Murder In USA / ଘରେ ପଶି ଭାରତୀୟ ଛାତ୍ରଙ୍କୁ ଗୁଳି କଲା ଆମେରିକା ପୋଲିସ

Key Points
ମହମ୍ମଦଙ୍କ ହାତରେ ଛୁରି ଥିବା ଦେଖି ପୋଲିସ ଅଧିକାରୀ ତାଙ୍କୁ ଘର ଭିତରେ ହିଁ ଗୁଳି କରି ଦେଇଥିଲେ । ମହମ୍ମଦ ଓ ତାଙ୍କ ବନ୍ଧୁ ଉଭୟଙ୍କୁ ପୋଲିସ ମେଡିକାଲ୍ ନେଇଥିବା ବେଳେ ମହମ୍ମଦଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ହାଇଦ୍ରାବାଦ: ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । ଘରେ ପଶି ଗୁଳି କଲା ପୋଲିସ । କାଲିଫର୍ଣ୍ଣିଆରେ ୩୦ ବର୍ଷୀୟ ଭାରତୀୟ ଛାତ୍ର ମହମ୍ମଦ ନିଜାମୁଦ୍ଦିନଙ୍କ ମୃତ୍ୟୁ ହୋଇଛି । ସେ ତେଲଙ୍ଗାନା ମହାବୁବନଗରର, ଆମେରିକାରେ କମ୍ପ୍ୟୁଟର ସାଇନ୍ସ ପଢ଼ିବା ସହ ଏକ ଟେକ୍ ଫାର୍ମରେ କାମ କରୁଥିଲେ ମହମ୍ମଦ ।
ଆମେରିକା ପୋଲିସ ଅନୁସାରେ, 'ସେପ୍ଟେମ୍ବର ୩ରେ କାଲିଫର୍ଣ୍ଣିଆର ସାନ୍ତା କ୍ଲାରାରୁ ଏକ କଲ୍ ଆସିଥିଲା । କଲ୍ କରିଥିବା ବ୍ୟକ୍ତି କହିଥିଲେ ତାଙ୍କ ରୁମ୍ ମେଟ ଛୁରିରେ ତାଙ୍କୁ ଆକ୍ରମଣ କରୁଛନ୍ତି ।' ଛୁରି ଭୂସିବାର ଖବର ପାଇ ମହମ୍ମଦ ରହୁଥିବା ଭଡ଼ା ଘରେ ପହଞ୍ଚିଥିଲା ପୋଲିସ ।
ଆଉ ମହମ୍ମଦଙ୍କ ହାତରେ ଛୁରି ଥିବା ଦେଖି ପୋଲିସ ଅଧିକାରୀ ତାଙ୍କୁ ଘର ଭିତରେ ହିଁ ଗୁଳି କରି ଦେଇଥିଲେ । ମହମ୍ମଦ ଓ ତାଙ୍କ ବନ୍ଧୁ ଉଭୟଙ୍କୁ ପୋଲିସ ମେଡିକାଲ୍ ନେଇଥିବା ବେଳେ ମହମ୍ମଦଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅନ୍ୟପଟେ ଗୁରୁତର ଆହତ ମହମ୍ମଦଙ୍କ ରୁମ୍ ମେଟଙ୍କ ଚିକିତ୍ସା ଚାଲିଛି ।
ଏଥିସହ ପଢ଼ନ୍ତୁ: ବାହାହେବାକୁ ଆମେରିକାରୁ ଆସିଥିଲେ ପଞ୍ଜାବ, ହେଲେ ଭାବିସ୍ଵାମୀ ନେଇଗଲେ ଜୀବନ
ଆମେରିକା ପୋଲିସ କହିଛି, 'ଜରୁରୀ ହେଲ୍ପଲାଇନ୍ ୯୧୧ରେ କଲ୍ ଆସିଥିଲା । ପୋଲିସ ପହଞ୍ଚିବା ବେଳକୁ ମହମ୍ମଦଙ୍କ ରୁମ୍ ମେଟ୍ ରକ୍ତାକ୍ତ ହୋଇ ପଡ଼ିଥିଲେ । ମହମ୍ମଦଙ୍କ ହାତରେ ଛୁରି ଥିଲା । ଆଉ ପୋଲିସ ଅଧିକାରୀ ଏନ୍କାଉଣ୍ଟର କରିଥିଲେ ।'
📱 Get Argus News App
✨
ମହମ୍ମଦଙ୍କ ମୃତ୍ୟୁ ଓ ଛୁରିମାଡ଼ ମାମଲାରେ ସ୍ଥାନୀୟ ସାନ୍ତା କ୍ଲାରା କାଉଣ୍ଟି ଜିଲ୍ଲା ଆଟର୍ଣ୍ଣି ଅଫିସ୍ ଓ ସାନ୍ତା କ୍ଲାରା ପୋଲିସ ମିଳିତ ଭାବେ ତଦନ୍ତ କରୁଛନ୍ତି । ଏବେ ବି ତଦନ୍ତ ଜାରି ରହିଛି, ତଦନ୍ତ ପରେ ନୂଆ ତଥ୍ୟ ମିଳିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ।
ତେବେ ମୃତ ମହମ୍ମଦଙ୍କ ପରିବାର ଲୋକଙ୍କ ଅନୁସାରେ, 'ଘଟଣା ଦିନ ମହମ୍ମଦ ନିଜକୁ ଅସୁରକ୍ଷିତ ମଣି ପୋଲିସକୁ ସାହାଯ୍ୟ ପାଇଁ ଫୋନ୍ କରିଥିଲେ । କିନ୍ତୁ ପୋଲିସ ସାହାଯ୍ୟ କରିବା ପରିବର୍ତ୍ତେ ମହମ୍ମଦଙ୍କୁ ଗୁଳି କରିଛି ।'
ତେଲଙ୍ଗାନାର ମହମ୍ମଦ ନିଜାମୁଦ୍ଦିନ ଫ୍ଲୋରିଡ଼ାର ଏକ କଲେଜରେ କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର ପଢ଼ିବା ସହ ସାନ୍ତା କ୍ଲାରାର ଏକ ଟେକ୍ ଫାର୍ମରେ କାମ କରୁଥିଲେ । ପରିବାର ଲୋକଙ୍କ ଅନୁସାରେ, 'ମହମ୍ମଦ ଥିଲେ ଶାନ୍ତ ସ୍ଵଭାବର ଓ ଧାର୍ମିକ । ଆମେରିକାରେ ସେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିଲେ । ଏପରିକି ଏଥିପାଇଁ ତାଙ୍କୁ ଚାକିରି ବି ହରାଇବାକୁ ପଡ଼ିଥିଲା ।'
ଆମେରିକା ପୋଲିସର ଏନକାଉଣ୍ଟର ପୂର୍ବରୁ ମହମ୍ମଦ ଏକ ଲିଙ୍କଡ୍ଇନ୍ ପୋଷ୍ଟ କରିଥିଲେ, ଯେଉଥିରେ ସେ ଲେଖିଥିଲେ 'ଆମେରିକାରେ ମୁଁ ବର୍ଣ୍ଣବୈଷମ୍ୟର ଶିକାର ହୋଇଛି । ଏଠାରେ ନିର୍ଯାତନା ଦିଆଯିବା ସହ ପାରିଶ୍ରମିକରେ ଭେଦଭାବ କରାଯାଉଛି । କଳା ରଙ୍ଗ ପାଇଁ ଚାକିରି ମଧ୍ୟ ଚାଲି ଯାଇଛି, ମୋତେ ନ୍ୟାୟ ଦିଆଯାଉ ।'
ଏବେ ମହମ୍ମଦଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ତଦନ୍ତ ଦାବି କିଛନ୍ତି । ପୁଅର ମୃତଦେହକୁ ଭାରତ ଆଣିବା ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସହାୟତା ଲୋଡ଼ିଛନ୍ତି ପରିବାର ଲୋକ । ଏବେ ମହମ୍ମଦଙ୍କ ମୃତଦେହ ଆଇନଗତ ପ୍ରକ୍ରିୟା ପାଇଁ ସାନ୍ତା କ୍ଲାରା ହସ୍ପିଟାଲ୍ରେ ରଖା ଯାଇଛି । ତେବେ ଏ ଘଟଣାରେ ତୁରନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା ମିଳି ନାହିଁ ।
Related Topics
Explore more stories