Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ସୁପରଷ୍ଟାର ସଲମାନଙ୍କ ପଛରେ କାହିଁକି ପଡ଼ିଛି ବିଷ୍ଣୋଇ ଗ୍ୟାଙ୍ଗ

Ritu Das
Browse all articles by Ritu Das
·1 year ago·2 min read
ସୁପରଷ୍ଟାର ସଲମାନଙ୍କ ପଛରେ କାହିଁକି ପଡ଼ିଛି ବିଷ୍ଣୋଇ ଗ୍ୟାଙ୍ଗ

ଅର୍ଗସ ବ୍ୟୁରୋ: ଜଣେ ବଲିଉଡ୍‌ ସୁପରଷ୍ଟାର ତ ଅନ୍ୟଜଣେ ଅଣ୍ଡରଓ୍ବାଲ୍ଡର ବଡ଼ ଗ୍ୟାଙ୍ଗଷ୍ଟର। ଫିଲ୍ମ କାହାଣୀ ହୋଇଥିଲେ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଥାନ୍ତା, ହିରୋ ଜିତି ହୋଇଥାନ୍ତା ହାପି ଏଣ୍ଡିଂ। ହେଲେ ଏଠି କାହାଣୀ ଫିଲ୍ମର ନୁହେଁ ବରଂ ଅସଲ ଜୀବନର। ଫଳରେ ଗ୍ୟାଙ୍ଗଷ୍ଟର ବିଶ୍ନୋଇର ଧମକକୁ ନେଇ ସଲମାନ ଖାନ୍‌ଙ୍କ ସହ ପରିବାର ଉପରେ ଚିନ୍ତାର କଳାବାଦଲ ଖେଳିଯାଇଛି। ନିକଟରେ ସଲମାନଙ୍କ ବନ୍ଧୁ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରିଦିଆଯାଇଛି। ଏହି ଘଟଣା ମୁମ୍ବାଇ ପୋଲିସ ପାଇଁ ବିଶ୍ନୋଇ ଗ୍ୟାଙ୍ଗ ମୁଣ୍ଡବିନ୍ଧା ବଢ଼ାଇ ଦେଇଛି।

ହାଜି ମସ୍ତାନଠାରୁ ଦାଉଦ ଇବ୍ରାହିମ ଭଳି ଗ୍ୟାଙ୍ଗଷ୍ଟରଙ୍କୁ ସାବାଡ କରିଥିବା ମୁମ୍ବାଇ ପୋଲିସ ଲରେନ୍ସର ଜାଲକୁ ଭେଦ କରିପାରୁନାହିଁ। ଜେଲରେ ଥିଲେ ହେଁ ବିଶ୍ନୋଇ ଟାର୍ଗେଟ କିଲିଂର ମାଷ୍ଟର। ପଞ୍ଜାବ ହେଉ ଅଥବା କାନାଡ଼ା, ସେ ଶାର୍ପ ସୁଟରଙ୍କ ଜରିଆରେ ଟାର୍ଗେଟ କରି ଜୀବନ ନେଇଥାଏ। ସଲମାନଙ୍କ କ୍ଷେତ୍ରରେ ଲରେନ୍ସର ବ୍ୟକ୍ତିଗତ ଶତ୍ରୁତା ରହିଛି, ଫଳରେ ବିପଦ ଅଧିକ ବୋଲି କୁହାଯାଉଛି। ବିଖ୍ୟାତ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସଓ୍ବୋଲାଙ୍କୁ ହତ୍ୟା ଏବଂ ସଲମାନଙ୍କ ଘର ବାହାରେ ଗୁଳିଚାଳନାରେ ଲରେନ୍ସର ହାତ ଥିବା ଜଣାପଡ଼ିଥିଲା। ଏବେ ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ଗ୍ୟାଙ୍ଗଷ୍ଟର ଥିବା ଏକପ୍ରକାର ସ୍ପଷ୍ଟ ହୋଇଥିଲେ ହେଁ ପୋଲିସ ତଦନ୍ତ ଜାରି ରଖିଛି। ଏମିତିରେ ପ୍ରଶ୍ନ ଉଠୁଛି ସଲମାନଙ୍କୁ ମାରିବାକୁ ଧମକ ଦେବା ପଛରେ କଣ କାରଣ ରହିଛି।

କିଛିଦିନ ଧରି ଲରେନ୍ସ ଏବଂ ସଲମାନଙ୍କ ମଧ୍ୟରେ ବିବାଦ ଚାଲିଛି। ସଲମାନ ଶୁଟିଂ ବେଳେ କଳା ହରିଣ ମାରିବା ପରେ ଏହାର ଆରମ୍ଭ ହୋଇଥିଲା। ଗୁରୁ ଜମ୍ଭେଶ୍ୱରଙ୍କ ୨୯ ବଚନରେ ବିଶ୍ୱାସ କରୁଥିବା ବିଶ୍ନୋଇ ସମାଜର ଲୋକଙ୍କ ପାଇଁ ଏହି ହରିଣର ହତ୍ୟା ବଡ଼ ଅପରାଧ। କାରଣ ସେମାନେ କଳା ହରିଣର ସଂରକ୍ଷଣ ପାଇଁ ଖ୍ୟାତ। ଏକପ୍ରକାର ସେମାନେ ତାହାର ପୂଜା କରିଥାନ୍ତି। ଏଥିଲାଗି ସଲମାନଙ୍କ ଉପରେ ମାମଲା ଏବଂ ଜେଲ୍‌ଦଣ୍ଡ ହେବା ସତ୍ତ୍ୱେ ସମାଜ ତାଙ୍କୁ କ୍ଷମା କରିବାକୁ ପ୍ରସ୍ତୁତ ନୁହେଁ। ଏହାକୁ ନେଇ ଲରେନ୍ସ ସଲମାନଙ୍କୁ ସର୍ବପ୍ରଥମେ ନିଜର ଟାର୍ଗେଟରେ ନେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୯୯୮ରେ ‘ହମ୍‌ ସାଥ୍‌ ସାଥ୍‌ ହେ’ ଫିଲ୍ମ ଶୁଟିଂ ବେଳେ ସଲମାନ ଶିକାର କରିବାକୁ ଯାଇଥିଲେ। ୧୯୯୮ ଡିସେମ୍ବର ୨୭-୨୮ରେ ଫୋଡ଼ା ଫାର୍ମ ହାଉସ୍‌ରେ କୃଷ୍ଣସାର ମୃଗର ଶିକାର କରାଯାଇଥିଲା। ଏହା ପଛରେ ସଲମାନ ଥିବା କୁହାଯାଇଥିଲା। ଅକ୍ଟୋବର ୧୨,୧୯୯୮ରେ ପ୍ରଥମ ଥର ଲାଗି ସଲମାନଙ୍କୁ ଗିରଫ କରାଯାଇଥିଲା। ୫ ଦିନ ଜେଲରେ ରହିବା ପରେ ଅକ୍ଟୋବର ୧୭ରେ ସଲମାନ ମୁକୁଳିଥିଲେ। ଏପ୍ରିଲ ୫,୨୦୧୮ରେ ମାମଲାର ଶୁଣାଣି କରି ଅଭିନେତାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିଲା। ଏପ୍ରିଲ ୭ରେ କିନ୍ତୁ ତାଙ୍କୁ ଜାମିନ ମିଳିଯାଇଥିଲା।
ଯିଏ ବି କଳା ହରିଣର ଶିକାର କରିଛନ୍ତି, ତାଙ୍କଠାରୁ ପ୍ରତିଶୋଧ ନିଆଯିବ ବୋଲି ଲରେନ୍ସ ବିଶ୍ନୋଇ ଧମକ ଦେଇଥିଲେ। ସିଦ୍ଧୁ ମୁସଓ୍ବୋଲାଙ୍କୁ ହତ୍ୟା କରିବା ପରେ ସେ ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ସାମିଲ ହୋଇଥିଲେ। ଏହି ମାମଲାରେ ସେ ୨୦୨୨ରୁ ଜେଲରେ ଅଛନ୍ତି। ହେଲେ ସେଠାରୁ ହିଁ ସେ ଗ୍ୟାଙ୍ଗ ଚଳାଉଛନ୍ତି। ସେ ସଲମାନଙ୍କ ଘର ଉପରେ ଆକ୍ରମଣ ମଧ୍ୟ କରିଛନ୍ତି।

ଲରେନ୍ସ ଗ୍ୟାଙ୍ଗ ଜେଲରେ ଥିବା ଅପରାଧିମାନଙ୍କୁ ଦଳରେ ସାମିଲ କରିଥାନ୍ତି। ସେମାନେ ଜେଲରୁ ବାହାରକୁ ଆସି ଗ୍ୟାଙ୍ଗର ଟାର୍ଗେଟକୁ ପୂରଣ କରିଥାନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଛାତ୍ର ରାଜନୀତିରୁ ସେ ଗ୍ୟାଙ୍ଗଷ୍ଟର ଦୂନିଆରେ ପ୍ରବେଶ କରିଛନ୍ତି। ଅନେକ ଥର ତାଙ୍କୁ ଗିରଫ କରାଯାଇଥିଲେ ହେଁ ମୁସେଓ୍ବୋଲାଙ୍କୁ ହତ୍ୟା ପରେ ସେ ଚର୍ଚ୍ଚାକୁ ଆସିଛନ୍ତି। ଏନ୍‌ଆଇଏ ମୁତାବକ ଲରେନ୍ସ ଗ୍ୟାଙ୍ଗରେ ୭୦୦ରୁ ଅଧିକ ଶାର୍ପଶୁଟର୍‌ ଅଛନ୍ତି, ଯେଉଁଥିରୁ କେବଳ ପଞ୍ଜାବରେ ୩୦୦ ଅଛନ୍ତି। କାନାଡ଼ାରେ ଥିବା ଗୋଲ୍ଡି ବରାର ଗ୍ୟାଙ୍ଗର ଅନ୍ତର୍ଜାତୀୟ ଅପରେଶନକୁ ଠିକଣା କରୁଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
Why is the | Argus News