Tiger Skin Seized / ରାଜ୍ୟ ବାହାରେ ବାଘ ଶିକାର, ଛାଲ ବିକ୍ରି ପାଇଁ ରାଜଧାନୀରେ ଡିଲ୍ ବେଳେ ମାଡ଼ି ବସିଲା ପୋଲିସ

Key Points
ଭୁବନେଶ୍ଵର: ସୀମାନ୍ତ ରାଜ୍ୟରେ କରୁଥିଲେ ବାଘ ଶିକାର । ରାଜଧାନୀର ତାରକା ହୋଟେଲରେ ରହି ବାଘ ଛାଲ ବିକ୍ରି ପାଇଁ କରୁଥିଲେ ମୂଲଚାଲ । ଏନେଇ ଖବର ମିଳିବା ପରେ ମାଡ଼ି ବସିଛି ଓଡ଼ିଶା ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ । ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ କାବୁ କରିଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ ।
ପ୍ରେସମିଟ୍ରେ ସିପି କହିଛନ୍ତି, "ରାଜ୍ୟ ବାହାରେ ବାଘ ଶିକାର କରାଯାଇଛି । ସମ୍ଭବତଃ ରାଉରକେଲା ସୀମାନ୍ତରେ ଶିକାର କରାଯାଇଛି । ବାଘ ଛାଲ ପାଇଁ ୩୦ ଲକ୍ଷ ଟଙ୍କାରେ ଡିଲ୍ ଚାଲିଥିଲା । ବିଶେଷ ସୂତ୍ରରୁ ଖବର ପାଇ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ୩ ଜଣଙ୍କୁ ଧରିବାରେ ସଫଳ ହୋଇଛି ।"
ଏଥିସହ ପଢ଼ନ୍ତୁ: SI ପରୀକ୍ଷା କେଳେଙ୍କାରୀ; ମାରାଥନ୍ ଜେରା ପରେ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକ ଗିରଫ
ମୁଖ୍ୟ ଅଭିଯୁକ୍ତ ରୋହିତ ମହାପାତ୍ର ଘର ଖଣ୍ଡଗିରି ଅଞ୍ଚଳରେ । ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ମଞ୍ଜିତ ସାବତ ଓ ଶମ୍ଭୁ ବିଶୋୟୀ । ତେବେ ଓଡ଼ିଶା ବାହାରେ କେଉଁ ଜଙ୍ଗଲର ବାଘ ଶିକାର ହୋଇଛି ? ବାଘ ଶିକାର କିଏ କରିଛି ? ସେ ନେଇ ଏବେ ବନ୍ୟପ୍ରାଣୀ ଆଇନ୍ ଅନୁସାରେ ତଦନ୍ତ ଚାଲିଥିବା କହିଛନ୍ତି ପୋଲିସ କମିଶନର ।
ଏବେ ପୋଲିସ ଗିରଫ କରିଥିବା ୩ ଜଣ ହେଉଛନ୍ତି ଦଲାଲ । ବାଘ ଛାଲ ଡିଲ୍ ସଫଳ ହୋଇଥିଲେ ଦଲାଲଙ୍କୁ ୫ ଲକ୍ଷ ଟଙ୍କା ମିଳିଥାନ୍ତା ।
ମିଳିଥିବା ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ମାନେ ରାଜଧାନୀର ପ୍ରତିଷ୍ଠିତ ତାରକା ହୋଟେଲରେ ରହୁଥିଲେ । ହୋଟେଲରୁ ବାହାରି ସାଲିଆ ସାହି ବସ୍ତି ଭିତରେ କାରବାର କରିବା ବେଳେ ସ୍ପେଶାଲ କ୍ରାଇମ୍ ୟୁନିଟ୍ ୩ ଜଣଙ୍କୁ ମାଡ଼ି ବସିଛି । ଡିସିପି ଅନୁପ କାନୁନଗୋଙ୍କ ନେତୃତ୍ଵରେ ଟିମ୍ ଚଢ଼ାଉ କରିଥିଲା ।
ତେବେ ରାଜ୍ୟ ବାହାରେ ବାଘ ଶିକାର ପରେ ଛାଲ ଏଠାକୁ ଅଣାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର । ବାଘ ଶିକାରର ମୂଳକୁ ଯିବା ପାଇଁ ପୋଲିସ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ । ବାଘ ଶିକାର ପରେ ଶରୀରର ଅନ୍ୟ ଅଂଶକୁ କେଉଁଠାରେ ଓ କେତେ ଟଙ୍କାର ବିକ୍ରି କରାଯାଇଛି ସେ ଦିଗରେ ପୋଲିସ ଖୋଳତାଡ଼ କରିବ ।
ଏଥିସହ ପଢ଼ନ୍ତୁ: NHରେ ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା STF, ୨ ଗିରଫ
ସପ୍ତାହକ ତଳେ ସୁବର୍ଣ୍ଣପୁରରେ ବାଘ ଛାଲ ଡିଲ୍ ବେଳେ STF ୨ ଜଣଙ୍କୁ ଗିରଫ କରିଥିଲେ । ଜାତୀୟ ରାଜପଥ-୧୨୬ଏରେ ବାଛ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଥିଲା ଏସଟିଏଫ୍ । ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ STF ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଥିଲା ।
ସୋନପୁର ଥାନା ଅଧିନ ସୋନପୁର-ବରପାଲି ଜାତୀୟ ରାଜପଥ-୧୨୬ଏର ଅର୍ଜୁନପୁର ନିକଟରେ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଏନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଏସଟିଏଫ୍ । ଚଢ଼ାଉ ବେଳେ ଏକ ଏୟାର୍ ବ୍ୟାଗରୁ ମିଳିଥିଲା କଲରାପତରିଆ ବାଘ ଛାଲ ।
📱 Get Argus News App
✨Related Topics
Explore more stories