ପ୍ରଥମ କେମୋଥେରାପି ପରେ କାମକୁ ଫେରିଲେ ହୀନା

ଅର୍ଗସ ବ୍ୟୁରୋ: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ହୀନା ଖାନ ନିକଟରେ ସ୍ତନକର୍କଟ ରୋଗରେ ପୀଡ଼ିତ ଥିବା ସୂଚନା ନିଜେ ଇନଷ୍ଟାଗ୍ରାମ ଜରିଆରେ ଦେଇଥିଲେ। କର୍କଟ ଚିକିତ୍ସା ଚାଲିଥିବା ସମୟରେ ସେ କେମୋଥେରାପିର ଏକ ରାଉଣ୍ଡ ଶେଷ କରିଛନ୍ତି।
କେମୋଥେରାପିର ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ହୀନା ହାର ମାନି ନଥିଲେ। ସେ ନିଜ ଉପରେ ଆତ୍ମବିଶ୍ବାସ ରଖିଥିଲେ ଓ ରଖିଛନ୍ତି ମଧ୍ୟ। ନିକଟରେ ସେ କାମକୁ ଫେରିଥିବା ସୂଚନା ମିଳିଛି। ହୀନା କେମୋଥେରାପିର ପ୍ରଥମ ପର୍ଯ୍ୟାୟ ଶେଷ କରିବା ପରେ ସୁଟିଂ ପାଇଁ ସେଟରେ ପହଞ୍ଚିଛନ୍ତି। ହୀନା କହିଛନ୍ତି, ” କେମୋଥେରାପି ପରେ ଏହାମୋର ପ୍ରଥମ ସୁଟ। ମୁଁ ଟିକିଏ ବିବ୍ରତ ଅଛି, କିନ୍ତୁ ସମସ୍ତେ ମୋତେ ସମର୍ଥନ କରୁଛନ୍ତି। ଷ୍ଟିଚ୍ ଲୁଚାଇବାକୁ ଚେଷ୍ଟା କରୁଛି ।
ଏତେ ବଡ଼ ରୋଗରେ ପୀଡ଼ିତ ଥାଇ ମଧ୍ୟ ହିନା ହାର ମାନି ନାହାନ୍ତି। ତାଙ୍କ ଆତ୍ମବିଶ୍ବାସ ବାସ୍ତବରେ ପ୍ରଶଂସାଯୋଗ୍ୟ। ତାଙ୍କ ଏହି ଆତ୍ମବିଶ୍ବାସ ଖୁବ ପ୍ରେରଣା ଯୋଗାଉଛି। ସାଧାରଣତଃ ଲୋକମାନେ ଶରୀରରେ କୌଣସି ସମସ୍ୟା ଦେଖାଗଲେ ଭାଙ୍ଗି ପଡ଼ିଥାଆନ୍ତି। ଆଗକୁ କିଛି କରି ପାରିବେ ନାହିଁ ବୋଲି ସବୁବେଳେ ଚିନ୍ତାରେ ଘାରି ହେଉଥାଆନ୍ତି। ଏଭଳି ଲୋକଙ୍କ ପାଇଁ ହିନାଙ୍କ କର୍କଟ ସହିତ ଲଢ଼ିବାର ଏହି ସାହାସ ପ୍ରେରଣା ନିଶ୍ଚୟ ଯୋଗାଇବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର