Odisha Research Conclave / ଗବେଷଣା 'ଭୋକାଲ୍ ଫର୍ ଲୋକାଲ୍' ସହ ପାରମ୍ପରିକତା ଓ ପ୍ରଯୁକ୍ତି ବିଦ୍ୟାର ସମନ୍ୱୟ ଅଭିମୁଖୀ ହେବା ଆବଶ୍ୟକ

Key Points
ବ୍ରହ୍ମପୁର: ପାରମ୍ପରିକତା ସହ ପ୍ରଯୁକ୍ତିର ସମନ୍ୱୟ ରକ୍ଷା କରିବା ସହ ଗବେଷଣା ସ୍ଥାନୀୟ ବିଶେଷତ୍ୱକୁ ବିଶ୍ୱସ୍ତରରେ ପହଞ୍ଚାଇବା ଆଭିମୁଖ୍ୟ ହେବା ଉଚିତ । ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫ର ଦ୍ୱିତୀୟ ଦିନ କୁଳପତିଙ୍କ ସମ୍ମିଳନୀରେ ଏହି ମତ ପ୍ରକାଶ ପାଇଛି । ଏହାସହ ସ୍ଥାନୀୟ ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟର ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ସହଯୋଗିତା ଓ ସମନ୍ୱୟର ଆବଶ୍ୟକତା ରହିଥିବା କହିଛନ୍ତି ଅତିଥି ।
ପାରମ୍ପରିକତା ଓ ପ୍ରଯୁକ୍ତିର ସମନ୍ୱୟ ସଂପର୍କିତ ବିଷୟକୁ ନେଇ ଆୟୋଜିତ କୁଳପତିଙ୍କ ବୈଠକରେ ଏହି ମତ ପ୍ରକାଶ ପାଇଛି । ସମ୍ମିଳନୀର ଦ୍ୱିତୀୟ ଦିନର ପ୍ରଥମାର୍ଦ୍ଧରେ ସାମାଜିକ ବିଜ୍ଞାନ ସଂପର୍କିତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ଆରମ୍ଭ ହେଲା ରାଜ୍ୟ ଗବେଷଣାର ମହାକୁମ୍ଭ ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫
ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନିବେଦିତା ନାଥ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଲଜିତ ସିଂହ ପ୍ରମୁଖ ଯୋଗ ଦେଇଥିଲେ ।
କୃତ୍ତ୍ରିମ ବୁଦ୍ଧିମତା (AI) ଜ୍ଞାନକୌଶଳର ପ୍ରୟୋଗ କରି କିପରି ନବୀନତାପୂର୍ଣ୍ଣ ଗବେଷଣା କରିବା ସହ ଗବେଷଣା ଲୋକାଭିମୁଖୀ ହେବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଛି । କୁଳପତିଙ୍କ ବୈଠକ ସହ ଗବେଷଣାକୁ ଶିଳ୍ପାଭିମୁଖୀ କରିବା ପାଇଁ ଶିକ୍ଷାବିତ ଏବଂ ଶିଳ୍ପ ସଂସ୍ଥାର ବିଶେଷଜ୍ଞଙ୍କ ଏକ ମିଳିତ ବୈଠକ ଆୟୋଜିତ ହୋଇଥିଲା ।
ଶିଳ୍ପ–ଶିକ୍ଷା ସହଯୋଗରେ ଗବେଷଣାର ଅଗ୍ରଗତି ସଂପର୍କିତ ବିଷୟକୁ ନେଇ ଆୟୋଜିତ ଏହି ବୈଠକରେ ଭୁବନେଶ୍ୱର ସ୍ଥିତ ଭାରତୀୟ ପ୍ରବନ୍ଧନ ସଂସ୍ଥାନର ପ୍ରଧ୍ୟାପକ ପ୍ରଫେସର ସୁପ୍ରୀତି ମିଶ୍ର, ବିରଲା ଗ୍ଲୋବାଲ ୟୁନିଭରସିଟିର ଡିନ ଡକ୍ଟର ଅର୍ଚ୍ଚନା ଚୌଧୁରୀ, ଅଦାନୀ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଗୋପାଳପୁର ବନ୍ଦରର କର୍ପୋରେଟ୍ ସାମାଜିକ ଦାୟିତ୍ୱ (CSR) ମୁଖ୍ୟ ଦେବଦତ୍ତ ମିଶ୍ର, ଏସବିଆଇ ଆଞ୍ଚଳିକ ପ୍ରବନ୍ଧକ ହରିକୃଷ୍ଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।
ଶିଳ୍ପ ସଂସ୍ଥାର ବିଶେଷଜ୍ଞ ଓ ଶିକ୍ଷାବିତଙ୍କ ମିଳିତ ସହଯୋଗରେ ଗବେଷଣା ହେବା ଉଚିତ ଏବଂ ଏହି ଆଭିମୁଖ୍ୟ ସମୃଦ୍ଧ ଓଡ଼ିଶା ଗଠନ ସହ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ଦ୍ୱିତୀୟ ଦିନର ତୃତୀୟ ଆଲୋଚନା ବୈଠକ ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନକୁ ନେଇ ଆୟୋଜିତ ହୋଇଥିଲା । ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ସୁସମିତ ପ୍ରସାଦ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମଧୁମିତା ଦାସ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶତୃଘ୍ନ ପାଣିଗ୍ରାହୀ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଧ୍ୟାପିକା ପ୍ରଫେସର ସ୍ଵର୍ଣ୍ଣମୟୀ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।
ବୈଠକରେ ପେଶାଗତ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କ କୌଶଳ ବିକାଶ ଦିଗରେ ଜାତୀୟ ଶିକ୍ଷାନୀତି ଅନୁଯାୟୀ ପାଠ୍ୟକ୍ରମ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଛାତ୍ରଛାତ୍ରୀଙ୍କ ମାନିସକ ସହ ଭୌତିକ ବିକାଶ ଦିଗରେ ପାଠ୍ୟକ୍ରମରେ ବ୍ୟବସ୍ଥା କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା ।
ବୈଠକରେ ଯୋଗ ଦେଇଥିବା ସମସ୍ତ କୁଳପତି, ଶିକ୍ଷାବିତ, ଶିଳ୍ପ ସଂସ୍ଥାର ବିଶେଷଜ୍ଞଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସମ୍ମାନୀତ କରିଥିଲେ । ସମୃଦ୍ଧ ଓଡ଼ିଶା ଗଠନରେ ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫ ଏକ ଦିଗାନ୍ତକାରୀ ପଦକ୍ଷେପ ବୋଲି କୁଳପତି କହିଛନ୍ତି ।
ଏଥିସହ ପଢ଼ନ୍ତୁ: ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୫; ଯୋଗ ଦେବେ ୧୭ ବିଶ୍ଵବିଦ୍ୟାଳୟରୁ ୬୫୭ ଗବେଷକ, ଅଧ୍ୟାପକ ଓ ଶିକ୍ଷାବିତ
ଦ୍ଵିତୀୟାର୍ଦ୍ଧରେ ପ୍ରବନ୍ଧନ ଓ ସାମାଜିକ ବିଜ୍ଞାନ ବିଷୟ ସହ ସଂପର୍କିତ ବିଭିନ୍ନ ଗବେଷଣାତ୍ମକ ସନ୍ଦର୍ଭକୁ ପ୍ରଦର୍ଶିତ କରାଯାଇଥିଲା । ବିଶେଷଜ୍ଞମାନେ ସନ୍ଦର୍ଭକୁ ତର୍ଜମା କରିବା ପରେ ଆସନ୍ତାକାଲି ପ୍ରତି ବିଷୟରେ ଶ୍ରେଷ୍ଠ ସନ୍ଦର୍ଭକୁ ପୁରସ୍କୃତ କରାଯିବ । ଓଡ଼ିଶା ଗବେଷଣା ସମ୍ମିଳନୀର ଶେଷ ଦିନର ଆସନ୍ତାକାଲି ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ନର୍ଦ୍ଦେଶକମାନଙ୍କୁ ନେଇ ଆଲୋଚନା ବୈଠକ ଅନୁଷ୍ଠିତ ହେବ ।
ଏହାସହ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଶ୍ରେଷ୍ଠ ଗବେଷକମାନଙ୍କୁ ପୁରସ୍କୃତ କରାଯିବ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାମିଲନାଡୁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ପରାମର୍ଶଦାତା ପଦ୍ମଶ୍ରୀ ଏ.ପି. ଦାଶ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
📱 Get Argus News App
✨Related Topics
Explore more stories