Videos
|
Business

UPI New Rules / UPI ନୂଆ ନିୟମ: ୨,୦୦୦ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନରେ ଲାଗିବ MDR, ସାଧାରଣ ଲୋକଙ୍କ ପାଇଁ ପୂରା ମାଗଣା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
UPI ନୂଆ ନିୟମ: ୨,୦୦୦ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନରେ ଲାଗିବ MDR, ସାଧାରଣ ଲୋକଙ୍କ ପାଇଁ ପୂରା ମାଗଣା
UPI New Rules

Key Points

୧୫ ଅକ୍ଟୋବରରୁ ବଦଳିବ UPI ନିୟମ
ମର୍ଚ୍ଚାଣ୍ଟଙ୍କୁ ଦେବାକୁ ପଡ଼ିବ ଚାର୍ଜ
UPIରେ ୩୦୦ ଟଙ୍କା ପର୍ଯ୍ୟନ୍ତ MDR !
UPI ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର । କାରଣ ଡିଜିଟାଲ୍ ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଏଣିକି ୨,୦୦୦ ଟଙ୍କାରୁ ଅଧିକ କିଛି ନିର୍ଦ୍ଦିଷ୍ଟ UPI ପେମେଣ୍ଟରେ ମର୍ଚ୍ଚାଣ୍ଟଙ୍କୁ ଦେବାକୁ ପଡ଼ିବ MDR । ତେବେ ଗ୍ରାହକଙ୍କ ପାଇଁ ୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI ପେମେଣ୍ଟ ରହିବ ସମ୍ପୂର୍ଣ୍ଣ ମାଗଣା । କେଉଁ ବ୍ୟବସାୟୀଙ୍କୁ ଦେବାକୁ ପଡ଼ିବ ଚାର୍ଜ, କେତେ ହେବ ଏହି ଫି ଏବଂ କାହିଁକି ନିଆଯାଉଛି ଏହି ନୂଆ ନିଷ୍ପତ୍ତି । ଆସନ୍ତୁ ଜାଣିବା...

ଡିଜିଟାଲ ପେମେଣ୍ଟରେ ଭାରତରେ UPI ଏକ ବଡ଼ ବିପ୍ଳବ ଆଣିଛି । ଏବେ ଏହି UPI ପେମେଣ୍ଟ ବ୍ୟବସ୍ଥାକୁ ନେଇ ଆସିଛି ଏକ ବଡ଼ ପରିବର୍ତ୍ତନ । ସରକାର UPIର କିଛି Personal-to-Merchant ବା P2M ଟ୍ରାଞ୍ଜାକ୍ସନ୍‌ରେ Merchant Discount Rate ବା MDR ଲାଗୁ କରିବାକୁ ଘୋଷଣା କରିଛନ୍ତି ।

ସେପ୍ଟେମ୍ବର ୧୫ରେ ହୋଇଥିବା UPI ପରିଚାଳନା କମିଟିର ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ନୂଆ ଫ୍ରେମୱାର୍କ ଅନୁସାରେ, ୨,୦୦୦ ଟଙ୍କାରୁ ଅଧିକ କିଛି ନିର୍ଦ୍ଦିଷ୍ଟ P2M ଟ୍ରାଞ୍ଜାକ୍ସନ୍‌ରେ ୦.୪ ପ୍ରତିଶତ ବା ୪୦ ବେସିସ୍ ପଏଣ୍ଟ MDR ଲାଗୁ ହେବ । ଏହି ନିୟମ ୧୫ ଅକ୍ଟୋବର ୨୦୨୬ରୁ ଲାଗୁ ହେବ ।


ତେବେ ଏଠାରେ ସବୁଠାରୁ ବଡ଼ କଥା ହେଉଛି—ଗ୍ରାହକଙ୍କୁ କୌଣସି ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ନାହିଁ । ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ UPI ମାଧ୍ୟମରେ ଟଙ୍କା ପଠାଇଲେ ମଧ୍ୟ ଏହି MDR ଲାଗୁ ହେବ ନାହିଁ । ଏହା କେବଳ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ P2M ପେମେଣ୍ଟରେ ଲାଗୁ ହେବ ।

କେଉଁ ବ୍ୟବସାୟୀଙ୍କୁ ଦେବାକୁ ପଡ଼ିବ ନାହିଁ MDR?

ନୂଆ ନିୟମ ଅନୁସାରେ, QR କୋଡ୍ ମାଧ୍ୟମରେ ପ୍ରତିମାସ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଛୋଟ ବ୍ୟବସାୟୀଙ୍କ ଉପରେ MDR ଲାଗୁ ହେବ ନାହିଁ । ଏହା ସହିତ ୨,୦୦୦ ଟଙ୍କାରୁ କମ୍ ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀମାନେ ମଧ୍ୟ MDRରୁ ବାଦ ପଡ଼ିବେ । କୁହାଯାଉଛି ଯେ ପ୍ରାୟ ୯୫ ପ୍ରତିଶତ ମର୍ଚ୍ଚାଣ୍ଟ ଏହି ଶ୍ରେଣୀରେ ରହିବେ । ଅର୍ଥାତ୍ ପ୍ରାୟ ୫ ପ୍ରତିଶତ ବ୍ୟବସାୟୀଙ୍କ ଉପରେ ହିଁ ଏହି ନୂଆ ଚାର୍ଜର ପ୍ରଭାବ ପଡ଼ିବ ।

୨,୦୦୦ରୁ ଅଧିକ ପେମେଣ୍ଟରେ କେତେ ଚାର୍ଜ ?

୨,୦୦୦ ଟଙ୍କାରୁ ଅଧିକ ଯେଉଁ ନିର୍ଦ୍ଦିଷ୍ଟ P2M ଟ୍ରାଞ୍ଜାକ୍ସନ୍‌ରେ MDR ଲାଗୁ ହେବ, ସେଠାରେ ହାର ୦.୪ ପ୍ରତିଶତ ରହିବ । କିନ୍ତୁ ଏହି ଚାର୍ଜର ସର୍ବାଧିକ ସୀମା ୩୦୦ ଟଙ୍କା ରଖାଯାଇଛି । ଉଦାହରଣ ସ୍ୱରୂପ, ୧୦,୦୦୦ ଟଙ୍କାର ପେମେଣ୍ଟ ଉପରେ ୦.୪ ପ୍ରତିଶତ ହିସାବରେ MDR ୪୦ ଟଙ୍କା ହେବ । ତେବେ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ୍ ହେଲେ ମଧ୍ୟ MDR ୩୦୦ ଟଙ୍କାରୁ ଅଧିକ ହେବ ନାହିଁ ।

ରେଳୱେ ଓ ଫ୍ୟୁଏଲ୍ ପେମେଣ୍ଟ ପାଇଁ ଅଲଗା ନିୟମ

ରେଲୱେ ଏବଂ ଫ୍ୟୁଏଲ୍ ଭଳି କିଛି ବିଶେଷ କ୍ୟାଟେଗୋରୀରେ ୨,୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୫ ଟଙ୍କାର ଫ୍ଲାଟ୍ ଫି ରହିବ । ଅର୍ଥାତ୍ ପେଟ୍ରୋଲ କିମ୍ବା ଡିଜେଲ୍ କିଣିବା ସମୟରେ UPI ମାଧ୍ୟମରେ ବଡ଼ ରାଶିର ପେମେଣ୍ଟ ହେଲେ ମଧ୍ୟ ବ୍ୟବସାୟୀଙ୍କ MDR ସର୍ବାଧିକ ୫ ଟଙ୍କା ରହିବ ।

କାହିଁକି ଲାଗୁ ହେଉଛି MDR ?

ସରକାରଙ୍କ ଯୁକ୍ତି ହେଉଛି, UPI ଏବେ ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଏକ ବିଶାଳ ଅଂଶ ହୋଇସାରିଛି । ଏହି ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ସହିତ ସାଇବର ସିକ୍ୟୁରିଟି, ଫ୍ରଡ୍ ରୋକିବା ଏବଂ ନୂଆ ଟେକ୍ନୋଲୋଜି ଓ ଇନୋଭେସନ୍‌ରେ ନିୟମିତ ନିବେଶ ଆବଶ୍ୟକ । 

କେବଳ ସରକାରୀ ସବସିଡି ଉପରେ ନିର୍ଭର କରି UPIକୁ ଦୀର୍ଘ ସମୟ ଧରି ଚଳାଇବା ସମ୍ଭବ ନୁହେଁ ବୋଲି ସରକାର ମତ ଦେଇଛନ୍ତି । ତେଣୁ MDR ମାଧ୍ୟମରେ ଏକ ନୂଆ ଫଣ୍ଡ ତିଆରି କରି UPIର ଭବିଷ୍ୟତ ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ଲକ୍ଷ୍ୟ ରହିଛି । ଏହା ସହିତ ଛୋଟ ବ୍ୟବସାୟୀ, ଷ୍ଟ୍ରିଟ୍ ଭେଣ୍ଡର ଏବଂ ଟିୟର୍-୩ ସହରରେ ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିକୁ ଅପଗ୍ରେଡ୍ କରିବା ପାଇଁ ଏକ ବିଶେଷ ଫଣ୍ଡ ଗଠନ କରାଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: