Videos
|
International

Volcano Eruption / ୩୦ ସେକେଣ୍ଡରେ ଦୁଇ ଥର ଫାଟିଲା ଜ୍ଵାଳାମୁଖୀ; ବନ୍ଦ ହେଲା ସମସ୍ତ ବିମାନ ଉଡ଼ାଣ

Sushanta Sahoo
Browse all articles by Sushanta Sahoo
·43 mins ago·2 min read
୩୦ ସେକେଣ୍ଡରେ ଦୁଇ ଥର ଫାଟିଲା ଜ୍ଵାଳାମୁଖୀ; ବନ୍ଦ ହେଲା ସମସ୍ତ ବିମାନ ଉଡ଼ାଣ
Anak Krakatau volcano affected air travel

Key Points

ଇଣ୍ଡୋନେସିଆର ଜ୍ଵାଳାମୁଖୀ ବିଜ୍ଞାନ ଏଜେନ୍ସି ଓ ଅଷ୍ଟ୍ରେଲିଆର ଡର୍ବିନ୍ ଭୋଲ୍କୋନିକ ଆଶ୍ ଆଡଭାଇଜରି ସେଣ୍ଟର ସାଟେଲାଇଟ୍ ଫଟୋ ଆଧାରରେ ଜ୍ଵାଳାମୁଖୀ ଦୁଇଥର ଫାଟିଥିବା କହିଛନ୍ତି । ଜ୍ଵାଳାମୁଖୀ ଫାଟିବା ପରେ ପ୍ରଥମ ନିଆଁ ୨୦ ହଜାର ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ପହଞ୍ଚିବା ସହ ଉତ୍ତର-ପୂର୍ବ ଦିଗକୁ ବ୍ୟାପିଥିଲା ।
ନୂଆଦିଲ୍ଲୀ: ଇଣ୍ଡୋନେସିଆର ଅନାକ କ୍ରାକାଟୋଆ ଜ୍ୱାଳାମୁଖୀରେ ରବିବାର ଭୋର ସମୟରେ ବିସ୍ଫୋରଣ ହୋଇଛି । ଏହା ପରେ ବାହାରିଥିବା ଜ୍ୱାଳାମୁଖୀ ନିଆଁ ପଶ୍ଚିମ ଇଣ୍ଡୋନେସିଆର ବିଭିନ୍ନ ଅଞ୍ଚଳକୁ ବ୍ୟାପି ଯାଇଛି । ନିଆଁର ପ୍ରଭାବରେ ଜାକର୍ତ୍ତା ନିକଟ ସୁକାର୍ଣ୍ଣୋ-ହଟ୍ଟା ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡ଼ାଣ ବାତିଲ୍ କରି ଦିଆଯାଇଛି ।

ଇଣ୍ଡୋନେସିଆର ଭୂ-ବୈଜ୍ଞାନିକ ଏଜେନ୍ସି ଅନୁସାରେ, ଜାଭା ଓ ସୁମାତ୍ରାର ପ୍ରମୁଖ ଦ୍ଵୀପ ସୁଣ୍ଡା ଷ୍ଟ୍ରେଟରେ ଥିବା ଜ୍ଵାଳାମୁଖୀର ଗତିବିଧି ବଢ଼ୁଥିବା ନେଇ ଶନିବାର ସଂକେତ ମିଳିଥିଲା । ରବିବାର ଭୋର୍ ସମୟ ୩ଟା ୩୫ ମିନିଟ୍‌ରେ ଜ୍ଵାଳାମୁଖୀ ପ୍ରାୟ ୩୦ ସେକେଣ୍ଡ ଧରି ବିସ୍ଫୋରଣ ହୋଇଥିଲା ।

ତେବେ ଜ୍ଵାଳାମୁଖୀ ବିସ୍ଫୋରଣ ଯୋଗୁଁ କେହି ମୃତାହତ ହୋଇ ନାହାନ୍ତି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ସେଠାରୁ ସ୍ଥାନାନ୍ତର କରିବାକୁ କୌଣସି ନର୍ଦ୍ଦେଶ ନାହିଁ । ଜ୍ଵାଳାମୁଖୀ ଠାରୁ ନିକଟସ୍ଥ ଜନବସତି ୧୬ କିଲୋମିଟର ଦୂରରେ ରହିଛି । ତଥାପି ସରକାରୀ ଏଜେନ୍ସି, ଲୋକଙ୍କୁ ଓ ପର୍ଯ୍ୟଟକଙ୍କୁ ଜ୍ଵାଳାମୁଖୀ ଠାରୁ ଅତି କମ୍‌ରେ ୩ କିଲୋମିଟର ଦୂରରେ ରହିବାକୁ ଚେତାବନୀ ଦେଇଛନ୍ତି ।


ଜ୍ଵାଳାମୁଖୀ ବିସ୍ଫୋରଣ ପରେ ବିମାନ ଚଳାଚଳ ସୁରକ୍ଷିତ ନଥିବା ଆଶଙ୍କାରେ ଅଧିକାରୀମାନେ ଉଡ଼ାଣକୁ ସାମୟିକ ଭାବେ ବନ୍ଦ କରି ଦେଇଛନ୍ତି । ଇଣ୍ଡୋନେସିଆ ପରିବହନ ମନ୍ତ୍ରଣାଳୟ କହିଛି, ନିଆଁର ସ୍ଥିତି ଓ ବିମାନ ଚଳାଚଳ ଉପରେ ଏହାର ପ୍ରଭାବକୁ ଅନୁଧ୍ୟାନ କରାଯାଉଛି ।

ଏଥିସହ ପଢ଼ନ୍ତୁ: ପ୍ରଳୟଙ୍କାରୀ ବନ୍ୟା; ୧୧ ଦିନ ପରେ କେମିତି ଅଛି ନେପାଳ ? 

ଏହି ଘଟଣାରେ ଜାକର୍ତ୍ତା ବିମାନବନ୍ଦରରେ ଶତାଧିକ ଫ୍ଲାଇଟ୍ ପ୍ରଭାବିତ ହୋଇଛି । ଇଣ୍ଡୋନେସିଆର ଅଧିକାରୀଙ୍କ ପ୍ରାରମ୍ଭିକ ତଥ୍ୟ ଅନୁସାରେ ୨୦୯ଟି ଫ୍ଲାଇଟ୍ ପ୍ରଭାବିତ ହୋଇଛି । ଯେଉଁଥିରେ ଅନ୍ତର୍ଜାତୀୟ ଓ ଘରୋଇ ଉଡ଼ାଣ ରହିଛି। କିଛି ଫ୍ଲାଇଟ୍ ବାତିଲ ହୋଇଥିବା ବେଳେ କିଛି ବିଳମ୍ବିତ ଓ ଅନ୍ୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଛି ।

ରିପୋର୍ଟ ଅନୁସାରେ, ଅନାକ କ୍ରାକାଟୋଆରୁ ବାହାରିଥିବା ନିଆଁ ପ୍ରାୟ ୫୦ ହଜାର ଫୁଟ୍ ବା ୧୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ପହଞ୍ଚିଥିଲା । ନିଆଁ ଯୋଗୁଁ ବିମାନ ଇଞ୍ଜିନ୍‌ରେ ସମସ୍ୟା ହେବା ଓ ଦୃଶ୍ୟମାନତା କମିବା ଆଶଙ୍କା ଥିବାରୁ ବିମାନ ଚଳାଚଳରେ ସତର୍କତା ଅବଲମ୍ବନ କରାଯାଇଛି ।

ବିସ୍ଫୋରଣର ପ୍ରଭାବ କେବଳ ବିମାନ ଚଳାଚଳରେ ସୀମିତ ରହିନାହିଁ । କିଛି ଅଞ୍ଚଳରେ ସ୍କୁଲ୍ କାର୍ଯ୍ୟକ୍ରମ ଓ ମାଛ ଧରା କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି। ଛାର ଯୋଗୁଁ ଆଖିରେ ଜ୍ୱଳନ ଭଳି ସମସ୍ୟା ଦେଖା ଦେଇଥିବା ଜଣାପଡ଼ିଛି ।

ଇଣ୍ଡୋନେସିଆର ଜ୍ଵାଳାମୁଖୀ ବିଜ୍ଞାନ ଏଜେନ୍ସି ଓ ଅଷ୍ଟ୍ରେଲିଆର ଡର୍ବିନ୍ ଭୋଲ୍କୋନିକ ଆଶ୍ ଆଡଭାଇଜରି ସେଣ୍ଟର ସାଟେଲାଇଟ୍ ଫଟୋ ଆଧାରରେ ଜ୍ଵାଳାମୁଖୀ ଦୁଇଥର ଫାଟିଥିବା କହିଛନ୍ତି । ଜ୍ଵାଳାମୁଖୀ ଫାଟିବା ପରେ ପ୍ରଥମ ନିଆଁ ୨୦ ହଜାର ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ପହଞ୍ଚିବା ସହ ଉତ୍ତର-ପୂର୍ବ ଦିଗକୁ ବ୍ୟାପିଥିଲା । ସେହିଭଳି ଜ୍ଵାଳାମୁଖୀ ୩୦ ସେକେଣ୍ଡ ମଧ୍ୟରେ ଦ୍ଵିତୀୟ ଥର ଫାଟି ନିଆଁ ୫୦ ହଜାର ଫୁଟ୍ ଉଚ୍ଚତାକୁ ବ୍ୟାପିବା ସହ ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗରେ ବଢ଼ିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: