Videos
|
Entertainment

ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସାଧୁ ମେହେରଙ୍କ ୮୪ ବର୍ଷ ବୟସରେ ପରଲୋକ

Ritu Das
Browse all articles by Ritu Das
·2 years ago·2 min read
ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସାଧୁ ମେହେରଙ୍କ ୮୪ ବର୍ଷ ବୟସରେ ପରଲୋକ

ଅର୍ଗସ ବ୍ୟୁରୋ: ପଦ୍ମଶ୍ରୀ ସମ୍ମାନିତ ଅଭିନେତା, ନିର୍ଦ୍ଦେଶକ, ଲେଖକ ଓ ପ୍ରଯୋଜକ ସାଧୁ ମେହେରଙ୍କ ପରଲୋକ ହୋଇଛି। ୮୪ ବର୍ଷ ବୟସରେ ମୁମ୍ବାଇରେ ସାଧୁ ମେହେରଙ୍କ ପରଲୋକ ନେଇ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୧୯୬୯ ମସିହାରେ ସେ ‘ଭୂବନ ସୋମ୍‌’ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ। ଏଥିରେ ସେ ଏକ ମୂକ ପକ୍ଷୀଧରାଳି ଚରିତ୍ରରେ ଅଭିନୟ କରିଥିଲେ। ଏହା ପରେ ସେ ଆଉ ପଛକୁ ଚାହିଁ ନଥିଲେ। ୧୯୭୪ର ଚଳଚ୍ଚିତ୍ର ଅଙ୍କୁର ତାଙ୍କୁ ଜାତୀୟ ସ୍ଥରରେ ଜଣେ ଭଲ ଅଭିନେତାର ସ୍ୱୀକୃତି ଦେଇଥିଲା। ସାଧୁ ମେହେର୨୮ରୁ ଅଧିକ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ଇଛା ପୂରଣ, ୨୭ ଡାଉନ୍, ମନ୍ଥନ, ଦେବଶିଶୁ, ନିଶାନ୍ତ, ସଫେଦ ହାତୀ, ମୃଗୟା, ଚରାଚର, ଉତ୍ତରଣ ଆଦି ହିନ୍ଦୀ ଚଳଚ୍ଚିତ୍ର ସେଥି ମଧ୍ୟରୁ ଅନ୍ୟତମ। ୧୯୭୭ ମସିହାରେ ସେ ନିଜ ପ୍ରଥମ ଓଡ଼ିଆ କଥାଚିତ୍ର ‘ଅଭିମାନ’ଣ ନିର୍ଦ୍ଦେଶନା କରିଥିଲେ, ଅଭିମାନ ଥିଲା ଅଭିନେତା ଉତ୍ତମ ମହାନ୍ତିଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ତାପରେ, ସେ ଅଭିଳାଷ, ଅପରିଚିତା, ଗୋପରେ ବଢୁଛି କଳାକହ୍ନେଇ ଆଦି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ଶୀତରାତି, ଭୁଖା ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସେ ନିଖୁଣ ଅଭିନୟ କରିଛନ୍ତି। ‘ହମ୍‌ ଆପ୍‌କେ ଦିଲ୍‌ ମେ ରହତେ ହେଁ’ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନ ଛୁଇଁଥିଲା।

ସାଧୁ ମେହେର ଉଭୟ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ରରେ ଦକ୍ଷ ଅଭିନୟ କରିଥିଲେ। ୧୯୪୦ ଜାନୁଆରି ୧ ତାରିଖରେ ସେ ବୌଦ୍ଧ ଜିଲ୍ଲା ଗୁଡଭେଲିପଦର ଗ୍ରାମରେ ଏକ ବୁଣାକାର ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କ ପିତା ଜଣେ ବୁଣାକାର ଥିଲେ। ସୋନପୁର ସହରରେ ସେ ନିଜର ବିଦ୍ୟାଳୟ ଶିକ୍ଷା ଆରମ୍ଭ କରିଥିଲେ। ପିଲାଦିନରୁ ସେ ଅଭିନୟ ପ୍ରତି ଆକର୍ଷିତ ଥିଲେ। ତେଣୁ ଅଭିନୟରେ ସେ ଏପରି ମଗ୍ନ ଥିଲେ ଯେ, ମଞ୍ଚରେ ଅଭିନୟ କରୁଥିବା ସମୟରେ ତାଙ୍କୁ ପିତାଙ୍କ ମୃତ୍ୟୁଖବର ମିଳିଥିଲା। କିନ୍ତୁ ସେ ମଞ୍ଚଛାଡ଼ି ନଯାଇ ଅଭିନୟ ସମାପ୍ତ କରିଥିଲେ। ସ୍ନାତକ ଶିକ୍ଷାପରେ, ସେ ଅଭିନୟରେ ଡିପ୍ଲୋମା କରିବା ପାଇଁ କୋଲକାତାର ରବୀନ୍ଦ୍ର ଭାରତୀ ଯାଇଥିଲେ। ସେଠାରେ, ମଞ୍ଚ ଓ ସିନେମା ପ୍ରଭାବରେ ତାଙ୍କ ଜୀବନର ଗତିପଥ ପରିବର୍ତ୍ତନ ହୋଇଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Eminent actor-director | Argus News