PPF Rules / ୧୫ ବର୍ଷ ପୂର୍ବରୁ କେବେ ଓ କିପରି ଉଠାଇପାରିବେ PPF ଟଙ୍କା ?

Key Points
୧୫ ବର୍ଷ ପୂର୍ବରୁ ବି ମିଳିବ ଟଙ୍କା PPF ର ବଡ଼ ନିୟମ ।
PPF ରେ ରହିଛି ଏହି ସୁବିଧା ଜରୁରୀ ସମୟରେ ଉଠାନ୍ତୁ ଟଙ୍କା ।
PPF ଖାତାଧାରୀ ସାବଧାନ ଜାଣି ରଖନ୍ତୁ ଟଙ୍କା ଉଠାଣ ନିୟମ ।
ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ବା PPF ଭବିଷ୍ୟତ ସୁରକ୍ଷା ପାଇଁ ଏକ ଲୋକପ୍ରିୟ ନିବେଶ ଯୋଜନା । ଅଧିକାଂଶ ଲୋକ ଏଥିରେ ଅଧିକ ସମୟ ପାଇଁ ଟଙ୍କା ଜମା କରନ୍ତି । PPF ର ମ୍ୟାଚୁରିଟି ଅବଧି ୧୫ ବର୍ଷ ହୋଇଥାଏ । ଅନେକ ଲୋକ ଭାବନ୍ତି ଯେ ୧୫ ବର୍ଷ ପୂର୍ବରୁ PPF ରୁ ଟଙ୍କା ଉଠାଇ ହେବ ନାହିଁ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ନୁହେଁ।
ଯଦି ଜରୁରୀ ଆବଶ୍ୟକତା ପଡ଼େ, ତେବେ ସରକାର PPF ରୁ ମ୍ୟାଚୁରିଟି ପୂର୍ବରୁ ମଧ୍ୟ ଟଙ୍କା ଉଠାଇବାର ସୁବିଧା ଦେଇଛନ୍ତି । ତେବେ ଏହାର ନିୟମ ସାଧାରଣ ସେଭିଂସ୍ ଆକାଉଣ୍ଟ ଭଳି ନୁହେଁ ।
୭ମ ବର୍ଷରୁ ଆରମ୍ଭ ହୁଏ ଆଂଶିକ ଉଠାଣ
PPF ରେ ଆଂଶିକ ଟଙ୍କା ଉଠାଇବାର ସୁବିଧା ୭ମ ଆର୍ଥିକ ବର୍ଷରୁ ଆରମ୍ଭ ହୁଏ । ଏଥିପାଇଁ ଆକାଉଣ୍ଟ ଖୋଲିବା ବର୍ଷ ପରେ ୫ଟି ଆର୍ଥିକ ବର୍ଷ ପୂରା ହୋଇଥିବା ଦରକାର ।
ଉଦାହରଣ ସ୍ୱରୂପ, ଯଦି ଆପଣ ୨୦୨୦-୨୧ ଆର୍ଥିକ ବର୍ଷରେ PPF ଆକାଉଣ୍ଟ ଖୋଲିଥିଲେ, ତେବେ ୨୦୨୬-୨୭ ଆର୍ଥିକ ବର୍ଷରୁ ଟଙ୍କା ଉଠାଇପାରିବେ ।
କେତେ ଟଙ୍କା ଉଠାଇପାରିବେ ?
PPF ରୁ ଟଙ୍କା ଉଠାଣ ପାଇଁ ଏକ ସୀମା ନିର୍ଦ୍ଧାରିତ ରହିଛି । ଏଥିପାଇଁ ଦୁଇଟି ବାଲାନ୍ସ ଦେଖାଯାଏ।
ପୂର୍ବ ଆର୍ଥିକ ବର୍ଷ ଶେଷରେ ଥିବା ବ୍ୟାଲାନ୍ସ
ଟଙ୍କା ଉଠାଇବା ବର୍ଷର ୪ ବର୍ଷ ପୂର୍ବର ବ୍ୟାଲାନ୍ସ
ଏହି ଦୁଇଟି ମଧ୍ୟରୁ ଯେଉଁ ରାଶି କମ୍ ହେବ, ତାହାର ୫୦ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ ।
ଉଦାହରଣ: ଯଦି ପୂର୍ବ ଆର୍ଥିକ ବର୍ଷ ଶେଷରେ PPF ରେ ୮ ଲକ୍ଷ ଟଙ୍କା ଅଛି ଏବଂ ୪ ବର୍ଷ ପୂର୍ବରୁ ୬ ଲକ୍ଷ ଟଙ୍କା ଥିଲା, ତେବେ ୬ ଲକ୍ଷକୁ ଆଧାର କରାଯିବ । ଅର୍ଥାତ୍ ସର୍ବାଧିକ ୩ ଲକ୍ଷ ଟଙ୍କା ଉଠାଇପାରିବେ । ଗୋଟିଏ ଆର୍ଥିକ ବର୍ଷରେ କେବଳ ଥରେ ହିଁ ଆଂଶିକ ଟଙ୍କା ଉଠାଇହେବ ।
୧୫ ବର୍ଷ ପରେ କଣ କରିପାରିବେ ?
PPF ର ମ୍ୟାଚୁରିଟି ୧୫ ବର୍ଷ । ଏହା ଆକାଉଣ୍ଟ ଖୋଲାଯାଇଥିବା ଆର୍ଥିକ ବର୍ଷ ଶେଷରୁ ଗଣନା କରାଯାଏ । ୧୫ ବର୍ଷ ପୂରା ହେବା ପରେ ଆପଣ ସୁଧ ସହିତ ସମ୍ପୂର୍ଣ୍ଣ ଟଙ୍କା ଉଠାଇପାରିବେ । ଯଦି ଟଙ୍କା ଉଠାଇବାକୁ ଚାହୁଁନାହାନ୍ତି, ତେବେ PPF କୁ ଆଗକୁ ଜାରି ରଖିପାରିବେ ।
ଏହାର ଦୁଇଟି ବିକଳ୍ପ ରହିଛି:-
ନୂଆ ଟଙ୍କା ଜମା ନକରି ଆକାଉଣ୍ଟ ଚାଲୁ ରଖିବା, ଯେଉଁଥିରେ ସୁଧ ମିଳିବ ।
ନିବେଶ ଜାରି ରଖିବାକୁ ଚାହିଲେ ୫ ବର୍ଷର ବ୍ଲକ୍ ଅବଧିରେ PPF ବଢ଼ାଇପାରିବେ ।
ସମୟ ପୂର୍ବରୁ PPF ବନ୍ଦ କରିବାର ନିୟମ
ସାଧାରଣତଃ ମ୍ୟାଚୁରିଟି ପୂର୍ବରୁ PPF ର ସମ୍ପୂର୍ଣ୍ଣ ଟଙ୍କା ଉଠାଇହେବ ନାହିଁ । କିନ୍ତୁ କିଛି ବିଶେଷ ପରିସ୍ଥିତିରେ ୫ ବର୍ଷ ପୂରା ହେବା ପରେ ଆକାଉଣ୍ଟ ବନ୍ଦ କରିହେବ ।
ଏଥିରେ ରହିଛି:-
ଗୁରୁତର ରୋଗର ଚିକିତ୍ସା
ଉଚ୍ଚ ଶିକ୍ଷା ପାଇଁ ଆବଶ୍ୟକତା
ଖାତାଧାରୀ NRI ହେବା
ତେବେ ଏପରି ସମୟରେ ସୁଧ ହାରରେ ୧ ପ୍ରତିଶତ କମିବାର ନିୟମ ରହିଛି ।
ଖାତାଧାରୀଙ୍କ ମୃତ୍ୟୁ ହେଲେ
ଯଦି PPF ଖାତାଧାରୀଙ୍କ ମୃତ୍ୟୁ ହୋଇଯାଏ, ତେବେ ୧୫ ବର୍ଷ ପୂରା ହେବାକୁ ଅପେକ୍ଷା କରିବାକୁ ପଡ଼େ ନାହିଁ । ଖାତାରେ ଥିବା ସମ୍ପୂର୍ଣ୍ଣ ରାଶି ନୋମିନି କିମ୍ବା ଆଇନଗତ ଉତ୍ତରାଧିକାରୀଙ୍କୁ ଦିଆଯାଏ । PPF ଏକ ଦୀର୍ଘମିଆଦୀ ନିବେଶ ଯୋଜନା । ଏହାକୁ ଦୈନନ୍ଦିନ ଖର୍ଚ୍ଚ ପାଇଁ ବ୍ୟବହାର କରିବା ଉଚିତ୍ ନୁହେଁ । କିନ୍ତୁ ଜରୁରୀ ସମୟରେ ଏଥିରେ ଥିବା ଟଙ୍କା ଉଠାଣ ସୁବିଧା ନିବେଶକଙ୍କ ପାଇଁ ବେଶ୍ ଉପଯୋଗୀ ହୋଇଥାଏ ।
📱 Get Argus News App
✨Related Topics
Explore more stories