଶ୍ରେଣୀରେ ପଡ଼ିପାରେ ।
ବିଶେଷକରି ଚାକିରି ବଦଳାଇବା ସମୟରେ ଅନେକ କର୍ମଚାରୀ ପୁରୁଣା PF ବାଲାନ୍ସକୁ ନୂଆ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ଭୁଲିଯାଆନ୍ତି । ଫଳରେ ପୁରୁଣା ଆକାଉଣ୍ଟରେ ଟଙ୍କା ପଡ଼ି ରହିଥାଏ ଏବଂ ଆକାଉଣ୍ଟର ଷ୍ଟାଟସ୍‌ ଯାଞ୍ଚ କରିବା ଆବଶ୍ୟକ ହୋଇପଡ଼େ ।

କିପରି ଜାଣିବେ ଆପଣଙ୍କ EPF ଷ୍ଟାଟସ୍?

ନିଜର ପୁରୁଣା କିମ୍ବା ବର୍ତ୍ତମାନର PF ଆକାଉଣ୍ଟର ତଥ୍ୟ ଅନଲାଇନ୍‌ରେ ସହଜରେ ଯାଞ୍ଚ କରିପାରିବେ । UAN ଏବଂ ପାସୱାର୍ଡ ବ୍ୟବହାର କରି EPFO ସଦସ୍ୟ ପୋର୍ଟାଲରେ ଲଗଇନ୍ କରନ୍ତୁ। ‘View’ ବିଭାଗକୁ ଯାଇ ‘Service History’ ଉପରେ କ୍ଲିକ୍ କଲେ ଆପଣଙ୍କ ପୁରୁଣା ଏବଂ ବର୍ତ୍ତମାନର PF ଆକାଉଣ୍ଟ ସମ୍ପର୍କରେ ତଥ୍ୟ ମିଳିପାରିବ ।

ଏହାଛଡ଼ା EPFO ପାସବୁକ୍‌ ମାଧ୍ୟମରେ PF ବାଲାନ୍ସ ଓ ଟ୍ରାଞ୍ଜାକ୍ସନ୍‌ ଦେଖିପାରିବେ। UMANG ଆପ୍‌ର ‘Employee Centric Services’ ବିଭାଗକୁ ଯାଇ ମଧ୍ୟ PF ସମ୍ପର୍କିତ ତଥ୍ୟ ଯାଞ୍ଚ କରିହେବ ।

ଆପଣଙ୍କ PF ଆକାଉଣ୍ଟ ନିଷ୍କ୍ରିୟ ଥିଲେ କ'ଣ କରିବେ ?

ଯଦି ଆପଣଙ୍କ ପୁରୁଣା PF ଆକାଉଣ୍ଟ ନିଷ୍କ୍ରିୟ ଦେଖାଯାଉଛି, ତେବେ ସେଥିରେ ଥିବା ଟଙ୍କାକୁ ଅବହେଳା କରନ୍ତୁ ନାହିଁ । ନୂଆ ଚାକିରିରେ ଯୋଗ ଦେଇଥିଲେ ପୁରୁଣା PF ବାଲାନ୍ସକୁ ନୂଆ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ଭଲ ।

ତେଣୁ ନିଜର ପୁରୁଣା PF ଆକାଉଣ୍ଟର ତଥ୍ୟ ଯାଞ୍ଚ କରନ୍ତୁ, UAN ସହିତ ଯୋଡ଼ା ଥିବା ସମସ୍ତ Member ID ଚେକ୍ କରନ୍ତୁ ଏବଂ ପୁରୁଣା PF ବାଲାନ୍ସକୁ ନୂଆ ଆକାଉଣ୍ଟକୁ ଟ୍ରାନ୍ସଫର କରାଇବାର ପ୍ରକ୍ରିୟା ପୂରଣ କରନ୍ତୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: