ସୈଫଙ୍କୁ ଆକ୍ରମଣ ଘଟଣା: ନିନ୍ଦା ସହ ଆରୋଗ୍ୟ କାମନା କଲେ ସେଲିବ୍ରିଟି

ଅର୍ଗସ ବ୍ୟୁରୋ: ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ ଘଟଣା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ଥିବା ଡାକ୍ତର ପ୍ରକାଶ କରିଛନ୍ତି। କଡା ସୁରକ୍ଷା ସତ୍ତ୍ୱେ ଅଭିନେତାଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ଫ୍ୟାନ୍ସ ଓ ସେଲିବ୍ରିଟି ହୋଇଛନ୍ତି ଚିନ୍ତା ପ୍ରକଟ କରିଛନ୍ତି । ଜୁନିଅର ଏନଟିଆରଙ୍କ ଠାରୁ ପୂଜା ଭଟ୍ଟଙ୍କ ଯାଏଁ ଅନେକ ତାରକା ଏହି ଘଟଣାକୁ ନିନ୍ଦା କରିଛନ୍ତି ଏବଂ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଜୁନିଅର ଏନଟିଆର ଅଭିନେତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, "ସୈଫ ସାରଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଶୁଣି ମୁଁ ଦୁଃଖିତ । ତାଙ୍କ ଶୀଘ୍ର ଆରୋଗ୍ୟ ଏବଂ ସ୍ୱାସ୍ଥ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ।" ସେହିପରି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ଚିରଞ୍ଜିବୀ । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ''ସୈଫଙ୍କ ଉପରେ ଦୁବୃର୍ତ୍ତଙ୍କ ଆକ୍ରମଣ ଖବର ଶୁଣି ଗଭୀର ଭାବରେ ମର୍ମାହତ ।
ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି ।'' ସୈଫଙ୍କ ଉପରେ ଆକ୍ରମଣ ଘଟଣାରେ ଅଭିନେତ୍ରୀ ପୂଜା ଭଟ୍ଟ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ଅଭିନେତ୍ରୀ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ପୋଷ୍ଟ କରି ଲେଖିଛନ୍ତି, 'ଆଇନ ଏବଂ ବ୍ୟବସ୍ଥା । ଆମ ପାଖରେ ଆଇନ ଅଛି...ବ୍ୟବସ୍ଥା କ'ଣ ?' ଦ୍ୱିତୀୟ ଟ୍ୱିଟରେ ସେ ଲେଖିଛନ୍ତି- 'ମୁମ୍ବାଇ ପୋଲିସ ଏହାକୁ ନିୟନ୍ତ୍ରଣ କରିପାରିବ କି? ବାନ୍ଦ୍ରାରେ ଆମକୁ ଅଧିକ ପୋଲିସ ଅଧିକାରୀ ଦରକାର । ଆହୁରି ଅନେକ ସେଲିବ୍ରେଟି ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ସୈଫଙ୍କ ଆରୋଗ୍ୟ କାମନା କରିଛନ୍ତି।
ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କେହି ଦୁର୍ବୃତ୍ତ ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ତାଙ୍କ ମେଡ୍ ସହ ଯୁକ୍ତିତର୍କ କରୁଥିଲା । ସେହି ସମୟରେ ସୈଫ ଆସିବାରୁ ସେ ଛୁରାମାଡ଼ କରିଥିଲା । ସୈଫଙ୍କ ସର୍ଜରୀ ପରେ ଚିକିତ୍ସା କରୁଥିବା ଡାକ୍ତର ନୀତିନ ଡଙ୍ଗେ କହିଛନ୍ତି, ସୈଫ ଅଲ୍ଲୀ ଖାନଙ୍କ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ମେରୁଦଣ୍ଡରେ ଲାଗି ରହିଥିବା ଅଢ଼େଇ ଇଞ୍ଚ୍ର ଛୁରିକୁ ଅପରେସନ୍ ପରେ କଢ଼ା ଯାଇଛି । ବାମ ହାତ ଓ ବେକରେ ବି ଗଭୀର ଆଘାତ ଲାଗିଛି । ବେକରେ ଲାଗିଥିବା ଆଘାତର ପ୍ଲାଷ୍ଟିକ ସର୍ଜରୀ କରାଯାଇଛି ।
📱 Get Argus News App
✨ଏବେ ସୈଫ ସମ୍ପୂର୍ଣ୍ଣ ସୁସ୍ଥ ଓ ବିପଦ ମୁକ୍ତ ଥିବା କହିଛନ୍ତି ଡାକ୍ତର । ସେପଟେ ସୈଫଙ୍କ ଘରକୁ ଦୁର୍ବୃତ୍ତ କେମିତି ପଶିଲେ ? ସେନେଇ ପୋଲିସ ଖୋଳତାଡ଼ କରୁଥିବା ବେଳେ ସିସିଟିଭି ଯାଞ୍ଚ କରି ଜଣଙ୍କୁ ଅଟକ ରଖିଛି । ପ୍ରାରମ୍ଭିକ ଯାଞ୍ଚ ଅନୁସାରେ, ଆକ୍ରମଣକାରୀ ପୂର୍ବରୁ ଉକ୍ତ ଫ୍ଲୋରରେ ଥିବା କିମ୍ବା ପାଇଖାନା ଟାଙ୍କି ପାଇପ୍ରେ ଚଢ଼ି ଉପରକୁ ଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଅନୁସାରେ, ଛୁରାମାଡ଼ କରିଥିବା ଦୁର୍ବୃତ୍ତ ଚୋରି କରିବାକୁ ଆସିଥିଲା । ଘରର ସଦସ୍ୟ ଉଠିଯିବାରୁ ସେ ଖସି ପଳାଇଛି । ପୋଲିସ ମାମଲା ରୁଜୁ କରି ଦୁର୍ବୃତ୍ତଙ୍କୁ ଧରିବା ଲାଗି ଏକାଧିକ ଟିମ୍ ଗଠନ କରିଛି । ପୋଲିସ ମୁମ୍ବାଇ କ୍ରାଇମବ୍ରାଞ୍ଚ ମଧ୍ୟ ସମାନ୍ତରାଳ ଭାବେ ତଦନ୍ତ ଆରମ୍ଭ କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: