କମ ବଜେଟର ସିନେମା ଜିଣୁଛି ଦର୍ଶକଙ୍କ ହୃଦୟ

ଅର୍ଗସ ବ୍ୟୁରୋ: ତେଲୁଗୁ ଅଭିନେତା ତେଜ୍ ସଜାଙ୍କ ଫିଲ୍ମ ହନୁମାନ ଦର୍ଶକଙ୍କ ଦ୍ୱାରା ବେଶ ଆଦ୍ରୁତ ହୋଇଛି । ଶୁକ୍ରବାର ଦିନ ଏହି ଚଳଚିତ୍ର ସିନେମା ପରଦାରେ ମୁକ୍ତି ଲାଭ କରିଥିଲା । ଏହି ଫିଲ୍ମର ବଜେଟ୍ ବହୁତ ଅଧିକ ନୁହଁ କି ଏଥିରେ କୌଣସି ବଡ ବଡ ସୁପରଷ୍ଟାର ମଧ୍ୟ ନାହାନ୍ତି । କିନ୍ତୁ ପ୍ରଥମ ପୋଷ୍ଟରରୁ ଲୋକମାନଙ୍କ ଆଗ୍ରହ ସୃଷ୍ଟି କରିଥିବା ଏହି ଫିଲ୍ମ ସିନେମା ହଲରେ ଯେଉଁଭଳି ପରିବେଶ ସୃଷ୍ଟି କରିଛି ତାହା କେହି ଆଶା କରିନଥିବେ ।
ଅଳ୍ପ ବଜେଟରେ ନିର୍ମିତ ଏହି ମୁଭିକୁ ଦର୍ଶକମାନେ ଖୁବ୍ ପ୍ରଶଂସା କରୁଛନ୍ତି । ପୁରାଣ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ସପରିବାର ଦେଖିବାର ସୁଯୋଗ ମିଳୁଥିବାରୁ ସିନେମା ହଲରେ ଭିଡ ଲାଗିଛି । ଏହି ଫିଲ୍ମ ତେଲୁଗୁରେ ମୁକ୍ତି ଲାଭ କରିବା ସହ ହିନ୍ଦୀ, ତାମିଲ, ମାଲାୟାଲମ ଏବଂ କନ୍ନଡ ଭଷାରେ ମଧ୍ୟ ମୁକ୍ତି ଲାଭ କରିଛି । ତେଲୁଗୁ ସହିତ ଏହା ହିନ୍ଦୀ ସଂସ୍କରଣରେ ମଧ୍ୟ ବହୁତ ରୋଜଗାର କରୁଛି । ହନୁମାନ ମୁଭିର ଏପରି କ୍ରେଜ୍ ଯେ ସପ୍ତାହିକ ଛୁଟି ପରେ ବି ଫିଲ୍ମଟି ସୋମବାର ଦିନ ମଧ୍ୟ ଭଲ ରୋଜଗାର କରିଥିଲା ।
ରିଲିଜ କରିବା ପୂର୍ବରୁ ହନୁମାନ ମୁଭି ତେଲୁଗୁରେ ୪.୧୫ କୋଟି ଟଙ୍କା ରୋଜଗାର କରିସାରିଥିଲା ଏବଂ ଶୁକ୍ରବାର ଦିନ ସିନେମା ହଲରେ ମୁକ୍ତିଲାଭ କରି ପ୍ରଥମ ଦିନରେ ୮.୦୫ କୋଟି ଟଙ୍କା ରୋଜଗାର କରିଥିଲା । ଯେଉଁଥିରେ ହିନ୍ଦୀ ଭାଷାରେ ଫିଲ୍ମର ଆୟ ୨.୧ କୋଟି ଟଙ୍କା ଥିଲା । ଦ୍ୱିତୀୟ ଦିନରେ ୧୨.୪୫ କୋଟି ଓ ତୃତୀୟ ଦିନରେ ୧୬ କୋଟି ଟଙ୍କା ରୋଜଗାର କରିବା ସହିତ ପ୍ରଥମ ସପ୍ତାହ ଶେଷରେ ମୋଟ ୪୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର