Videos
|
Health-wellness

Health Awareness / ଦେଖିଲେ ଜଣାପଡ଼େ କି HIV ? HIVର ପ୍ରାରମ୍ଭିକ ଲକ୍ଷଣ କ’ଣ? ଜାଣନ୍ତୁ ଜରୁରୀ ତଥ୍ୟ

Rashmita Mishra
Browse all articles by Rashmita Mishra
·16 mins ago·2 min read
ଦେଖିଲେ ଜଣାପଡ଼େ କି HIV ? HIVର ପ୍ରାରମ୍ଭିକ ଲକ୍ଷଣ କ’ଣ? ଜାଣନ୍ତୁ ଜରୁରୀ ତଥ୍ୟ
Health Awareness

Key Points

ଦେଖିଲେ ଜଣାପଡ଼େ କି HIV? ଜାଣନ୍ତୁ ସତ କ’ଣ
HIVକୁ ନେଇ ଏହି ଭୁଲ ଧାରଣା ରହିଛି କି ଆପଣଙ୍କର?
HIVର ପ୍ରାରମ୍ଭିକ ଲକ୍ଷଣ କ’ଣ? ଜାଣନ୍ତୁ ଜରୁରୀ ତଥ୍ୟ
HIV ରୋଗୀଙ୍କୁ ଦରକାର ସମର୍ଥନ, ଭେଦଭାବ ନୁହେଁ 

ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ ବା HIV ଏକ ଏପରି ଭାଇରସ୍, ଯାହା ମଣିଷର ରୋଗପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଥାଏ । ଏହା ଫଳରେ ଶରୀର ବିଭିନ୍ନ ସଂକ୍ରମଣ ବିରୋଧରେ ଲଢ଼ିବାର କ୍ଷମତା ହରାଇଥାଏ । ତେବେ ସମୟରେ HIV ଚିହ୍ନଟ ହୋଇ ଚିକିତ୍ସା ଆରମ୍ଭ କରାଗଲେ HIV ସହିତ ମଧ୍ୟ ଜଣେ ବ୍ୟକ୍ତି ସାଧାରଣ ଜୀବନ ବିତାଇପାରନ୍ତି । ସମାଜରେ HIVକୁ ନେଇ ଅନେକ ଭୁଲ ଧାରଣା ରହିଛି । ସେଥିମଧ୍ୟରୁ ଗୋଟିଏ ହେଉଛି କାହାକୁ ଦେଖିଲେ ଜଣାପଡ଼ିଯାଏ ଯେ ସେ HIV ସଂକ୍ରମିତ । କିନ୍ତୁ ଏହା ସତ ନୁହେଁ ।

ଦେଖିଲେ HIV ଚିହ୍ନଟ କରିହେବ କି ?
AIIMS, ନୂଆଦିଲ୍ଲୀର ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ନୀରଜ ନିଶ୍ଚଲଙ୍କ ଅନୁସାରେ, କେବଳ ଜଣେ ବ୍ୟକ୍ତିଙ୍କୁ ଦେଖି HIV ସଂକ୍ରମଣ ଚିହ୍ନଟ କରିବା ଏକ ମିଥ୍ । HIV ସହିତ ଜୀବନ ବିତାଉଥିବା ଅଧିକାଂଶ ଲୋକ ସମ୍ପୂର୍ଣ୍ଣ ସୁସ୍ଥ ଦେଖାଯାଇପାରନ୍ତି । ବିଶେଷକରି ଯେଉଁମାନେ ନିୟମିତ ଓ ଠିକ୍ ଚିକିତ୍ସା ନେଉଛନ୍ତି, ସେମାନଙ୍କୁ ଦେଖି HIV ରହିଛି ବୋଲି ଅନୁମାନ କରିବା ସମ୍ଭବ ନୁହେଁ ।

କାହାର ଚେହେରା, ଶରୀରର ଗଠନ କିମ୍ବା ବାହ୍ୟ ଦେଖାଶୁଣା ଆଧାରରେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ନିଷ୍କର୍ଷ କରିବା ଠିକ୍ ନୁହେଁ । ଏଭଳି ଧାରଣା HIV ସହିତ ଜୀବନ ବିତାଉଥିବା ଲୋକଙ୍କ ପ୍ରତି ଭେଦଭାବକୁ ମଧ୍ୟ ବଢ଼ାଇପାରେ ।

HIV ଚିହ୍ନଟ ପାଇଁ କ’ଣ କରିବେ ?
HIV ରହିଛି କି ନାହିଁ ଜାଣିବା ପାଇଁ HIV ଟେଷ୍ଟ କରାଇବା ହିଁ ଉପଯୁକ୍ତ ଉପାୟ । ପରୀକ୍ଷା ପ୍ରକ୍ରିୟା ସରଳ ଏବଂ HIV ପରୀକ୍ଷା ଅନେକ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ଉପଲବ୍ଧ ହୋଇଥାଏ । ପରୀକ୍ଷା ସମ୍ପର୍କିତ ଗୋପନୀୟତା ମଧ୍ୟ ରକ୍ଷା କରାଯାଏ । ଯଦି କେବେ HIV ପରୀକ୍ଷା କରାଇନାହାନ୍ତି ଏବଂ ଚିନ୍ତାର କାରଣ ଥାଏ, ତେବେ ଡାକ୍ତରଙ୍କ ପରାମର୍ଶ ନେଇ ପରୀକ୍ଷା କରାଇବା ଭଲ ।

HIV ର ପ୍ରାରମ୍ଭିକ ଲକ୍ଷଣ କ’ଣ ?
HIV ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ଲୋକଙ୍କଠାରେ ସାଧାରଣ ଭାଇରାଲ୍ ଇନ୍‌ଫେକ୍ସନ୍ ଭଳି ଲକ୍ଷଣ ଦେଖାଯାଇପାରେ। ଯଥା—
- ଜ୍ୱର
- ମୁଣ୍ଡବିନ୍ଧା
- ଚର୍ମରେ ରାଶ୍
- ଗଳା ଦରଜ

ସଂକ୍ରମଣ ଆଗକୁ ବଢ଼ିଲେ ଶରୀରର ରୋଗପ୍ରତିରୋଧକ କ୍ଷମତା ଧୀରେଧୀରେ ଦୁର୍ବଳ ହୋଇପାରେ । ଏହି ସମୟରେ ଲିମ୍ଫ୍ ନୋଡ୍‌ରେ ଫୁଲା, ଓଜନ କମିବା, ଦୀର୍ଘସ୍ଥାୟୀ ଜ୍ୱର, ଡାଇରିଆ ଓ କାଶ ଭଳି ସମସ୍ୟା ଦେଖାଯାଇପାରେ ।

ଚିକିତ୍ସା ନକଲେ କ’ଣ ହୋଇପାରେ ?
HIVର ଚିକିତ୍ସା ନକରାଗଲେ ରୋଗପ୍ରତିରୋଧକ କ୍ଷମତା ଅତ୍ୟଧିକ ଦୁର୍ବଳ ହୋଇପାରେ ଏବଂ ଗୁରୁତର ସଂକ୍ରମଣ ଓ କିଛି କ୍ୟାନ୍ସରର ଝୁମ୍ପ ବଢ଼ିପାରେ । ଏଥିରେ ଟ୍ୟୁବରକ୍ୟୁଲୋସିସ୍ (TB), କ୍ରିପ୍ଟୋକୋକାଲ୍ ମେନିଞ୍ଜାଇଟିସ୍, ଗୁରୁତର ବ୍ୟାକ୍ଟେରିଆଲ୍ ସଂକ୍ରମଣ ଏବଂ ଲିମ୍ଫୋମା କିମ୍ବା କାପୋସି ସାର୍କୋମା ଭଳି କ୍ୟାନ୍ସର ସାମିଲ ହୋଇପାରେ ।

HIV ରୋଗୀଙ୍କୁ ଦରକାର ସମର୍ଥନ, ଭେଦଭାବ ନୁହେଁ
HIV ସମ୍ପର୍କରେ ସଠିକ୍ ସୂଚନା ଜାଣିବା ଏବଂ ଭୁଲ ଧାରଣାରୁ ଦୂରେଇ ରହିବା ଅତ୍ୟନ୍ତ ଜରୁରୀ । HIV ସହିତ ଜୀବନ ବିତାଉଥିବା ବ୍ୟକ୍ତିଙ୍କୁ ତିରସ୍କାର କିମ୍ବା ଦୂରେଇ ରଖିବା ବଦଳରେ ସମର୍ଥନ, ସମ୍ବେଦନଶୀଳତା ଓ ସମ୍ମାନ ଦେବା ଆବଶ୍ୟକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କେବଳ ଜଣେ ବ୍ୟକ୍ତିଙ୍କୁ ଦେଖି HIV ରହିଛି କି ନାହିଁ କହିହେବ ନାହିଁ । ନିଶ୍ଚିତ ଭାବେ ଜାଣିବା ପାଇଁ ଉପଯୁକ୍ତ HIV ପରୀକ୍ଷା ଆବଶ୍ୟକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: