Videos
|
Entertainment

Misbah Arshad / ଟପ୍ ୩୦ରେ ମିଳିଲାନି ସ୍ଥାନ; ହେଲେ ତଥାପି ଇତିହାସ ରଚିଲେ ମିସ୍ ପାକିସ୍ତାନ ମିସୱାହ ଅର୍ଶଦ!

Subhramjit Ray
Browse all articles by Subhramjit Ray
·Updated on: 29 Nov 2026, 00:11:54 IST·3 min read
ଟପ୍ ୩୦ରେ ମିଳିଲାନି ସ୍ଥାନ; ହେଲେ ତଥାପି ଇତିହାସ ରଚିଲେ ମିସ୍ ପାକିସ୍ତାନ ମିସୱାହ ଅର୍ଶଦ!
Photo Source: Social Media/AI

Key Points

ପାକିସ୍ତାନର ମଡେଲ ମିସୱାହ ଅର୍ଶଦ ମିସ୍ ୟୁନିଭର୍ସ ୨୦୨୬ର ଟପ୍ ୩୦ରେ ସ୍ଥାନ ପାଇନଥିଲେ ମଧ୍ୟ ନିଜ ଉପସ୍ଥିତି ପାଇଁ ଚର୍ଚ୍ଚାରେ ରହିଛନ୍ତି। ସୁଇମ୍‌ସୁଟ୍ ରାଉଣ୍ଡରେ ଅଂଶଗ୍ରହଣ କରି ସେ ପାକିସ୍ତାନ ପକ୍ଷରୁ ଏକ ନୂଆ ଇତିହାସ ରଚିଥିବା ଦାବି କରାଯାଇଛି। ତାଙ୍କ ଉପସ୍ଥାପନାକୁ ମିସ୍ ୟୁନିଭର୍ସ ସଂଗଠନ ମଧ୍ୟ ପ୍ରଶଂସା କରିଛି।

ଲାହୋର, ପାକିସ୍ତାନ: ୨୦୨୬ ମିସ୍ ୟୁନିଭର୍ସ ପ୍ରତିଯୋଗୀତାରେ ଛାଇ ଯାଇଥାନ୍ତି ମିସ୍ ପାକିସ୍ତାନ ମିସୱାହ ଅର୍ଶଦ। ହେଲେ ଏଥରର ମିସ୍ ୟୁନିଭର୍ସ ପ୍ରତିଯୋଗୀତାରେ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମିସୱାହ ଅର୍ଶଦ ଶ୍ରେଷ୍ଠ ୩୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ନଥିଲେ। ହେଲେ ସେ ଏଥର ଏପରି କିଛି ହାସଲ କରିଛନ୍ତି, ଯାହା ପୂର୍ବରୁ କେବେ କୌଣସି ପାକିସ୍ତାନୀ ମଡେଲ ମିସ୍ ୟୁନିଭର୍ସ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ହାସଲ କରି ପାରିନାହାଁନ୍ତି। ସେ ଏହି ପ୍ରତିଯୋଗିତାର ସୁଇମ୍ସୁଟ୍ ରାଉଣ୍ଡ୍ ରେ ୨ ଖଣ୍ଡ ସୁଇମ୍ସୁଟ୍ ପିନ୍ଧି ଇତିହାସ ସୃଷ୍ଟି କରିଥିଲେ। ସୁଇମ୍ସୁଟ୍ ପିନ୍ଧି ମିସ୍ ୟୁନିଭର୍ସ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାରେ ମିସୱାହ ଅର୍ଶଦ ହେଉଛନ୍ତି ପ୍ରଥମ ପାକିସ୍ତାନୀ ମଡେଲ।

ଏହି ଐତିହାସିକ ଯାତ୍ରା ସମାପ୍ତ ହେବା ପରେ, ମିସ୍ ୟୁନିଭର୍ସ ସଙ୍ଗଠନ ମଧ୍ୟ ଏହି ପାକିସ୍ତାନୀ ମଡେଲ୍ ଙ୍କୁ ପ୍ରଶଂସା କରିଥିଲା। ଏନେଇ ସଙ୍ଗଠନ ପକ୍ଷରୁ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ସେୟାର କରାଯାଇଛି। ଏହି ପୋଷ୍ଟ ସେୟାର କରି ସଙ୍ଗଠନ କହିଛି ଯେ, ପାକିସ୍ତାନୀ ମଡେଲ ମିସୱାହ ଅର୍ଶଦ ତାଙ୍କ ଯାତ୍ରା ସମୟରେସ ତାଙ୍କ ଦେଶର ମାନକୁ ଗର୍ବର ସହିତ ଉଚ୍ଚ କରିଥିଲେ। ତାଙ୍କର ଶକ୍ତି ଏବଂ ସୌନ୍ଦର୍ଯ୍ୟ ପ୍ରତ୍ୟେକ ମୁହୂର୍ତ୍ତକୁ ସ୍ୱତନ୍ତ୍ର କରିଥିଲା। ଯାହା ତାଙ୍କ ଦେଶକୁ ଉତ୍ସବ ପାଳନ କରିବାର ଏକ ମହାନ କାରଣ ଦେଇଥିଲା।

କିଏ ଏହି ମିସୱାହ ଅର୍ଶଦ?
ପାକିସ୍ତାନର ଲାହୋରରେ ଜନ୍ମିତ ମିସୱାହ ଅର୍ଶଦ ଫ୍ୟାଶନ୍ ଏବଂ ସୌନ୍ଦର୍ଯ୍ୟ ଜଗତରେ ଏକ ପ୍ରସିଦ୍ଧ ଚେହେରା ଭାବେ ଉଭା ହୋଇଛନ୍ତି। ବର୍ତ୍ତମାନ ଜର୍ମାନୀର ମ୍ୟୁନିଚ୍ ସହରରେ ରହୁଥିବା ମିସୱାହ କେବଳ ତାଙ୍କ ଗ୍ଲାମରସ୍ କ୍ୟାରିଅର୍ ନୁହେଁ ବରଂ ତାଙ୍କ ଶିକ୍ଷାକ୍ଷେତ୍ରରେ ମଧ୍ୟ ନିଜକୁ ପ୍ରମାଣିତ କରି ଦେଖାଇଛନ୍ତି। ସେ ଜର୍ମାନୀର ପ୍ରସିଦ୍ଧ ହେଗେନ୍ ବିଶ୍ୱବିଦ୍ୟାଳୟରେ ମନସ୍ତତ୍ତ୍ୱ (Psychology) ଅଧ୍ୟୟନ କରିଥିଲେ। ତାଙ୍କର କ୍ୟାରିୟର ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ସେ ମିସ୍ ପାକିସ୍ତାନ ୱାର୍ଲ୍ଡ ୨୦୨୩ (Miss Pakistan World 2023) ସମ୍ମାନ ପାଇଥିଲେ। ସେ "ମିସ୍ ଇଣ୍ଟରନ୍ୟାସନାଲ୍" ପ୍ରତିଯୋଗିତାରେ (Miss International Pageant) ପାକିସ୍ତାନକୁ ପ୍ରତିନିଧିତ୍ୱ କରୁଥିବା ପ୍ରଥମ ସରକାରୀ ପ୍ରତିଯୋଗୀ ହୋଇଥିଲେ। ଏହା ପରେ ସେ ଏତିକିରେ ସୀମିତ ହୋଇନଥିଲେ। ପରେ ମିସୱାହ ଅର୍ଶଦ, "ମିସ୍ ଆଉରା ଇଣ୍ଟରନ୍ୟାସନାଲ୍ ୨୦୨୩" (Miss Aura International 2023) ଏବଂ "ମିସ୍ ସୁପରାନ୍ୟାଶନାଲ୍ ୨୦୨୪" (Miss Supranational 2024) ଭଳି ପ୍ରମୁଖ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଯାହା ଦ୍ୱାରା ସାରା ବିଶ୍ୱରେ ତାଙ୍କ ପାଇଁ ଏକ ଅନନ୍ୟ ପରିଚୟ ସୃଷ୍ଟି ହୋଇଥିଲା।

ଏହା ସହ ପଢନ୍ତୁ: ମିସ୍ ୟୁନିଭର୍ସ ପାକିସ୍ତାନ ମୁକୁଟ ପିନ୍ଧିଲେ ମିସୱାହ ଅର୍ଶଦ

"ମୁଁ ଆଜି ଯେଉଁଠାରେ ଅଛି ସେଥିପାଇଁ ମୁଁ କୃତଜ୍ଞ ରହିବି"
ଯେତେବେଳେ ମିସୱାହ ଅର୍ଶଦ, "ମିସ୍ ୟୁନିଭର୍ସ ୨୦୨୬" (Miss Universe 2026) ପ୍ରତିଯୋଗିତା ପାଇଁ ପୁଏର୍ଟୋରିକୋ (Puerto Rico) ଯାତ୍ରା କରିଥିଲେ, ସେତେବେଳେ ସେ ବହୁତ ଉତ୍ସାହିତ ହୋଇ ଉଠିଥିଲେ। ତାଙ୍କର ଆନନ୍ଦ ପ୍ରକାଶ କରି ସେ ଲେଖିଛନ୍ତି ଯେ ସେ ସର୍ବଦା ଏହି ମୁହୂର୍ତ୍ତର ସ୍ୱପ୍ନ ଦେଖିଥିଲେ। ସେ ନିଜେ ନିଜକୁ ପ୍ରତିଶୃତି ଦେଇଥିଲେ ଯେ ସେ ଯେଉଁଠାରେ ରହିବା କଥା ଏବେ ସେଠାରେ ପହଞ୍ଚିଛନ୍ତି। ପୁଏର୍ଟୋ ରିକୋ ଯାତ୍ରା ସମୟରେ, ମିସୱାହ ଅର୍ଶଦ କେବଳ ଫ୍ୟାଶନ୍ ନୁହେଁ ବରଂ ତାଙ୍କ ଦେଶର ସଂସ୍କୃତି ମଧ୍ୟ ପ୍ରଦର୍ଶନ କରିଥିଲେ।



ସ୍ୱାଗତ କାର୍ଯ୍ୟକ୍ରମରେ, ସେ ପାକିସ୍ତାନର ଗୋଲାପୀ ଲିଲି ଫୁଲ ଦ୍ୱାରା ଅନୁପ୍ରାଣିତ ଏକ ଗୋଲାପୀ ଏବଂ ସବୁଜ ପୋଷାକ ପିନ୍ଧିଥିଲେ। ଏନେଇ ସେ କହିଥିଲେ ଯେ ଏହି ଫୁଲ ବିପଦ ସହ ଲଢ଼ିବାର ଶକ୍ତି ଏବଂ ନାରୀତ୍ୱର ପ୍ରତୀକ। ଏହି ପ୍ରତିଯୋଗିତାର "ନେସନାଲ କଷ୍ଟ୍ୟୁମ ରାଉଣ୍ଡ" (National Costume Round) ସମୟରେ, ସେ ପାକିସ୍ତାନର ଜାତୀୟ ପଶୁ ମାରଖୋର (Pakistan National Animal Markhor) ପରି ବେଶ ପୋଷାକ ଧାରଣ କରିଥିଲେ। ସେ ଏହାକୁ ପାକିସ୍ତାନର ସାହସ ଏବଂ ସୌନ୍ଦର୍ଯ୍ୟର ପ୍ରତୀକ ଭାବରେ ବର୍ଣ୍ଣନା କରିଥିଲେ। ପ୍ରାରମ୍ଭିକ ରାଉଣ୍ଡ ବେଳେ,ସେ ସମୁଦ୍ର ତରଙ୍ଗ ଦ୍ୱାରା ଅନୁପ୍ରାଣିତ ଏକ ସୁନ୍ଦର ଗାଉନ୍ ପିନ୍ଧିଥିଲେ। ଯାହାକୁ ଭିଏତନାମୀ ଡିଜାଇନର୍ ଙ୍ଗୁଏନ୍ ତିଏନ୍ ଟ୍ରୁଏନ୍ ଡିଜାଇନ୍ କରିଥିଲେ।

ମିସ୍ ୟୁନିଭର୍ସ ଇଣ୍ଡିଆ ସହିତ ଉଠାଇଲେ ଫଟୋ
ମିସୱାହ ଅର୍ଶଦ, ଭାରତୀୟ ମଡେଲ୍ କାଜିଆ ଲିଜ୍ ମେଜୋଙ୍କୁ ମିସ୍ ୟୁନିଭର୍ସ ଇଣ୍ଡିଆ ମୁକୁଟ ପିନ୍ଧାଯିବା ପାଇଁ ଅଭିନନ୍ଦନ ଜଣାଇଥିଲେ। ସେ ତାଙ୍କ ସହିତ ଫଟୋ ସେୟାର କରିଥିଲେ। ୨୦୨୬ ମିସ୍ ୟୁନିଭର୍ସ ପ୍ରତିଯୋଗୀତାର ଫଳାଫଳ ଯାହା ହେଉନା କାହିଁକି, ମିସୱାହ ଅର୍ଶଦ ବିଶ୍ୱ ମଞ୍ଚରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: