ବିକାଶ ହୋଇପାରୁନି ବିଶ୍ବାବସୁଙ୍କ ପୂଜିତ ଲଳିତ ମାଧବ ମନ୍ଦିର

ଅର୍ଗସ ବ୍ୟୁରୋ : ବଣ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ଏହି ସୁନ୍ଦର ଲଳିତ ମାଧବ ମନ୍ଦିର । ପୂରାଣ ଅନୁଯାୟୀ , ଯେତେବଳେ ବିଶ୍ବାବସୁ ନୀଳମାଧବଙ୍କୁ ପୂଜା କରିବାକୁ ଯାଉଥିଲେ , ସେତେବଳେ ସେ ରାସ୍ତା କାହାକୁ ଜଣାନଥିଲା । ସେଥିପାଇଁ ତାଙ୍କ ଝିଅ ଲଳିତା ଏହିଠାରେ ନୀଳମାଧବଙ୍କୁ ପୂଜା କରୁଥିଲେ । କଣ୍ଟିଲୋ ନୀଳମାଧବ ମନ୍ଦିର ଠାରୁ ମାତ୍ର 4 କିମି ଦୂରରେ ଧାନଚାଙ୍ଗଡ଼ା ଗାଁ ରହିଛି । ସବର ରାଜା ବିଶ୍ବାବସୁ, ଲଳିତା ଓ ବିଦ୍ୟାପତିଙ୍କ ସହ ଜଡିତ ପୂରାଣ ପ୍ରସିଦ୍ଧ ସ୍ଥାନ ଶବରପଲ୍ଲୀ ଯାହାର ନାମ ଏବେ ଧାନଚାଙ୍ଗଡା। ଏହି ଗାଁକୁ ଲାଗି ରହିଛି ଧାଙ୍ଗେଡି ପାହାଡ । ସେହି ପାହାଡ ଉପରେ ରହିଛି ଲଳିତ ମାଧବ ମନ୍ଦିର । ହେଲେ ଏତେ ସୁନ୍ଦର ମନ୍ଦିର ଥାଇ ମଧ୍ୟ ମନ୍ଦିରକୁ ଯିବା ପାଇଁ ନା ଅଛି ଭଲ ରାସ୍ତା, ନା ହେଉଛି ରକ୍ଷଣା ବେକ୍ଷଣ । ଭକ୍ତମାନେ ବିଶ୍ରାମ ନେବାକୁ ଭଲ ଘରଟିଏ ମଧ୍ୟ ନାହିଁ। ଧୀରେ ଧୀରେ ମନ୍ଦିରର ଅନେକ ଜିନିଷ ଭାଙ୍ଗିବାକୁ ବସିଲାଣି ।
ଦିନେ ସେହି ଗାଁରେ ଶିକ୍ଷକତା କରୁଥିବା ଦେବରାଜ ଜେନାଙ୍କୁ ସ୍ବପ୍ନାଦେଶ ହେଲା । ଧାଙ୍ଗଡି ପାହାଡ଼ ଉପରେ ଲଳିତ ମାଧବଙ୍କ ମନ୍ଦିର ତୋଳାଇ ତାଙ୍କୁ ପୂଜା କରିବାପାଇଁ। ପରେ ସେ ନିଜ ପାରିଶ୍ରମିକରେ ମନ୍ଦିର ନିର୍ମାଣ କରିଥିଲେ । ପରେ ଏକ ପରିଚାଳନା କମିଟିକୁ ଦାୟିତ୍ଵ ହସ୍ତାନ୍ତର କରାଯାଛି। ଶୁଣାଯାଏ ପ୍ରଥମେ ଲୋକଲୋଚନ ଆଢୁଆଳରେ ଶବର ରାଜ ବିଶ୍ଵାବସୁ ନୀଳମାଧବଙ୍କୁ ଫଳମୂଳ ଦେଇ ପୂଜା କରୁଥିଲା। ପୁରାଣ ପ୍ରସିଦ୍ଧ ଲୁକାୟିତ ଭାବେ ଥିବା ବିଶ୍ବାବସୁ ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଜଡିତ ଏହି ସ୍ଥାନ ଏବେ ମଧ୍ୟ ଅନେକ ସ୍ଥାନରୁ ମିଳିଛି ଶବରଙ୍କ ଦ୍ବାରା ବ୍ୟବହୃତ ପଥର ନିର୍ମିତ ସାମଗ୍ରୀ ଠାରୁ ଆରମ୍ଭ କରି ଦେବା ଦେବୀଙ୍କ ମୂର୍ତ୍ତୀ, ଭଗ୍ନ ମନ୍ଦିରର ଅଂଶ ବିଶେଷ, ପ୍ରୋଟ ନାଗରୀ ଭାଷାରେ ଲିଖିତ ତାମ୍ର ଫଳକ ଏବଂ ଆହୁରି ଅନେକ ପୁରାଣ ବର୍ଣ୍ଣିତ ସାମଗ୍ରୀ । ମାତ୍ର ସଠିକ୍ ରକ୍ଷଣାବେକ୍ଷଣା ଅଭାବରୁ ଏସବୁ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି ।
ଅଧିକ ପଢନ୍ତୁ : କାଶୀର ରକ୍ଷକ କିଏ ?
📱 Get Argus News App
✨ଏହି ସ୍ଥାନରୁ ଅନେକ କିଛି ତଥ୍ୟ ମାଟି ତଳୁ ପାଇଛନ୍ତି । ଏ ସ୍ଥାନକୁ ପର୍ଯ୍ୟଟନ ସ୍ଥଳ ଘୋଷଣା ପାଇଁ ସର୍ଭେ ମଧ୍ୟ ଅନେକ ଥର ହେଇଛି କିନ୍ତୁ ଏବେ ଏହା ଲୁକାୟିତ ଅବସ୍ଥାରେ ରହିଛି । ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଲେ ଏହି ପୀଠର ବିକାଶ ସମ୍ଭବପର ହୋଇପାରିବ ଏବଂ ଏହି ପୀଠ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇପାରିବ ବୋଲି ଗ୍ରାମବାସୀ କହିଛନ୍ତି ।