Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦେଶର ସେହି ସ୍ଥାନ ଯେଉଁଠି ହୁଏ ନାହିଁ ହନୁମାନଙ୍କ ପୂଜା

Devotion

Lord Hanuman Mythology / ଦେଶର ସେହି ସ୍ଥାନ ଯେଉଁଠି ହୁଏ ନାହିଁ ହନୁମାନଙ୍କ ପୂଜା

Subhramjit Ray
Browse all articles by Subhramjit Ray
·1 month ago·3 min read
ଦେଶର ସେହି ସ୍ଥାନ ଯେଉଁଠି ହୁଏ ନାହିଁ ହନୁମାନଙ୍କ ପୂଜା
Lord Hanuman Mythology

Key Points

ଦେଶରେ ଏପରି ଏକ ଗାଁ ରହିଛି ଯେଉଁଠି କଳିଯୁଗର ଦେବତା ହନୁମାନଙ୍କ ପୂଜାର୍ଚ୍ଚନା କରାଯାଏ ନାହିଁ।
Dronagiri Parvat relation with Lord Hanuman: ହିନ୍ଦୁ ଧାର୍ମିକ ମାନ୍ୟତା ଅନୁଯାୟୀ ହନୁମାନଙ୍କୁ କଳିଯୁଗର ଦେବତା କୁହାଯାଏ। ତାଙ୍କୁ ଅମର ବୋଲି ବିବେଚନା କରାଯାଏ। କାରଣ ସେ ଅଷ୍ଟ ଚିରଞ୍ଜିବୀ (ଅମର) ଙ୍କ ମଧ୍ୟରୁ ଅନ୍ୟତମ। ଯେତେବେଳେ ପ୍ରଭୁ ଶ୍ରୀରାମ ପୃଥିବୀ ଛାଡି ଚାଲି ଯାଉଥିଲେ, ସେତେବେଳେ ସେ ହନୁମାନଙ୍କୁ କଳିଯୁଗରେ ଧର୍ମର ସୁରକ୍ଷା ଏବଂ ଲୋକଙ୍କ କଲ୍ୟାଣ ସୁନିଶ୍ଚିତ କରିବାର ଦାୟିତ୍ୱ ଦେଇଥିଲେ। ପୌରାଣିକ ଯୁଗରୁ ଭାରତ ବର୍ଷର ପ୍ରତ୍ୟେକ କୋଣ ଅନୁକୋଣରେ ପ୍ରତ୍ୟେକ ସନାତନ ଧର୍ମାବଲମ୍ବୀ ଶକ୍ତି ଏବଂ ଭକ୍ତିର ଦେବତା ହନୁମାନଙ୍କୁ ଜୀବିତ ବୋଲି ବିଶ୍ୱାସ କରି ତାଙ୍କର ପୂଜା କରିଥାନ୍ତି। ଦେଶର ଗା ଗଣ୍ଡାରୁ ଆରମ୍ଭ ସହର ବଜାର ପର୍ଯ୍ୟନ୍ତ ସବୁଠି ହନୁମାନଙ୍କ ଆରାଧନା ହେଉଥିବା ବେଳେ ଉତ୍ତରାଖଣ୍ଡର ଦ୍ରୋଣଗିରି ଗ୍ରାମରେ ଦେଖିବାକୁ ମିଳିଥାଏ ଏହାର ବ୍ୟତିକ୍ରମ।

ଦେବଭୂମି ଭାବରେ ଜଣାଶୁଣା ଉତ୍ତରାଖଣ୍ଡର ଉଚ୍ଚ ହିମାଳୟ ଶିଖରରେ ଏକ ଗାଁ ରହିଛି। ଯାହାର ନାଁ ହେଉଛି ଦ୍ରୋଣଗିରି। ଏହି ଗ୍ରାମର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଆପଣ ଏଠାରେ ହନୁମାନଙ୍କ କୌଣସି ମନ୍ଦିର କିମ୍ବା ଭକ୍ତଙ୍କୁ ପାଇବେ ନାହିଁ। କାରଣ ଏଠାକାର ଲୋକେ ପବନ ପୁତ୍ର ହନୁମାନଙ୍କ ଉପରେ ଶହ ଶହ ବର୍ଷ ଧରି ନାରାଜ ଅଛନ୍ତି। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଦ୍ରୋଣଗିରି ପର୍ବତ ନିକଟରେ ରହୁଥିବା ଗ୍ରାମବାସୀଙ୍କ ହନୁମାନଙ୍କ ପ୍ରତି ଅସନ୍ତୋଷ ରାମାୟଣ କାଳର ଏକ ଘଟଣା ସହିତ ଜଡି଼ତ।

ଧାର୍ମିକ ମାନ୍ୟତା ଅନୁଯାଏ ଯେ ଲଙ୍କା ଯୁଦ୍ଧ ସମୟରେ ଯେତେବେଳେ ପ୍ରଭୁ ଶ୍ରୀରାମଙ୍କ ସାନ ଭାଇ ଲକ୍ଷ୍ମଣ ମୂର୍ଚ୍ଛିତ ହୋଇ ଯାଇଥିଲେ, ସେତେବେଳେ ଲଙ୍କାର ରାଜ ଚିକିତ୍ସକ ସୁଷେଣଙ୍କୁ ତାଙ୍କୁ ପୁନର୍ଜୀବିତ କରିବା ପାଇଁ ଡକାଯାଇଥିଲା। ତାଙ୍କ ପରାମର୍ଶରେ ହନୁମାନଙ୍କୁ ହିମାଳୟରୁ ସଞ୍ଜିବନୀ ଆଣିବା ପାଇଁ ପଠା ଯାଇଥିଲା। କୁହାଯାଏ ଯେ ଯେତେବେଳେ ହନୁମାନ ସଞ୍ଜିବନୀ ଔଷଧି ଆଣିବା ପାଇଁ ଦ୍ରୋଣଗିରି ପର୍ବତରେ ପହଞ୍ଚିଥିଲେ, ସେତେବେଳେ ସେ ଏହି ଜଡି଼ ବୁଟିକୁ ଚିହ୍ନି ପାରିନଥିଲେ।

ଏଭଳି ବିଷମ ପରିସ୍ଥିତିରେ ସେ ଦ୍ରୋଣଗିରି ପର୍ବତର ଏକ ସମ୍ପୂର୍ଣ୍ଣ ଅଂଶ ଉଠାଇ ନେଇ ଲଙ୍କା ଅଭିମୁଖେ ଉଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ସେହି ସମୟରୁ ହନୁମାନଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ସେମାନଙ୍କ ଯୁକ୍ତି ହେଉଛି ଯେ ବଜରଙ୍ଗବଳୀ ସେମାନଙ୍କ ଗ୍ରାମଦେବୀଙ୍କ ଅନୁମତି ବିନା ପବିତ୍ର ପର୍ବତକୁ ଉଠାଇ ନେଇଥିଲେ। ଏଠାକାର ଅଧିକାଂଶ ଲୋକ ସ୍ଥାନୀୟ ଗ୍ରାମ ଦେବୀଙ୍କ ଭକ୍ତ ବୋଲି କୁହାଯାଏ।

Also Read: Hanuman Jayanti Special / ପୃଥିବୀରେ କେଉଁଠି ନିବାସ କରନ୍ତି ପବନ ପୁତ୍ର? କ'ଣ ରହିଛି ଗନ୍ଧମାଦନ ପର୍ବତ ସହ ସମ୍ପର୍କ?

କେଉଁ କାରଣରୁ କରାଯାଏ ନାହିଁ ହନୁମାନଙ୍କ ପୂଜା?
ଉତ୍ତରାଖଣ୍ଡ ସ୍ଥିତ ବଦ୍ରିନାଥ ଧାମର ପୂର୍ବତନ ଧାର୍ମିକ ମୁଖ୍ୟ ପଣ୍ଡିତ ଭୁବନ ଚନ୍ଦ୍ର ଉନିଆଲ କହିଛନ୍ତି ଯେ ହନୁମାନ ଦ୍ରୋଣଗିରି ପର୍ବତର ଯେଉଁ ସ୍ଥାନକୁ ଉଠାଇ ନେଇଥିଲେ ସେଠାରେ ଆଜି ମଧ୍ୟ ଖାଲି ସ୍ଥାନ ରହିଥିବାର କୁହାଯାଏ। ଏଠାକାର ଲୋକେ କେବଳ ଛଅ ମାସ ପାଇଁ ଏଠାରେ ରହିଥାନ୍ତି। ଶୀତ ଆସିବା ସହିତ ଏହି ଅଞ୍ଚଳ ବରଫରେ ଆଚ୍ଛାଦିତ ହୋଇଯାଏ। ଯାହା ପରେ ଲୋକେ ଯୋଶୀମଠ, ନନ୍ଦ ପ୍ରୟାଗ, କର୍ଣ୍ଣ ପ୍ରୟାଗ ଆଦି ସ୍ଥାନକୁ ଚାଲିଯାନ୍ତି।

ସ୍ଥାନୀୟ ଲୋକ ଦ୍ରୋଣଗିରି ଗ୍ରାମରେ ଛଅ ମାସ ପାଇଁ ରହିଥାନ୍ତି, ସେତେବେଳେ ସେମାନେ ସେଠାରେ ହନୁମାନଙ୍କୁ ପୂଜା କରନ୍ତି ନାହିଁ। ହେଲେ ତଥାପି ଯେତେବେଳେ ସେମାନେ ଅନ୍ୟ ଅଞ୍ଚଳକୁ ଯାନ୍ତି, ସେମାନେ ସର୍ବଦା ରାମ ଦରବାର ସହିତ ହନୁମାନଙ୍କୁ ପୂଜା କରିଥାନ୍ତି। ହନୁମାନଙ୍କୁ ନେଇ ସ୍ଥାନୀୟ ଲୋକଙ୍କ ଅଶାନ୍ତି ଏତେ ଅଧିକ ଯେ ଏଠାରେ ରାମଲୀଳା ମଧ୍ୟ କରାଯାଏ ନାହିଁ। ଏନେଇ ସେମାନଙ୍କ କହିବା କଥା ଯେ ଯେତେବେଳେ ରାମଲୀଳା କରିବାକୁ ଚେଷ୍ଟା କରାଯାଇଛି, ସେତେବେଳେ କିଛି ନା କିଛି ଅପ୍ରୀତିକର ଘଟଣା ଘଟିଛି।

ସ୍ଥାନୀୟ ଲୋକ ଅନ୍ୟ କୌଣସି ସାଂସାରିକ ଦେବତା ଅପେକ୍ଷା ଦ୍ରୋଣଗିରି ପର୍ବତ ଉପରେ ଅଧିକ ବିଶ୍ୱାସ ରଖିଥାନ୍ତି। ସେମାନେ ଏହି ପର୍ବତକୁ ଏକ ଲୋକଦେବତା ଭାବରେ ପୂଜା କରନ୍ତି ଏବଂ ବିଶ୍ୱାସ କରନ୍ତି ଯେ ଆଜି ମଧ୍ୟ ଦ୍ରୋଣଗିରି ପର୍ବତ ନାରାଜ ରହିଛି। କାରଣ ହନୁମାନ ଏହାର ଏକ ଅଂଶକୁ ନେଇ ଯାଇଛନ୍ତି। ଲୋକଙ୍କ ବିଶ୍ୱାସ ଯେ ଯଦି କେହି ଏଠାରେ ହନୁମାନଙ୍କୁ ପୂଜା କରନ୍ତି, ତାହେଲେ କୌଣସି ଏକ ବଡ଼ ବିପଦ ଆସିପାରେ।








Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dronagiri: The Indian Village Where Lord Hanuman is Not Worshipped | Argus News