Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Bangladesh New PM / ବାଂଲାଦେଶ ଜନାଦେଶ; BNPକୁ ସ୍ପଷ୍ଟ ବହୁମତ; ତାରିକ ରହମାନଙ୍କୁ ମୋଦିଙ୍କ ଶୁଭେଚ୍ଛା

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·4 min read
ବାଂଲାଦେଶ ଜନାଦେଶ; BNPକୁ ସ୍ପଷ୍ଟ ବହୁମତ; ତାରିକ ରହମାନଙ୍କୁ ମୋଦିଙ୍କ ଶୁଭେଚ୍ଛା
Bangladesh New PM

Key Points

ବାଂଲାଦେଶରେ ସରିଲା ସାଧାରଣ ନିର୍ବାଚନ
ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିକୁ ସ୍ପଷ୍ଟ ବହୁମତ
ତାରିକ ରହମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
ଶେଖ ହାସିନା ସରକାରର ପତନ ଓ ବାଂଲାଦେଶରେ ୧୮ ମାସ ଧରି ଲାଗି ରହିଥିବା ହିଂସାକାଣ୍ଡ ପରେ ଦେଶରେ ପ୍ରଥମ କରି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)କୁ ସ୍ପଷ୍ଟ ବହୁମତ ମିଳିଛି । ଦଳ ୩୦୦ରୁ ୨୧୨ଟି ଆସନରେ ବିଜୟ ହାସଲ କରିଛି । ପ୍ରାୟ ୨ ଦଶନ୍ଧି ପରେ ବିଏନପି ଶାସନ କ୍ଷମତାକୁ ଫେରିବାକୁ ଯାଉଛି । ଏହି ବିଶାଳ ବିଜୟକୁ ନେଇ ଦଳର ମୁଖ୍ୟ ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।

ବାଂଲାଦେଶ ନିର୍ବାଚନ ଭାରତ ପାଇଁ ମଧ୍ୟ ବେଶ ଗୁରୁତ୍ଵପୂର୍ଣ୍ଣ । କାରଣ ଶେଖ ହାସିନାଙ୍କ ସରକାରର ପତନ ପରେ ବାଂଲାଦେଶ ସହିତ ଭାରତର ସମ୍ପର୍କ ସର୍ବନିମ୍ନ ସ୍ତରକୁ ପହଞ୍ଚିଛି । ଶେଖ ହାସିନାଙ୍କ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଦାୟିତ୍ୱ ଗ୍ରହଣ କରିଥିଲା । ଏହି ସମୟରେ ବାଂଲାଦେଶୀ ହିନ୍ଦୁଙ୍କ ଉପରେ ଆକ୍ରମଣ ହୋଇଥିବାବେଳେ ଭାରତ ବିରୋଧୀ ବିଚାରଧାରା ଉପୁଜିଥିଲା । ତେବେ ବିଏନପି କ୍ଷମତାକୁ ଆସିଲେ ଭାରତ ଉତ୍ତମ ସମ୍ପର୍କ ସ୍ଥାପନ ଲକ୍ଷ୍ୟରେ ରହିଛି ।

  • ତାରିକ ରହମାନଙ୍କୁ ମୋଦିଙ୍କ ଶୁଭେଚ୍ଛା
ବିଏନପି ବାଂଲାଦେଶ ସାଧାରଣ ନିର୍ବାଚନରେ ସ୍ପଷ୍ଟ ବହୁମତ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଜୟକୁ ବାଂଲାଦେଶର ଜନତାଙ୍କ ଆକାଂକ୍ଷା ଓ ଗଣତାନ୍ତ୍ରିକ ବିଶ୍ଵାସର ପ୍ରତୀକ ବୋଲି କହିଛନ୍ତି । ପିଏମ ମୋଦି ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ତାରିକ ରହମାନଙ୍କ ସହିତ କଥାବାର୍ତ୍ତା କରି ତାଙ୍କୁ ଏହି ଐତିହାସିକ ବିଜୟ ଲାଗି ଶୁଭକାମନା ଜଣାଇଛି । ଏହାସହିତ ମୋଦି ନିଜ ପୋଷ୍ଟରେ ଭାରତ ଓ ବାଂଲାଦେଶ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ବଜାୟ ରଖିବା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରଖିଛନ୍ତି ।



  • ବାଂଲାଦେଶ ସାଧାରଣ ନିର୍ବାଚନର ଫଳାଫଳ
ସୂଚନା ଥାଉ କି, ବାଂଲାଦେଶର ୧୩ତମ ସଂସଦୀୟ ନିର୍ବାଚନରେ ବିଏନପିକୁ ସ୍ପଷ୍ଟ ବହୁମତ ମିଳିଛି । ଦଳ ନେତୃତ୍ୱାଧୀନ ମେଣ୍ଟ ୩୦୦ ସଦସ୍ୟ ବିଶିଷ୍ଟ ସଂସଦରେ ଦୁଇ-ତୃତୀୟାଂଶ ବହୁମତ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି । ଏହି ନିର୍ବାଚନକୁ ବାଂଲାଦେଶୀ ରାଜନୀତିରେ ଏକ ପ୍ରମୁଖ ମୋଡ଼ ବୋଲି ବିବେଚନା କରାଯାଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ କ୍ଷମତାରୁ ବହିଷ୍କାର କରାଯିବା ପରେ ଏହି ନିର୍ବାଚନ ପ୍ରଥମ ପ୍ରମୁଖ ସାଧାରଣ ନିର୍ବାଚନ ଥିଲା । ଲମ୍ବା ରାଜନୈତିକ ବ୍ୟବଧାନ ପରେ ବିଏନସପି ଶାସନ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି । ବିଏନପି ସାଧାରଣ ନିର୍ବାଚନରେ ବିଜୟ ହାସଲ କରିବା ପରେ ଦେଶବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛି ।

  • ଶେଖ ହାସିନାଙ୍କ ଘଟିଥିଲା ପତନ
ଗତବର୍ଷ ଅଗଷ୍ଟ ୨୦୨୪ ମସିହାରେ ଛାତ୍ର ଆନ୍ଦୋଳନ ସମୟରେ ୧୫ ବର୍ଷ ଧରି ଶାସନ ଗାଦିରେ ବସିଥିବା ଶେଖ ହାସିନା ସରକାରର ପତନ ଘଟିଥିଲା । ଏହାପରେ ଦେଶରେ ଅନ୍ତରୀଣ ସରକାର ଆସିଥିଲା, ଯାହାର ନେତୃତ୍ଵ ନେଇଥିଲେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ କରୁଥିଲେ । ଏବେ ନିର୍ବାଚନ ଫଳାଫଳ ଆସିବା ପରେ ଦୁଇ ଦଶନ୍ଧି ପରେ ବିଏନପି ଶାସନ କ୍ଷମତାକୁ ଫେରିଛି ଓ ବିଏନପି ନେତା ତାରିକ ରହମାନ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ରହିଛି ।

ଏଥିସହ ପଢନ୍ତୁ: ଭାରତ ଛାଡ଼ିଦେବେ ହସିନା: ଫେରିବେ ନିଜ ଦେଶକୁ, ଆଉ ତା'ପରେ ଦିଆଯିବ...

  • ତାରିକ ରହମାନ କିଏ ?

ବିଏନପି ନେତା ତାରିକ ରହମାନ ହେଉଛନ୍ତି ବାଂଲାଦେଶର ରାଷ୍ଟ୍ରପତି ଜିୟା ଉର ରହମାନ ଓ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ବଡ଼ ପୁଅ । ସେ ୧୯୬୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ନିଜର ରାଜନୈତିକ ଉଦୟକୁ ଉଭୟ ଦଳ ଭିତରେ ଓ ବାହାରେ ସୁନିଶ୍ଚିତ କରିଥିଲେ । ପ୍ରାରମ୍ଭିକ ସମୟରୁ ହିଁ ସେ ରାଜନୀତିରେ ବେଶ ସକ୍ରିୟ ରହୁଥିଲେ । ଯେତେବେଳେ ତାଙ୍କର ମାଆ ଖାଲିଦା ଜିୟା ୨୦୦୧ରୁ ୨୦୦୬ ମଧ୍ୟରେ ବାଂଲାଦେଶରେ ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ତାରିକ ଜଣେ ପ୍ରମୁଖ ରଣନୀତିକାର ଭାବେ ପୃଷ୍ଠଭୂମିରେ ରହି କାମ କରିଥିଲେ ।

ସେତେବେଳେ ସେ ସରକାରର କୌଣସି ପଦବୀରେ ରହି କାମ କରିନଥିଲେ ସୁଦ୍ଧା ତାଙ୍କୁ ଦଳର ପ୍ରମୁଖ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଗଣିତ କରାଯାଉଥିଲା । ଦଳରେ ନିଜର ସ୍ଥାନ ପକ୍କା କରିବା ପରେ ସେ ବିଏନପିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାମ କରିଥିଲେ । ବିଦେଶରେ ରହି ବି ସେ ଦଳ ଉପରେ ନିୟନ୍ତ୍ରଣ ରଖୁଥିଲେ । ୨୦୦୮ରେ ଯେତେବେଳେ ଶେଖ ହାସିନାଙ୍କ ଦଳ ଆୱାମୀ ଲିଗ୍ ସରକାରକୁ ଆସିଲା ସେତେବେଳେ ତାରିକ ନିଜ ସୁରକ୍ଷାକୁ ନେଇ ପ୍ରଶ୍ନ କରି ବାଂଲାଦେଶ ଛାଡ଼ି ଲଣ୍ଡନରେ ରହୁଥିଲେ । ୧୭ ବର୍ଷ ପରେ ସେ ଆୱାମୀ ଲିଗର ବିରୋଧାଭାଷ ମଧ୍ୟରେ ତାରିକକୁ ବାଂଲାଦେଶ ଫେରିଥିଲେ ଓ ପ୍ରଧାନମନ୍ତ୍ରୀ ପଦ ଦୌଡ଼ରେ ସାମିଲ ହୋଇ ଏକ ପ୍ରମୁଖ ଚେହେରା ପାଲଟିଲେ ।

ଆୱାମୀ ଲିଗ୍ ସରକାରରେ ତାରିକ ରହମାନଙ୍କ ଉପରେ ମନି ଲଣ୍ଡରିଂଠୁ ଆରମ୍ଭ କରି ଦୁର୍ନୀତି ଭଳି ଅନେକ ଗମ୍ଭୀର ଅଭିଯୋଗ ରହିଥିଲା । ବାଂଲାଦେଶ କୋର୍ଟ ଅନେକ ମାମଲାରେ ତାଙ୍କ ଅନୁପସ୍ଥିତି ଯୋଗୁଁ ତାରିକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ମାତ୍ର ତାରିକଙ୍କ ସମର୍ଥକ ଏହାକୁ ରାଜନୈତିକ ଷଡ଼ଯନ୍ତ୍ରର ନାମ ଦେଇଥିଲେ । ଏହି ନିର୍ବାଚନରେ ତାରିକ ଦୁଇଟି ଆସନରୁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ଉଭଯ ଆସନରୁ ସେ ବିଜୟୀ ହୋଇଛନ୍ତି । ସେ ଢାକା-୧୭ ଓ ବୋଗରା-୬ ଆସନରୁ ନିର୍ବାଚନ ଲଢିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bangladesh Election Who will be Bangladesh New Prime Minister | Argus News