Hrithik Roshan / ଛାଡ଼ପତ୍ର ପରେ ବି ସୁଜୈନଙ୍କ ସହ ହ୍ରିତିକଙ୍କ ସମ୍ପର୍କ, ଏକ୍ସ-ୱାଇଫ୍ଙ୍କ ଜନ୍ମଦିନରେ କହିଲେ...

Key Points
ଏକ୍ସ-ୱାଇଫ୍ଙ୍କ ଜନ୍ମଦିନରେ ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା ।
ପ୍ରଥମ ସ୍ତ୍ରୀ'କୁ ଏମିତି କହିଲେ ହ୍ରିତିକ...
ବଲିଉଡ୍ର ଲୋକପ୍ରିୟ ଅଭିନେତା ହ୍ରିତିକ ରୋଶନ ଏବଂ ତାଙ୍କ ପୂର୍ବତନ ପତ୍ନୀ ସୁଜୈନ ଖାନଙ୍କ ମଧ୍ୟରେ ଛାଡ଼ପତ୍ର ପରେ ମଧ୍ୟ ରହିଛି ଏକ ନିବିଡ଼ ସମ୍ପର୍କ । ଉଭୟ ନିଜ ନିଜ ଜୀବନରେ ଆଗକୁ ବଢ଼ିଥିଲେ ମଧ୍ୟ ପରସ୍ପରର ସୁଖଦୁଃଖରେ ସାଥୀ ହୋଇ ରହିଛନ୍ତି । ଏବେ ସୁଜୈନଙ୍କ ଜନ୍ମଦିନ ଅବସରରେ ହ୍ରିତିକ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ ସେୟାର କରିଛନ୍ତି, ଯାହା ପ୍ରଶଂସକଙ୍କ ମନ ଜିଣିଛି ।
ସୁଜୈନଙ୍କ ପାଇଁ କ’ଣ ଲେଖିଲେ ହ୍ରିତିକ ?
ହ୍ରିତିକ ରୋଶନ ନିଜ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୁଜୈନଙ୍କ କିଛି ପୁରୁଣା ତଥା ଅପ୍ରକାଶିତ ଫଟୋ ସେୟାର କରିଛନ୍ତି । କେତେକ ଫଟୋରେ ସୁଜୈନ ନିଜର ଦୁଇ ପୁଅଙ୍କ ସହ ସ୍ନେହଭରା ମୁହୂର୍ତ୍ତ ବିତାଉଥିବା ଦେଖାଯାଇଛି । ଆଉ କେତେକ ଫଟୋରେ ହ୍ରିତିକ ଓ ସୁଜୈନ ନିଜ ପୁଅମାନଙ୍କ ସହ ଖୁସିରେ ସମୟ ବିତାଉଥିବା ନଜର ଆସିଛନ୍ତି ।
ସୁଜୈନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ହ୍ରିତିକ ଲେଖିଛନ୍ତି ଯେ, ତାଙ୍କ ଶୁଭେଚ୍ଛା ଟିକିଏ ବିଳମ୍ବରେ ପହଞ୍ଚିଛି, କିନ୍ତୁ ଏହା ହୃଦୟର ଗଭୀରତାରୁ ଆସିଛି । ସେ ସୁଜୈନଙ୍କୁ ଜନ୍ମଦିନର ଅନେକ ଶୁଭକାମନା ଜଣାଇଛନ୍ତି । ଏହା ସହିତ ହ୍ରିତିକ କାମନା କରିଛନ୍ତି ଯେ ଆଗାମୀ ବର୍ଷଟି ସୁଜୈନଙ୍କ ଜୀବନରେ ଅନେକ ଭଲପାଇବା,ଖୁସି ଏବଂ ଯାଦୁଭରା ମୁହୂର୍ତ୍ତ ନେଇ ଆସୁ । ସେ ଯେପରି ନିଜ ଆଖପାଖର ଲୋକଙ୍କୁ ଖୋଲା ହୃଦୟରେ ସ୍ନେହ ଓ ଖୁସି ବାଣ୍ଟନ୍ତି, ତାଙ୍କ ଜୀବନରେ ମଧ୍ୟ ସେହି ସବୁ ଖୁସି ଭରିଯାଉ ବୋଲି ଋତିକ ଲେଖିଛନ୍ତି ।
ସୁଜୈନଙ୍କୁ କହିଲେ ‘ସବୁଠୁ ଭଲ ମାଆ’
ହ୍ରିତିକ ନିଜ ପୋଷ୍ଟରେ ସୁଜୈନଙ୍କ ମାତୃତ୍ୱର ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ସୁଜୈନ ତାଙ୍କ ଦୁଇ ପୁଅ ରେହାନ ଓ ରିଦାନଙ୍କ ପାଇଁ ସବୁଠୁ ଭଲ ମାଆ । ପିଲାମାନଙ୍କ ମାଆ ଭାବେ ସୁଜୈନ ସେମାନଙ୍କ ଜୀବନରେ ଏକ ସକାରାତ୍ମକ ଆଲୋକ ହୋଇ ରହିଥିବାରୁ ସେ ଖୁସି ବୋଲି ହ୍ରିତିକ ପ୍ରକାଶ କରିଛନ୍ତି ।
ସୁଜୈନଙ୍କ ପ୍ରଶଂସା କରି ସେ ଆହୁରି ଲେଖିଛନ୍ତି ଯେ ସୁଜୈନ ଜଣେ ଭଲ ମଣିଷ ଏବଂ ସେ ନିଜ କାମ ମାଧ୍ୟମରେ ଏହା ପ୍ରମାଣ କରିଛନ୍ତି । ଏହା ସହିତ ସେ ସୁଜୈନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ସେ ସବୁବେଳେ ତାଙ୍କ ସହ ରହିବେ ଏବଂ ତାଙ୍କୁ ଉତ୍ସାହିତ କରିବେ ।
ସବା ଆଜାଦ ଓ ଅର୍ସଲାନ ଗୋନିଙ୍କ ପ୍ରତିକ୍ରିୟା
ହ୍ରିତିକଙ୍କ ଏହି ଭାବପ୍ରବଣ ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଖାସ୍ କଥା ହେଉଛି, ହ୍ରିତିକଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ମଧ୍ୟ ଏହି ପୋଷ୍ଟରେ ହାର୍ଟ ଇମୋଜି ଦେଇ ନିଜ ପ୍ରତିକ୍ରିୟା ଜଣାଇଛନ୍ତି । ସେହିପରି ସୁଜୈନଙ୍କ ବୟଫ୍ରେଣ୍ଡ ଅର୍ସଲାନ ଗୋନି ମଧ୍ୟ ହାର୍ଟ ଇମୋଜି ଜରିଆରେ ଭଲପାଇବା ପ୍ରକାଶ କରିଛନ୍ତି । ଛାଡ଼ପତ୍ର ପରେ ମଧ୍ୟ ହ୍ରିତିକ ଓ ସୁଜୈନଙ୍କ ମଧ୍ୟରେ ଥିବା ଏହି ସମ୍ମାନ, ବୁଝାମଣା ଓ ସ୍ନେହଭରା ସମ୍ପର୍କ ଅନେକଙ୍କ ପାଇଁ ଏକ ଉଦାହରଣ ପାଲଟିଛି ।
📱 Get Argus News App
✨Related Topics
Explore more stories