Vehicle of Maa Durga / ମା'ଙ୍କର କେଉଁ ବାହାନ ପୃଥିବୀ ପାଇଁ କେଉଁ ସଙ୍କେତ ଦିଏ , ଜାଣନ୍ତୁ ...

Key Points
ମାଆଙ୍କର ଯିବା ଆସିବାର ବାହନ ଏକା ହୋଇନଥାଏ । ବିଶ୍ଵାସ ରହିଛି ଯଦି ମାଆଙ୍କର ଯିବା ଆସିବାର ବାହାନ ଏକା ହୁଏ, ତେବେ ପୃଥିବାରେ ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ, ସାମାଜିକ ଅଶାନ୍ତି ଆଦି ଅନେକ ସମସ୍ୟା ଦେଖିବାକୁ ମିଳିଥାଏ ।
ଘଣ୍ଟଘଣ୍ଟା ,ହୁଳହୁଳି , ମଙ୍ଗଳ ଆଳତୀରେ ପ୍ରକମ୍ପିତ ହେଉଛି ଚତୁଃପାର୍ଶ୍ବ । ହସୁଛି ଧରା, ପୁଲକିତ ହେଉଛି ପ୍ରକୃତି । ଚଳଞ୍ଚଚଳ ହୋଇଉଠିଛି ପଲ୍ଲୀରୁ ଦିଲ୍ଲୀ । କାରଣ ଧରାପୃଷ୍ଠରେ ଅବତରଣ କରିଛି ଜଗତଜନନୀ ମାଆ ଦୁର୍ଗା ।
ଆନନ୍ଦ ଉଲ୍ଲାସରେ ମା' ଦଶଭୂଜାଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ପ୍ରତିଟି ଭକ୍ତ । ହେଲେ ଆପଣ ଜାଣିଛନ୍ତି କି, ମା' ଦୁର୍ଗା ପ୍ରତିବର୍ଷ ଭିନ୍ନ ଭିନ୍ନ ବାହନରେ ପୃଥିବୀକୁ ଅବତରଣ କରିଥାନ୍ତି । ଆଉ ହିନ୍ଦୁଧର୍ମ ଅନୁସାରେ ମାଆଙ୍କର ପ୍ରତିଟି ବାହାନର ଏକ ବିଶେଷ ଅର୍ଥ ପୃଥିବୀ ସହ ଜଡିତ ଥାଏ ।
ମାଆଙ୍କର ପ୍ରତିଟି ବାହନ ଆମର ଆଗାମୀ ବର୍ଷପାଇଁ ଏକ ବାର୍ତ୍ତା ଦେଇଯାଏ । ଯାହା ଦେଶର ଭୌଗଳିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ । ମାଆଙ୍କର ଯିବା ଆସିବାର ବାହନ ଏକା ହୋଇନଥାଏ । ବିଶ୍ଵାସ ରହିଛି ଯଦି ମାଆଙ୍କର ଯିବା ଆସିବାର ବାହାନ ଏକା ହୁଏ, ତେବେ ପୃଥିବାରେ ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ, ସାମାଜିକ ଅଶାନ୍ତି ଆଦି ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ମାଆଙ୍କର ସିଂହ ବାହାନକୁ ଆମେ ସମସ୍ତେ ଜାଣିଛନ୍ତି । ସିଂହ ମାଆଙ୍କର ସ୍ଥାୟୀ ବାହନ ଅଟେ । କିନ୍ତୁ ନବରାତ୍ରୀ ରେ ମାଆ ଅଲଗା ଅଲଗା ବାହନରେ ଆସିଥାନ୍ତି । ପ୍ରତିବର୍ଷ ମାଆ ଅଶ୍ଵ, ହାତୀ, ଡଙ୍ଗା , ପାଲିଙ୍କି ବାହାନରେ ଆସିଥାନ୍ତି । ତେବେ କେଉଁ ବାହନରେ ମାଆ ଆସିଲେ ତାହା ପୃଥିବୀ ପାଇଁ କେଉଁ ସଙ୍କେତ ଦିଏ, ଏବଂ ମାଆ କେଉଁ ବାହାନରେ ଆସୁଛନ୍ତି , ତାହା କିପରି ନିର୍ଦ୍ଧାରିତ ହୁଏ ଆସନ୍ତୁ ଜାଣିବା ।
ହାତୀ
ଦେବୀ ଦୁର୍ଗା ଯଦି ବାହନ ହାତୀ ଉପରେ ଧରାବତରଣ କରିଥାନ୍ତି, ତେବେ ଏହା ଧନ, ଶକ୍ତି ଏବଂ ସମୃଦ୍ଧିକୁ ପ୍ରତିନିଧିତ୍ଵ କରେ। ହାତୀ ଉପରେ ମା ଦୁର୍ଗାଙ୍କ ଆଗମନ ପ୍ରଚୁର ବର୍ଷା, ପ୍ରଚୁର ଫସଲ ଏବଂ ସାଧାରଣ ପାର୍ଥିବ ସମୃଦ୍ଧିର ସଙ୍କେତ, ଯାହା ସମସ୍ତଙ୍କୁ ଲାଭଦାୟକ କରିଥାଏ। ସମାନ ଭାବରେ, ହାତୀ ଉପରେ ତାଙ୍କର ପ୍ରସ୍ଥାନ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ, ଯାହା ଆଗାମୀ ବର୍ଷଗୁଡ଼ିକରେ ଅଧିକ ସମୃଦ୍ଧି ଏବଂ ଆଶୀର୍ବାଦର ସୂଚନା ଦେଇଥାଏ ।
ଘୋଡା
ହିନ୍ଦୁ ଧର୍ମଗର୍ନ୍ଥ ଅନୁସାରେ , ଦେବୀ ଦୁର୍ଗା ଅଶ୍ଵ ଉପରେ ଆସିବାର ଅର୍ଥ ଏହା ମାନବ ଜାତି ପାଇଁ ଏକପ୍ରକାର ବିପଦର ସଙ୍କେତ ଦେଇଥାଏ । ଅର୍ଥାତ, ମା ସମାଜରେ ଚାଲିଥିବା କଷ୍ଟ , ବିବାଦ, ଏବଂ ଅସ୍ଥିରତାକୁ ସାମନା କରିବାକୁ ଆହ୍ଵାନ ଦେଇଥାନ୍ତି । ଆଗକୁ ଯେଉଁ ବିପଦ ଆସୁଛି, ତାକୁ ସାହସ ଏବଂ ଦୃଢତାର ସହ ସାମ୍ନା କରିବାକୁ ପଡିବ ବୋଲି ମା ପ୍ରତିଟି ପୃଥିବୀବାସୀଙ୍କୁ ଚେତାବନୀ ଦେଇଥାନ୍ତି ।
ଅଧିକ ପଢନ୍ତୁ : ଧରାବରଣ କରିଛନ୍ତି ମା' ଦୁର୍ଗା, ଆଜି ପୀଠରେ ମହାନବମୀ ଓ ମଣ୍ଡପରେ ମା'ଙ୍କ ମହାଷ୍ଟମୀ ପୂଜା
📱 Get Argus News App
✨ପାଲିଙ୍କି
ଯଦି ମାଆ ପାଲିଙ୍କିରେ ଆଗମନ କରିଥାନ୍ତି, ଏହା ଏକ ପରିବର୍ତ୍ତିତ ପରିସ୍ଥିତିର ସୂଚନା ଦିଏ । ଅର୍ଥାତ ମହାମାରୀ , ଭୂମିକମ୍ପର ସୂଚନା ଦିଏ । ଏହି ବାହନରେ ମା'ଦୁର୍ଗାଙ୍କ ପ୍ରସ୍ଥାନ ମଧ୍ୟ ଦେଶରେ ଆଗାମୀ ବର୍ଷ ମହାମାରୀର ସଙ୍କେତ ଦେଇଥାଏ ।
ଡଙ୍ଗା
ମା' ଦୁର୍ଗାଙ୍କ ଡଙ୍ଗାରେ ଆଗମନକୁ ବହୁତ ଶୁଭ ମନେ କରାଯାଏ । ଏହା ପ୍ରଚୁର ଫସଲ, କୃଷିରେ ସଫଳତା ଏବଂ ବିଶ୍ୱ ଶାନ୍ତିର ପ୍ରତୀକ ଭାବେ ସୂଚାଇଥାଏ। ସେହିପରି, ତାଙ୍କର ଡଙ୍ଗାରେ ପ୍ରସ୍ଥାନ ମଧ୍ୟ ଆଗାମୀ ବର୍ଷ ସୁଖ ଏବଂ ସମୃଦ୍ଧିର ପ୍ରତୀକ ଅଟେ ।
ହିନ୍ଦୁଧର୍ମ ମତ ଅନୁଯାୟୀ, ମାଆ ଦୁର୍ଗା କେଉଁ ବାହନରେ ଆସିଥାନ୍ତି, ତାହା ନବରାତ୍ରୀ ଆରମ୍ଭର ପ୍ରଥମ ଦିନ ହିଁ ସ୍ଥିର ହୋଇଥାଏ । ଯଦି ନବରାତ୍ରୀ ଆରମ୍ଭର ପ୍ରଥମ ଦିନ ରବିବାର କିମ୍ବା ସୋମବାର ଥାଏ, ତେବେ ମାଆ ହାତୀ ଉପରେ ଆସିଥାନ୍ତି । ଯଦି ପ୍ରଥମ ଦିନ ମଙ୍ଗଳବାର କିମ୍ବା ଶନିବାର ହୋଇଥାଏ, ତେବେ ମାଆ ଘୋଡା ଉପରେ ଧରାବତରଣ କରିଥାନ୍ତି । ଯଦି ଗୁରୁବାର କିମ୍ବା ଶୁକ୍ରବାର ଥାଏ, ତେବେ ମାଆ ପାଲିଙ୍କିରେ ଧରାବତରଣ କରନ୍ତି । ଏବଂ ଯଦି ବୁଧବାର ଥାଏ, ତେବେ ମାଆ ଡଙ୍ଗାରେ ଧରାପୃଷ୍ଠକୁ ଆସିଥାନ୍ତି ।
ତେବେ ଚଳିତ ବର୍ଷ ନବରାତ୍ରୀର ଆରମ୍ଭ ୨୨ ସେପ୍ଟେମ୍ବର ଅର୍ଥାତ ସୋମବାର ଦିନରୁ ଆରମ୍ଭ ହୋଇଥିଲା । ସେଥିପାଇଁ ମାଆ ଦୁର୍ଗାର ହାତୀ ଉପରେ ପୃଥିବୀକୁ ଆଗମନ କରିଛନ୍ତି । ଯାହା ଆଗାମୀ ବର୍ଷ ପାଇଁ ସୁଖ ସମୃଦ୍ଧିର ସୂଚନା ଦେଉଛି ।
Related Topics
Explore more stories