Videos
|
International

Shortest War in History / ଇତିହାସର ସବୁଠାରୁ ଛୋଟ ଯୁଦ୍ଧ, ମାତ୍ର ୩୮ ମିନିଟ୍‌ରେ ହୋଇଥିଲା ଶେଷ !

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·3 min read
ଇତିହାସର ସବୁଠାରୁ ଛୋଟ ଯୁଦ୍ଧ, ମାତ୍ର ୩୮ ମିନିଟ୍‌ରେ ହୋଇଥିଲା ଶେଷ !
Shortest War in History

Key Points

୩୮ ମିନିଟ୍‌ରେ ଧ୍ୱଂସ ମହଲ
ଯୁଦ୍ଧ ଅଧାରୁ ପଳାଇଲେ ସୁଲତାନ
ଏହା ଥିଲା ଇତିହାସର ସବୁଠାରୁ ଛୋଟ ଯୁଦ୍ଧ
ବିଶ୍ୱ ଇତିହାସରେ ଅନେକ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଛି । କିନ୍ତୁ ଏମିତି ଏକ ଯୁଦ୍ଧ ମଧ୍ୟ ହୋଇଥିଲା, ଯାହା ଗୋଟିଏ ଫିଲ୍ମ ଠାରୁ ମଧ୍ୟ କମ୍ ସମୟରେ ଶେଷ ହୋଇଯାଇଥିଲା । କାହିଁକି ଆରମ୍ଭ ହୋଇଥିଲା ଏହି ଯୁଦ୍ଧ ? କିଏ କାହା ବିରୋଧରେ ଲଢ଼ିଥିଲା ? ଏବଂ ମାତ୍ର ୩୮ ମିନିଟ୍‌ରେ କିପରି ଜଣେ ସୁଲତାନଙ୍କ ରାଜୁତି ଶେଷ ହୋଇଗଲା ? ଏହି ଘଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଇତିହାସରେ ଅନେକ ଯୁଦ୍ଧ ମାସ ମାସ ଓ ବର୍ଷ ବର୍ଷ ଧରି ଚାଲିଛି । ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାକୁ ମଧ୍ୟ ଦୁନିଆ ଆଜି ପର୍ଯ୍ୟନ୍ତ ଭୁଲିପାରିନାହିଁ । କିନ୍ତୁ ଆପଣ ଜାଣନ୍ତି କି, ଇତିହାସରେ ଏମିତି ଏକ ଯୁଦ୍ଧ ମଧ୍ୟ ହୋଇଥିଲା, ଯାହା ଦିନ କିମ୍ବା ସପ୍ତାହ ନୁହେଁ, ମାତ୍ର ୩୮ ମିନିଟ୍‌ରେ ଶେଷ ହୋଇଯାଇଥିଲା ? ଏହି ଯୁଦ୍ଧକୁ ଇତିହାସର ସବୁଠାରୁ କମ୍ ସମୟ ଚାଲିଥିବା ଯୁଦ୍ଧ ଭାବେ ଗଣାଯାଏ । ଏତେ କମ୍ ସମୟର ଏହି ଯୁଦ୍ଧ ଇତିହାସରେ ସବୁଦିନ ପାଇଁ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି ।

ନୂଆ ସୁଲତାନଙ୍କ ଜିଦ୍‌ରୁ ଆରମ୍ଭ ହୋଇଥିଲା ଯୁଦ୍ଧ

ସୁଲତାନ ହମଦଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ଭାଇ ଖାଲିଦ ବିନ୍ ବରଘଶ ବ୍ରିଟେନର ଇଚ୍ଛା ବିରୋଧରେ ନିଜକୁ ଜାଞ୍ଜିବାରର ନୂଆ ସୁଲତାନ ଘୋଷଣା କରିଥିଲେ । ସେ ସମୟରେ ଜାଞ୍ଜିବାର ଉପରେ ବ୍ରିଟିଶ ପ୍ରଭାବ ରହିଥିଲା । ଏକ ଚୁକ୍ତି ଅନୁଯାୟୀ, ବ୍ରିଟିଶ କନସଲଙ୍କ ଅନୁମତି ପରେ ହିଁ ଜାଞ୍ଜିବାରର ନୂଆ ସୁଲତାନ ଗାଦିରେ ବସିପାରୁଥିଲେ ।

କିନ୍ତୁ ଖାଲିଦ ବିନ୍ ବରଘଶ ବ୍ରିଟିଶଙ୍କ ଅନୁମତି ନ ନେଇ ନିଜକୁ ସୁଲତାନ ଘୋଷଣା କରିଦେଲେ । ବ୍ରିଟିଶ ଅଧିକାରୀମାନେ ତାଙ୍କୁ ତୁରନ୍ତ ଗାଦି ଛାଡ଼ି ମହଲରୁ ବାହାରିବାକୁ ନିର୍ଦ୍ଦେଶ ଦେଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ ଖାଲିଦ ଏହି ଚେତାବନୀକୁ ଗୁରୁତ୍ୱ ଦେଲେ ନାହିଁ । ସେ ଗାଦି ଛାଡ଼ିବାକୁ ସିଧାସଳଖ ମନା କରିଦେଲେ । ଏପରିକି ବ୍ରିଟିଶ ସେନାର ମୁକାବିଲା ପାଇଁ ନିଜ ମହଲ ଚାରିପାଖରେ ପ୍ରାୟ ୩,୦୦୦ ସୈନିକ ମୁତୟନ କରିଥିଲେ ।

୩୮ ମିନିଟ୍‌ର ଭୟଙ୍କର ଯୁଦ୍ଧ

ବ୍ରିଟିଶ ସେନା ଖାଲିଦଙ୍କୁ ଆତ୍ମସମର୍ପଣ ପାଇଁ ୨୭ ଅଗଷ୍ଟ ସକାଳ ୯ଟା ପର୍ଯ୍ୟନ୍ତ ସମୟ ଦେଇଥିଲା । କିନ୍ତୁ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ସେ ଆତ୍ମସମର୍ପଣ କରିନଥିଲେ । ଏହାପରେ ସକାଳ ୯ଟା ୨ ମିନିଟ୍‌ରେ ବ୍ରିଟିଶ ନୌସେନାର ଯୁଦ୍ଧଜାହାଜଗୁଡ଼ିକ ସୁଲତାନଙ୍କ ମହଲ ଉପରେ ଭୟଙ୍କର ବୋମାମାଡ଼ ଆରମ୍ଭ କରିଥିଲେ । ବ୍ରିଟିଶ ଯୁଦ୍ଧଜାହାଜରୁ ନିକ୍ଷେପ ହେଉଥିବା ବୋମା କିଛି ମିନିଟ୍‌ ମଧ୍ୟରେ ମହଲକୁ ଧ୍ୱଂସସ୍ତୂପରେ ପରିଣତ କରିଦେଇଥିଲା । ଜାଞ୍ଜିବାର ସେନା ପାଖରେ ବ୍ରିଟିଶ ସେନାର ଆଧୁନିକ ଅସ୍ତ୍ରଶସ୍ତ୍ର ଓ ତୋପର ମୁକାବିଲା କରିବାର ସାମର୍ଥ୍ୟ ନଥିଲା । ମହଲର କାଠ ନିର୍ମିତ ଅଂଶରେ ନିଆଁ ଲାଗିଯାଇଥିଲା । ଶେଷରେ ସକାଳ ୯ଟା ୪୦ ମିନିଟ୍‌ରେ, ଅର୍ଥାତ୍ ମାତ୍ର ୩୮ ମିନିଟ୍‌ ପରେ ଜାଞ୍ଜିବାର ସେନା ଯୁଦ୍ଧର ପତାକା ତଳକୁ କରି ପଛକୁ ହଟିଯାଇଥିଲେ ।

ମହଲ ଛାଡ଼ି ପଳାଇଥିଲେ ସୁଲତାନ

ମାତ୍ର ୩୮ ମିନିଟ୍‌ ଧରି ଚାଲିଥିବା ଏହି ଭୟଙ୍କର ଗୋଳାବର୍ଷଣରେ ଜାଞ୍ଜିବାରର ପ୍ରାୟ ୫୦୦ ସୈନିକ ଓ ସାଧାରଣ ଲୋକ ମୃତ କିମ୍ବା ଆହତ ହୋଇଥିବା କୁହାଯାଏ । ଅନ୍ୟପଟେ ବ୍ରିଟିଶ ସେନାର କେବଳ ଜଣେ ସୈନିକ ଆହତ ହୋଇଥିଲେ ଏବଂ ପରେ ସେ ସୁସ୍ଥ ହୋଇଥିଲେ ।

ବ୍ରିଟିଶ ତୋପ ସାମ୍ନାରେ ଆଉ ଅଧିକ ସମୟ ତିଷ୍ଠିବା ସମ୍ଭବ ନୁହେଁ ବୋଲି ବୁଝିବା ପରେ ସୁଲତାନ ଖାଲିଦ ବିନ୍ ବରଘଶ ମହଲର ପଛ ରାସ୍ତା ଦେଇ ପଳାଇ ଯାଇଥିଲେ । ପରେ ସେ ସ୍ଥାନୀୟ ଜର୍ମାନ ଦୂତାବାସରେ ଆଶ୍ରୟ ନେଇଥିଲେ ।

ଏହିପରି ମାତ୍ର ୩୮ ମିନିଟ୍‌ରେ ଶେଷ ହୋଇଥିବା ଜାଞ୍ଜିବାର ଯୁଦ୍ଧ ଇତିହାସର ସବୁଠାରୁ କମ୍ ସମୟ ଚାଲିଥିବା ଯୁଦ୍ଧ ଭାବେ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି ।