Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Indian Airlines / ଇଣ୍ଡିଗୋ ଆଗରୁ... ଭାରତ ଆକାଶରୁ ଉଭେଇ ଯାଇଛନ୍ତି ୯ ଏୟାରଲାଇନ୍ସ

Sushanta Sahoo
Browse all articles by Sushanta Sahoo
·7 months ago·4 min read
ଇଣ୍ଡିଗୋ ଆଗରୁ... ଭାରତ ଆକାଶରୁ ଉଭେଇ ଯାଇଛନ୍ତି ୯ ଏୟାରଲାଇନ୍ସ
9 Indian Airlines That Vanished in 25 Years

Key Points

ବିଗତ ଅଢ଼େଇ ଦଶନ୍ଧିରେ ଭାରତ ଏଭଳି ୯ଟି ବିମାନ ସେବା ପ୍ରଦାନକାରୀ ସଂସ୍ଥା ଦେଖିଛି । ଯେଉଁମାନେ ଦିନେ ଚର୍ଚ୍ଚାରେ ଥିଲେ, ଭାରତର ବିମାନ ଚଳାଚଳ କ୍ଷେତ୍ରରେ ବିପ୍ଳବ ଆଣିଥିଲେ । କିନ୍ତୁ ସମୟ କ୍ରମେ ସେମାନେ ଏବେ ଇତିହାସ ।
ନୂଆଦିଲ୍ଲୀ: ଦୀର୍ଘ ବିଳମ୍ବରୁ ନେଇ ବିମାନ ବାତିଲ୍ ପର୍ଯ୍ୟନ୍ତ... ସପ୍ତାହେ ହେଲାଣି ଚର୍ଚ୍ଚାରେ ଇଣ୍ଡିଗୋ । ଏୟାରପୋର୍ଟରେ ଯାତ୍ରୀଙ୍କ ରାଗ ଅଭିମାନ ଚରମରେ ପହଞ୍ଚିଛି । ଯେଉଁ ଇଣ୍ଡିଗୋ ଦିନେ କମ୍ ମୂଲ୍ୟ ପାଇଁ ସମସ୍ତଙ୍କ ପ୍ରଥମ ପସନ୍ଦ ସାଜିଥିଲା ଆଜି ସେହି ଇଣ୍ଡିଗୋ ନାଁ ଶୁଣିଲେ ଯାତ୍ରୀ ତାତି ଉଠୁଛନ୍ତି ।

ସମୟାନୁବର୍ତ୍ତିତା ପାଇଁ ଦିନେ ଜଣାଶୁଣା ଥିଲା ଇଣ୍ଡିଗୋ । ଏବେ ଶତାଧିକ ବିମାନ ବାତିଲ ଓ ବିଳମ୍ବକୁ ନେଇ ମୁଣ୍ଡାଉଛି ଅପବାଦ । ଇଣ୍ଡିଗୋର ପରିଚାଳନାଗତ ତ୍ରୁଟି ପାଇଁ ଯାତ୍ରୀ କେତେ ଯେ ହନ୍ତସନ୍ତ ହେଉଛନ୍ତି ସୋସିଆଲ୍ ମିଡିଆ ଦେଖିଲେ ବାରି ହୋଇ ପଡ଼ୁଛି । ବିମାନବନ୍ଦରରେ ମାଳ ମାଳ ଲଗେଜ୍, ବୋର୍ଡିଂ ଗେଟ୍‌ରେ ଅସମ୍ଭାଳ ଭିଡ଼... କହୁଛି ଯାତ୍ରୀଙ୍କ ବେଦନା ।

ଯଦିଓ ଏବେ ଇଣ୍ଡିଗୋ ଭାରତର ସବୁଠୁ ବଡ଼ ଏୟାରଲାଇନ୍ । ୬୦ ପ୍ରତିଶତରୁ ଅଧିକ ମାର୍କେଟ ଇଣ୍ଡିଗୋ କବ୍‌ଜାରେ ରହିଛି । ଆଉ ବର୍ତ୍ତମାନ ଇଣ୍ଡିଗୋ ସଂକଟ ମନେ ପକାଇ ଦେଉଛି ଭାରତ ଦେଖିଥିବା ସେହି ସମୟକୁ... ଯେଉଁଠି ବିମାନ କ୍ଷେତ୍ରରେ ଥିଲା ଅସ୍ଥିରତା ଆଉ ଅସ୍ଥିରତା ।

ଏୟାରଲାଇନ୍ସ ଗୁଡ଼ିକ ଆକାଶରେ ଉଡ଼ନ୍ତି, ସୁନାମ ବି ଆଣି ଚର୍ଚ୍ଚାରେ ରୁହନ୍ତି । ପୁଣି ଆସେ ସେହିଦିନ... ଯେବେ ବିଗିଡ଼ି ଯାଏ ଆର୍ଥିକ ସ୍ଥିତି, ତୁଟିଯାଏ ସମ୍ପର୍କ । ଅଥବା ସମୟ ସହ ତାଳ ଦେଇ ପରିଚାଳନା ଶୈଳୀ ବଦଳାଇବାରେ ବିଫଳ ଯୋଗୁଁ ଉଚ୍ଚତାରେ ଉଡ଼ୁଥିବା ବିମାନ ହଠାତ ଭୂମିରେ ଧରାଶାୟୀ ହୋଇଯାଏ ।

ବିଗତ ଅଢ଼େଇ ଦଶନ୍ଧିରେ ଭାରତ ଏଭଳି ୯ଟି ବିମାନ ସେବା ପ୍ରଦାନକାରୀ ସଂସ୍ଥା ଦେଖିଛି । ଯେଉଁମାନେ ଦିନେ ଚର୍ଚ୍ଚାରେ ଥିଲେ, ଭାରତର ବିମାନ ଚଳାଚଳ କ୍ଷେତ୍ରରେ ବିପ୍ଳବ ଆଣିଥିଲେ । କିନ୍ତୁ ସମୟ କ୍ରମେ ସେମାନେ ଏବେ ଇତିହାସ । ସେହି ଏୟାରଲାଇନ୍ସ ଗୁଡ଼ିକର ଭୂମିକା ରହିଛି ଇଣ୍ଡିଗୋର ଉତ୍ଥାନ ପଛରେ । ଆସନ୍ତୁ ନଜର ପକାଇବା ୨୫ ବର୍ଷରେ ଭାରତ ଆକାଶରୁ ଉଭାନ ହୋଇ ଯାଇଥିବା ୯ ଏୟାରଲାଇନ୍ସ ଉପରେ ।...

୧) ଏୟାର ସାହାରା

ଇଣ୍ଡିଗୋ ପୂର୍ବରୁ ଏୟାର ସାହାରା ଥିଲା ଭାରତରେ ବଡ଼ ନାଁ । ୧୯୯୧ରେ ପ୍ରତିଷ୍ଠିତ ଏୟାର ସାହାରା ଉତ୍ତର ଭାରତରୁ ଅନ୍ତର୍ଜାତୀୟ ଉଡ଼ାଣକୁ ସୁଦୃଢ଼ କରିଥିଲା । ୨୦୦୭ରେ ଏୟାର ସାହାରାକୁ ୧୪୫୦ କୋଟିରେ କିଣି ନେଇତିଲା ଜେଟ୍ ଏୟାରୱେଜ୍ । ଆଉ ଏୟାର ସାହାରା ଜେଟ୍‌ଲାଇଟ୍ ନାଁରେ ପରିଚିତ ହୋଇଥିଲା । ୨୦୧୯ ଏପ୍ରିଲ୍‌ରେ ଦୁଇ କମ୍ପାନୀ ଭୁଶୁଡ଼ିବା ସହ ଏୟାର ସାହାରା ଲିଗାସୀରେ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ ।

୧) ଏୟାର୍ ଡେକ୍କାନ

୨୦୦୩ରେ ଆସିଥିବା ଏୟାର ଡେକ୍କାନ ଭାରତୀୟଙ୍କ ବିମାନ ଯାତ୍ରାର ଅନୁଭବକୁ ବଦଳାଇ ଦେଇଥିଲା । କ୍ୟାପଟେନ ଜି ଆର୍ ଗୋପୀନାଥଙ୍କ ବିଚକ୍ଷଣ ବୁଦ୍ଧି ଯୋଗୁଁ ଟ୍ରେନ୍ ଭଡ଼ାରେ ଲୋକେ ବିମାନରେ ଉଡ଼ିବାର ସୌଭାଗ୍ୟ ପାଇଥିଲେ । ଏଟିଆର୍ ୪୨ ଓ ୭୨ ଏୟାରକ୍ରାଫ୍ଟ ଭାରତର ଛୋଟ ସହରକୁ ଯୋଡ଼ୁଥିଲା । ସେତେବେଳେ ସାଧାରଣ ଲୋକଙ୍କ ଏୟାରଲାଇନ୍ ଥିଲା ଏୟାର ଡେକ୍କାନ । କିନ୍ତୁ ସେବାର ଦ୍ରୁତ ସମ୍ପ୍ରସାରଣ ପାଇଁ ପାଣ୍ଠି ନଥିଲା । ୨୦୦୮ରେ ଏୟାର ଡେକ୍କାନକୁ ଅଧିଗ୍ରହଣ କରିଥିଲା କିଙ୍ଗଫିସର । ପରେ କିଙ୍ଗଫିସର ବୁଡ଼ିବା ସହ ହଜି ଯାଇଥିଲା ଏୟାର ଡେକ୍କାନ ।

୩) ପାରାମାଉଣ୍ଟ ଏୟାରୱେଜ୍

ଭାରତୀୟ ବିମାନ ଇତିହାସରେ ସବୁଠୁ କମ୍ ଚର୍ଚ୍ଚାରେ ରହିଥିବା ନାଁ ହେଉଛି ପାରାମାଉଣ୍ଟ ଏୟାରୱେଜ୍ । ୨୦୦୫ରେ ଆସିଥିବା ଏହି କମ୍ପାନୀ କମ୍ ଦାମରେ ଦେଉଥିଲା ପ୍ରିମିୟମ୍ ସିଟ୍ । ଦକ୍ଷିଣ ଭାରତରେ ବ୍ୟବସାୟ ବିସ୍ତାର କରିଥିଲା । କିନ୍ତୁ ଆଇନ୍ ଜାଲରେ ଛନ୍ଦି ହେବା, ବକେୟା ନ ଦେବା ଏବଂ ଆର୍ଥିକ ପରିଚାଳନାଗତ ତ୍ରୁଟି ପାଇଁ ୨୦୧୦ରେ କମ୍ପାନୀ ଲାଇସେନ୍ସ ହରାଇ ଆଉ ଆକାଶକୁ ଫେରି ପାରି ନଥିଲା ।

୪) କିଙ୍ଗଫିସର ଏୟାରଲାଇନ୍ସ

ଭାରତର କର୍ପୋରେଟ୍ ଇତିହାସରେ ସବୁଠୁ ନାଟକୀୟ ମୋଡ଼ ନେଇ ଜନ୍ମ ନିଏ କିଙ୍ଗଫିସର ଏୟାରଲାଇନ୍ସ । ୨୦୦୫ରେ ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଆସେ, ଲାଉଞ୍ଜରୁ ନେଇ ଖାଦ୍ୟ ସବୁ କିଛି ଚର୍ଚ୍ଚା ସାଉଣ୍ଟେ । ଅନ୍ତର୍ଜାତୀୟ ଉଡ଼ାଣ ସହ ଏୟାର ଡେକ୍କାନକୁ ଅଧିଗ୍ରହଣ କରେ । ଲକଜୁରୀ ସେବା ସତ୍ତ୍ଵେ ଅଧିକ ଖର୍ଚ୍ଚ, ଅତ୍ୟଧିକ ତୈଳ ଦର, ପରିଚାଳନାଗତ ତ୍ରୁଟି ଯୋଗୁଁ କମ୍ପାନୀ ଆର୍ଥିକ କ୍ଷତିର ସମ୍ମୁଖୀନ ହୁଏ । ପାଇଲଟଙ୍କୁ ଦରମା ମିଳେନି, ଫ୍ଲାଇଟ୍ ସବୁ ଏୟାରପୋର୍ଟରେ ଛିଡ଼ା ହୋଇ ରୁହନ୍ତି । ବ୍ୟାଙ୍କ ଋଣ ୭ ହଜାର କୋଟିରୁ ଅଧିକ ଡେଇଁଯାଏ । ଶେଷରେ ୨୦୧୨ ଅକ୍ଟୋବରରେ ସରକାର ଲାଇସେନ୍ସ ରଦ୍ଦ କରି ଦିଅନ୍ତି ।

୫) ଜେଟ୍ ଏୟାରୱେଜ୍

୧୯୯୩ରେ ପ୍ରତିଷ୍ଠିତ ଜେଟ୍ ଏୟାରୱେଜ୍ ଦିନେ ଥିଲା ବିଶ୍ଵାସର ଅନ୍ୟ ନାଁ । ୨୦୦୭ରେ କମ୍ପାନୀ ଏୟାର ସାହାରକୁ ଅଧିଗ୍ରହଣ କରେ । କିନ୍ତୁ କମ୍ ବିମାନ ଭଡ଼ା ଓ ଅଧିକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରୁହେନି । ୨୦୧୯ ଏପ୍ରିଲ୍‌ରେ ସେବା ବାଧିତ ହୁଏ । ଶତାଧିକ ବିଡ୍ସ ସଫଳ ହୁଏନି । ୨୦୨୪ ନଭେମ୍ବରରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତି କମ୍ପାନୀ ବନ୍ଦ ପାଇଁ ।

୬) ଟ୍ରୁଜେଟ୍ (TruJet)

୨୦୧୫ରେ ଏଟିଆର୍ ଏୟାରକ୍ରାଫ୍ଟ ସହ ଟ୍ରୁଜେଟ୍ ଆଞ୍ଚଳିକ ସଂଯୋଗକୁ ଗୁରୁତ୍ଵ ଦେଇ ଆରମ୍ଭ ହୁଏ । ଟାୟାର-୨ ଏବଂ ଟାୟାର-୩ ସହରକୁ କବ୍‌ଜା କରିବାକୁ ଚେଷ୍ଟା କରେ । କିନ୍ତୁ କୋଭିଡ୍ ପାଇଁ କମ୍ପାନୀ ଆର୍ଥିକ କ୍ଷତିରେ ଡୁବିଯାଏ । ଶେଷରେ ୨୦୨୨ ଫେବ୍ରୁଆରୀରେ ବନ୍ଦ କରେ ସେବା ।

୭) ଗୋ ଫାର୍ଷ୍ଟ

୨୦୦୫ରୁ ଉତ୍ଥାନ ପତ୍ଥାନ ସହ ଉଡ଼ୁଥିବା ଗୋ ଫାର୍ଷ୍ଟ (ଗୋ ଏୟାର୍) ୨୦୨୩ରେ ବନ୍ଦ ହୋଇ ଯାଇଥିଲା । ଇଞ୍ଜିନରେ ସମସ୍ୟା ପାଇଁ ଅଧାରୁ ଅଧିକ ବିମାନ ଉଡ଼ି ପାରିନଥିଲା ।

୮) ଭିସ୍ତାରା

ଅନ୍ୟ ବିମାନ ପରି କ୍ଷତି ଯୋଗୁଁ ବନ୍ଦ ହୋଇ ନଥିଲା ଭିସ୍ତାରା । ୨୦୧୫ରେ ଟାଟା ସନ୍ସ ଏବଂ ସିଙ୍ଗାପୁର ଏୟାରଲାଇନ୍ସ ମିଳିତ ଭାବେ ଭିସ୍ତାରା ଆରମ୍ଭ କରିଥିଲେ । ଆଉ ଅଳ୍ପ ଦିନରେ ଯାତ୍ରୀଙ୍କ ଭରସା ଜିତିଥିଲା ଭିସ୍ତାରା । ୨୦୨୪ ନଭେମ୍ବରରେ ଏୟାର ଇଣ୍ଡିଆ ସହ ଭିସ୍ତାରାର ମିଶ୍ରଣ ହୋଇଥିଲା ।

୯) AIX କନେକ୍ଟ

AIX କନେକ୍ଟ ଅଳ୍ପ ସମୟରେ ଆକାଶରୁ ଗାଏବ ହୋଇ ଯାଇଥିଲା । ଏୟାରଇଣ୍ଡିଆକୁ ଟାଟା ଅଧିଗ୍ରହଣ ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ AIX କନେକ୍ଟ ମିଶି ୨୦୨୪ରେ ଗୋଟିଏ ବ୍ରାଣ୍ଡ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ପରିଣତ ହୋଇଥିଲା । ଏବେ AIX କନେକ୍ଟ ନଥିବା ବେଳେ ତାର ବିମାନ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ନେଟୱର୍କରେ ଉଡ଼ୁଛି ।

ଏଥିସହ ପଢ଼ନ୍ତୁ: ବିମାନ ଯାତ୍ରୀଙ୍କୁ ସହାୟତା ପାଇଁ ଆଗେଇ ଆସିଲା ରେଲୱେ: ୩୭ ଟ୍ରେନରେ ଯୋଡ଼ିଲା ୧୧୬ ଅତିରିକ୍ତ କୋଚ୍

ଆହୁରି ପଢ଼ନ୍ତୁ: ଶୀଘ୍ର ଟଳିବ ଇଣ୍ଡିଗୋ ସଂକଟ ! ପାଇଲଟ୍‌ଙ୍କ ସାପ୍ତାହିକ ବିଶ୍ରାମ ନିର୍ଦ୍ଦେଶ ପ୍ରତ୍ୟାହାର
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored