Videos
|
Business

Millionaire Becomes Monk / ୫୦ କୋଟିର କମ୍ପାନୀ ବିକ୍ରି କରି ସନ୍ନ୍ୟାସୀ ହେବେ ବ୍ୟବସାୟୀ ! ଜଙ୍ଗଲରେ କାଟିବେ ଜୀବନ

Santosh Kumar Sahoo
Browse all articles by Santosh Kumar Sahoo
·41 mins ago·2 min read
୫୦ କୋଟିର କମ୍ପାନୀ ବିକ୍ରି କରି ସନ୍ନ୍ୟାସୀ ହେବେ ବ୍ୟବସାୟୀ ! ଜଙ୍ଗଲରେ କାଟିବେ ଜୀବନ
Millionaire Becomes Monk

Key Points

କୋଟି କୋଟି ଟଙ୍କା ଛାଡ଼ି ସନ୍ନ୍ୟାସ !
ଜଙ୍ଗଲରେ ଧ୍ୟାନ କରିବେ କୋଟିପତି ବ୍ୟବସାୟୀ
ଟଙ୍କା ନୁହେଁ, ଶାନ୍ତି ଦରକାର !
କୁହାଯାଏ, ଟଙ୍କା ଓ ବ୍ୟବସାୟ ଜୀବନର ଶେଷ ଲକ୍ଷ୍ୟ ନୁହେଁ । ଯେଉଁ ବ୍ୟବସାୟ ଆପଣଙ୍କୁ କୋଟି କୋଟି ଟଙ୍କାର ମାଲିକ କରିଛି, ଦିନେ ହଠାତ୍ ସେହି ବ୍ୟବସାୟକୁ ବିକ୍ରି କରି ସବୁକିଛି ଛାଡ଼ି ଜଙ୍ଗଲରେ ଧ୍ୟାନ ଓ ସାଧନା କରିବାକୁ ଚାଲିଯିବେ—ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ । କିନ୍ତୁ ଏହାକୁ ସତ ପ୍ରମାଣିତ କରିଛନ୍ତି ଥାଇଲ୍ୟାଣ୍ଡର ବ୍ୟବସାୟୀ ସିରିପୋଙ୍ଗ ଅକ୍କାରାଶ୍ରିୟୁକ । କୋଟି କୋଟି ଟଙ୍କାର ବ୍ୟବସାୟ ଗଢ଼ିବା ପରେ ଏବେ ସେ ସବୁକିଛି ଛାଡ଼ି ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି ।

ସିରିପୋଙ୍ଗ ଥାଇଲ୍ୟାଣ୍ଡର ଲୋକପ୍ରିୟ ଆଇସକ୍ରିମ୍ ବ୍ରାଣ୍ଡ ହାୱେଲ୍ସ (Howeels)ର ଚେୟାରମ୍ୟାନ୍ । ସେ ନିଜ ବ୍ୟବସାୟକୁ ପ୍ରାୟ ୬ ମିଲିୟନ୍ ଡଲାରରୁ ଅଧିକ ମୂଲ୍ୟରେ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି । ଭାରତୀୟ ମୁଦ୍ରାରେ ଏହା ୫୦ କୋଟି ଟଙ୍କାରୁ ଅଧିକ । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ବ୍ୟବସାୟ ବିକ୍ରି କରି ସେ କୌଣସି ନୂଆ ବ୍ୟବସାୟ ନୁହେଁ ବରଂ ଜଙ୍ଗଲରେ ଧ୍ୟାନ ଓ ସାଧନା କରି ନିଜ ବାକି ଜୀବନ କଟାଇବାକୁ ପ୍ରସ୍ତୁତ ହେଉଛନ୍ତି ।

୧୯୯୯ରେ ଆରମ୍ଭ କରିଥିଲେ ଆଇସକ୍ରିମ୍ ବ୍ୟବସାୟ

ସିରିପୋଙ୍ଗ ୧୯୯୯ ମସିହାରେ ହାୱେଲ୍ସ ଆଇସକ୍ରିମ୍ ବ୍ରାଣ୍ଡ ଆରମ୍ଭ କରିଥିଲେ । ଏକ ସମୟରେ ଏହି ବ୍ରାଣ୍ଡ ଥାଇଲ୍ୟାଣ୍ଡରେ ବେଶ୍ ଲୋକପ୍ରିୟ ଥିଲା ଏବଂ ଏହାର ଅନେକ ଷ୍ଟୋର୍ ମଧ୍ୟ ରହିଥିଲା । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ବ୍ରାଣ୍ଡର ଆଉଟଲେଟ୍ ସଂଖ୍ୟା ଧୀରେ ଧୀରେ କମିଛି । ବର୍ତ୍ତମାନ ହାୱେଲ୍ସର କେବଳ ଗୋଟିଏ ସ୍ୱତନ୍ତ୍ର ଷ୍ଟୋର୍ ରହିଥିବା କୁହାଯାଉଛି ।

କ’ଣ କ’ଣ ବିକ୍ରି ହେବ ?

ସିରିପୋଙ୍ଗ ନିଜ ସମ୍ପୂର୍ଣ୍ଣ ବ୍ୟବସାୟର ମୂଲ୍ୟ ପ୍ରାୟ ୧୬୫ ମିଲିୟନ୍ ବାଟ୍ ଧାର୍ଯ୍ୟ କରିଛନ୍ତି । ଏହି ଡିଲ୍‌ରେ କେବଳ ଆଇସକ୍ରିମ୍ ବ୍ରାଣ୍ଡ ନୁହେଁ, ବ୍ୟବସାୟ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ମଧ୍ୟ ସାମିଲ ହେବ । ଏଥିରେ ପ୍ରାୟ ୨.୭୭ ଏକର ଜମି, ଅଫିସ୍, ଫ୍ୟାକ୍ଟ୍ରି, ହାୱେଲ୍ସ ଆଉଟଲେଟ୍, ଟ୍ରେଡ୍‌ମାର୍କ, ବ୍ୟବସାୟ ସମ୍ପର୍କିତ ଦକ୍ଷତା ଏବଂ ଆଇସକ୍ରିମ୍ ତିଆରିର ରେସିପି ମଧ୍ୟ ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାହିଁକି ବିକ୍ରି କରୁଛନ୍ତି କୋଟି କୋଟିର ବ୍ୟବସାୟ ?

ସିରିପୋଙ୍ଗ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ, କେବଳ ଆଧ୍ୟାତ୍ମିକ ଜୀବନ ବାଛିବା ପାଇଁ ସେ ବ୍ୟବସାୟ ବିକ୍ରି କରୁନାହାନ୍ତି । ହାୱେଲ୍ସର ବ୍ୟବସାୟକୁ ଆହୁରି ବଢ଼ାଇବାରେ ଆସୁଥିବା ସମସ୍ୟା ମଧ୍ୟ ଏହାର ଏକ ବଡ଼ କାରଣ ।

ତାଙ୍କ କହିବା ଅନୁସାରେ, ଗତ ଦୁଇ ବର୍ଷ ଧରି ଶପିଂ ମଲ୍‌ଗୁଡ଼ିକରେ ନୂଆ ଆଉଟଲେଟ୍ ଖୋଲିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଅନେକ ପୁରୁଣା ଲୋକ ମଲ୍ ଛାଡ଼ିଦେବା ପରେ ମଧ୍ୟ ହାୱେଲ୍ସକୁ ନୂଆ ଷ୍ଟୋର୍ ପାଇଁ ସ୍ଥାନ ମିଳିନଥିଲା । ଫଳରେ ଏକଦା ଲୋକପ୍ରିୟ ଥିବା ଏହି ବ୍ରାଣ୍ଡ ଏବେ କେବଳ ଗୋଟିଏ ସ୍ୱତନ୍ତ୍ର ଷ୍ଟୋର୍‌ରେ ସୀମିତ ହୋଇଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସିରିପୋଙ୍ଗ ହଠାତ୍ ଏହି ନିଷ୍ପତ୍ତି ନେଇନାହାନ୍ତି । ତାଙ୍କ କହିବା ଅନୁସାରେ, ପ୍ରାୟ ୧୫ ବର୍ଷ ପୂର୍ବରୁ ହିଁ ସେ ଜୀବନର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏବେ ସେ ବ୍ୟବସାୟିକ ଜୀବନକୁ ପଛରେ ପକାଇ ସନ୍ନ୍ୟାସୀ ହୋଇ ଜଙ୍ଗଲରେ ଧ୍ୟାନ ଓ ସାଧନା କରି ଜୀବନ ବିତାଇବାକୁ ଚାହୁଁଛନ୍ତି ।