Videos
|
Education & Employment

School Closed / ଲଗାଣ ବର୍ଷା ପାଇଁ ବଡ଼ ନିଷ୍ପତ୍ତି: ଆସନ୍ତାକାଲି ସବୁ ସ୍କୁଲ, କଲେଜ ବନ୍ଦ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ଲଗାଣ ବର୍ଷା ପାଇଁ ବଡ଼ ନିଷ୍ପତ୍ତି: ଆସନ୍ତାକାଲି ସବୁ ସ୍କୁଲ, କଲେଜ ବନ୍ଦ
School Closed

Key Points

ରାଜ୍ୟରେ ଲଗାଣ ବର୍ଷା ସମ୍ଭାବନା
କୁନି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ଵ
ସୋମବାର ସମସ୍ତ ସ୍କୁଲ ଛୁଟି ଘୋଷଣା
ମୟୂରଭଞ୍ଜ: ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଦିନ ସାରା ଝିପିଝିପି ବର୍ଷା ହେଉଥିବାବେଳେ ରାତି ଅଧିଆ ଛେଚୁଛି । ଲଗାଣ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ମଧ୍ୟ ଦେଖାଦେଇଛି । ଏହାରି ମଧ୍ୟରେ କିଛି ଜିଲ୍ଲାରେ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି । ଲଗାଣ ବର୍ଷାକୁ ନଜରରେ ରଖି ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି । ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ।

  • ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି
ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପାଳ ଆସନ୍ତାକାଲି (ସୋମବାର) ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ତେବେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିୟମିତ ଭାବେ ବିଦ୍ୟାଳୟରେ ଉପସ୍ଥିତ ରହି ସ୍ଥିତିର ଅନୁଧ୍ୟାନ କରିବେ ଏବଂ ଆବଶ୍ୟକ ପଡ଼ିଲେ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବେ । ଏନେଇ ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି ।

  • ଜଗତସିଂହପୁରରେ ବି ଛୁଟି
ଲଘୁଚାପ ଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି । ଆସନ୍ତାକାଲି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସହିତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ଏନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଏହାକୁ ଦୃଷ୍ଟିରେ ରଖି ଛୋଟ ଛୋଟ ଶିଶୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଏହି ନିର୍ଦ୍ଦେଶ ସମ୍ପର୍କରେ ICDS, ସ୍ୱତନ୍ତ୍ର ରିଲିଫ କମିଶନର, ସିଡିଓ, ସମସ୍ତ ବିଡିଓ, ତହସିଲଦାର ଏବଂ ସିଡିପିଓଙ୍କୁ ସୂଚନା ପଠାଯାଇଛି । ପାଣିପାଗର ସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ସତର୍କ ରହିବା ସହ ଆବଶ୍ୟକ ନହେଲେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛି ।

  • ତିର୍ତ୍ତୋଲରେ ପଶିଲା ବନ୍ୟା ପାଣି
ଜିଲ୍ଲାର ତିର୍ତ୍ତୋଲରେ ପ୍ରବେଶ କଲା ମହାନଦୀର ବନ୍ୟାଜଳ । ଲକଛକ ମୁଣ୍ଡାସାହିଠାରୁ ମଣିଜଙ୍ଗା ପର୍ଯ୍ୟନ୍ତ ଏହି ବନ୍ୟା ପାଣି ପ୍ରବେଶ କରିଛି । ଲକଛକ ମୁଣ୍ଡାସାହି ନିକଟରେ ପ୍ରାୟ ୨୦ରୁ ଅଧିକ ପରିବାର ଜଳବନ୍ଦୀ ହୋଇଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ସମୀକ୍ଷା କରିଛନ୍ତି ତିର୍ତ୍ତୋଲ ତହସିଲଦାର ଓ ଆରଆଇ । ପାଣି ଘେରରେ ଥିବା ଲୋକମାନଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦେବା ସହିତ ପାଣି ବଢ଼ିଲେ ଉଚ୍ଚ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ରିଲିଫ ସାମଗ୍ରୀ ଦିଆଯିବା ସହିତ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ପଢନ୍ତୁ ଏହି ଖବର: ରାଜ୍ୟରେ ବର୍ଷାର ତାଣ୍ଡବ; ୬ ଜିଲ୍ଲାକୁ ରେଡ୍ ଆଲର୍ଟ, ବନ୍ୟା ଆଶଙ୍କା

  • ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା
ଉତ୍ତର ପଶ୍ଚିମ ବଙ୍ଗୋପସାଗରର ତତସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶା ଉପକୂଳରେ ସକ୍ରିୟ ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଥିବା ବେଳେ ଆଜି ସକାଳେ ଅବପାତରେ ପରିଣତ ହୋଇଛି । ଏହା ଉତ୍ତର ପଶ୍ଚିମଦିଗକୁ ଗତି କରି ୨୪ ଘଣ୍ଟାରେ ଆହୁରି ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ୨୭ ଜୁଲାଇ ସକାଳ କିମ୍ବା ମଧ୍ୟାହ୍ନ ସୁଦ୍ଧା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପାରାଦୀପ ଓ ସାଗର ଦୀପ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ପ୍ରଭାବରେ ଆଗାମୀ ୪୮ ଘଣ୍ଟା ଯାଏ ଭୀଷଣ ବର୍ଷା ସମ୍ଭାବନା । ଜଗତସିଂହପୁର ସମେତ ୬ ଜିଲ୍ଲାକୁ ଅତ୍ୟଧିକ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜକୁ ମଧ୍ୟ ସୋମବାର ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored