Videos
|
Entertainment

Premanand Maharaj Biopic / ପ୍ରେମାନନ୍ଦ ମହାରାଜଙ୍କ ଜୀବନ ଉପରେ ଆସୁଛି ଫିଲ୍ମ ‘ରାଧା ଅଂଶ’, ଅଭିନୟ କରିବେ ବିରାଟ-ଅନୁଷ୍କା ?

Santosh Kumar Sahoo
Browse all articles by Santosh Kumar Sahoo
·19 mins ago·2 min read
ପ୍ରେମାନନ୍ଦ ମହାରାଜଙ୍କ ଜୀବନ ଉପରେ ଆସୁଛି ଫିଲ୍ମ ‘ରାଧା ଅଂଶ’, ଅଭିନୟ କରିବେ ବିରାଟ-ଅନୁଷ୍କା ?
Radha Ansh

Key Points

‘ହନୁମାନ ଅଂଶ’ ପରେ ଆସୁଛି ‘ରାଧା ଅଂଶ’
ପରଦାରେ ଦେଖାଯିବ ପ୍ରେମାନନ୍ଦ ଜୀ ମହାରାଜଙ୍କ କାହାଣୀ
‘ରାଧା ଅଂଶ’ରେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ?
ପୁଣି ଥରେ ଦେଖିବାକୁ ମିଳୁଛି ସନ୍ଥ ଓ ଆଧ୍ୟାତ୍ମିକ ଗୁରୁଙ୍କ ଜୀବନକୁ ନେଇ ଫିଲ୍ମ ତିଆରି କରିବାର ଟ୍ରେଣ୍ଡ । ନୀମ କରୋଲି ବାବାଙ୍କ ଜୀବନରୁ ପ୍ରେରିତ ‘ହନୁମାନ ଅଂଶ’ ପରେ ଏବେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଜୀବନକୁ ନେଇ ଆସୁଛି ନୂଆ ଫିଲ୍ମ ‘ରାଧା ଅଂଶ’ । ରାଧାରାଣୀଙ୍କ ପ୍ରତି ତାଙ୍କ ଅତୁଟ ଭକ୍ତି, ଆଧ୍ୟାତ୍ମିକ ଯାତ୍ରା ଓ ଜୀବନଦର୍ଶନକୁ ପରଦାରେ ଜୀବନ୍ତ କରିବାକୁ ଚାଲିଛି ପ୍ରସ୍ତୁତି ।

ବୈଷ୍ଣବ କିନ୍ନର ଆଖଡ଼ାର ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ହିମାଙ୍ଗୀ ସଖୀ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଜୀବନକୁ ନେଇ ଫିଲ୍ମ ତିଆରି କରିବାର ଇଚ୍ଛା ପ୍ରକାଶ କରିଛନ୍ତି । ‘ରାଧା ଅଂଶ’ ମାଧ୍ୟମରେ ପ୍ରେମାନନ୍ଦ ମହାରାଜଙ୍କ ଆଧ୍ୟାତ୍ମିକ ଜୀବନ, ତାଙ୍କ ଚିନ୍ତାଧାରା ଏବଂ ରାଧାରାଣୀଙ୍କ ପ୍ରତି ତାଙ୍କ ଅତୁଟ ଭକ୍ତିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟ ରହିଛି ।

ମିଡିଆ ସହ ଆଲୋଚନା ବେଳେ ହିମାଙ୍ଗୀ ସଖୀ କହିଛନ୍ତି ଯେ ଫିଲ୍ମକୁ ନେଇ ନିର୍ମାତା ଟିମ୍ ସହ ପ୍ରାଥମିକ ଆଲୋଚନା ସରିଛି । ଟିମ୍ ମଧ୍ୟ ଏହି ପ୍ରୋଜେକ୍ଟକୁ ନେଇ ସହମତି ପ୍ରକାଶ କରିଛି । ତେବେ ଫିଲ୍ମ ଆରମ୍ଭ କରିବା ପୂର୍ବରୁ ସନ୍ଥ ପ୍ରେମାନନ୍ଦ ମହାରାଜ ଏବଂ ତାଙ୍କ ଶିଷ୍ୟମାନଙ୍କଠାରୁ ଅଧିକାରିକ ଅନୁମତି ନେବା ପାଇଁ ସାକ୍ଷାତ କରାଯିବ । ଫିଲ୍ମରେ କଳାକାରଙ୍କ ଚୟନ ମଧ୍ୟ ମହାରାଜଙ୍କ ଶିଷ୍ୟମାନଙ୍କ ପରାମର୍ଶ ଅନୁସାରେ କରାଯିବ ବୋଲି ଜଣାପଡ଼ିଛି ।

‘ରାଧା ଅଂଶ’ ତିଆରି କରିବାର ଚିନ୍ତା ‘ହନୁମାନ ଅଂଶ’ରୁ ପ୍ରେରଣା ପାଇଥିବା କୁହାଯାଉଛି । ନୀମ କରୋଲି ବାବାଙ୍କ ଜୀବନ ଓ ତାଙ୍କ ଆଧ୍ୟାତ୍ମିକ ଯାତ୍ରାକୁ ନେଇ ତିଆରି ହୋଇଥିବା ‘ହନୁମାନ ଅଂଶ’ରେ ତାଙ୍କ ପିଲାଦିନରୁ ସନ୍ଥ ହେବା ପର୍ଯ୍ୟନ୍ତର ଯାତ୍ରାକୁ ଦେଖାଇବାର ପ୍ରୟାସ କରାଯାଇଛି । ଆସ୍ଥା, ସେବା, ନମ୍ରତା ଓ ମାନବିକତା ଭଳି ବାର୍ତ୍ତା ଉପରେ ଫିଲ୍ମଟି କେନ୍ଦ୍ରିତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହିମାଙ୍ଗୀ ସଖୀଙ୍କ ମତରେ, ଯେଉଁଭଳି ‘ହନୁମାନ ଅଂଶ’ ମାଧ୍ୟମରେ ନୀମ କରୋଲି ବାବାଙ୍କ ଶିକ୍ଷା ସହ ଦର୍ଶକଙ୍କୁ ଯୋଡ଼ିବାର ପ୍ରୟାସ ହୋଇଛି, ସେହିଭଳି ‘ରାଧା ଅଂଶ’ ଜରିଆରେ ରାଧାରାଣୀଙ୍କ ନାମ ଓ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବାର୍ତ୍ତାକୁ ସାରା ବିଶ୍ୱରେ ପହଞ୍ଚାଇବାର ପ୍ରୟାସ କରାଯାଇପାରିବ । ପ୍ରେମାନନ୍ଦ ମହାରାଜଙ୍କୁ ରାଧାରାଣୀଙ୍କ ଅଂଶ ବୋଲି ମନେ କରାଯାଉଥିବାରୁ ଫିଲ୍ମର ଟାଇଟଲ୍ ‘ରାଧା ଅଂଶ’ ରଖାଯାଇଥିବା କୁହାଯାଉଛି ।

ହିମାଙ୍ଗୀ ସଖୀ ଏହା ମଧ୍ୟ କହିଛନ୍ତି ଯେ ଛୋଟବେଳୁ ହିଁ ତାଙ୍କର ବ୍ରଜ ସହ ଗଭୀର ସମ୍ପର୍କ ରହିଛି । ବ୍ରଜର କୁଞ୍ଜ ଗଳିରେ ତାଙ୍କ ପିଲାଦିନ କଟିଛି ଏବଂ ତାଙ୍କ ମନ ରାଧାଭାବରେ ପରିପୂର୍ଣ୍ଣ । ତେଣୁ ପ୍ରେମାନନ୍ଦ ମହାରାଜଙ୍କ ଜୀବନକୁ ନେଇ ଫିଲ୍ମ ତିଆରି କରିବା ତାଙ୍କ ପାଇଁ କେବଳ ଏକ ସିନେମା ନୁହେଁ, ବରଂ ଏକ ଆଧ୍ୟାତ୍ମିକ ଯୋଗ । ଅନୁମତି ମିଳିବା ମାତ୍ରେ ଫିଲ୍ମର ପ୍ରୋମୋ ଖୁବଶୀଘ୍ର ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି ।

ଏପଟେ ହିମାଙ୍ଗୀ ସଖୀଙ୍କ ପକ୍ଷରୁ କାଷ୍ଟିଂ ନେଇ ଘୋଷଣା ପରେ ଚର୍ଚ୍ଚାରେ ଆସିଛି ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ନାମ । ଉଭୟେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଶ୍ରଦ୍ଧା କରନ୍ତି । ତେଣୁ ଦୁହେଁ ‘ରାଧା ଅଂଶ’ରେ ଅଭିନୟ କରିବେ କି ନାହିଁ, ତାକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି । ତେବେ ବର୍ତ୍ତମାନ ସୁଦ୍ଧା ଫିଲ୍ମରେ ବିରାଟ କିମ୍ବା ଅନୁଷ୍କାଙ୍କ ଅଭିନୟକୁ ନେଇ କୌଣସି ଅଧିକାରିକ ସୂଚନା ମିଳିନାହିଁ ।