Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତର ପଡ଼ୋଶୀ ବାଂଲାଦେଶରେ ବ୍ୟାପୁଛି ମିଳିମିଳା, ସତର୍କ କଲା WHO

International

Measles Outbreak / ଭାରତର ପଡ଼ୋଶୀ ବାଂଲାଦେଶରେ ବ୍ୟାପୁଛି ମିଳିମିଳା, ସତର୍କ କଲା WHO

Sushanta Sahoo
Browse all articles by Sushanta Sahoo
·2 hours ago·3 min read
ଭାରତର ପଡ଼ୋଶୀ ବାଂଲାଦେଶରେ ବ୍ୟାପୁଛି ମିଳିମିଳା, ସତର୍କ କଲା WHO
Measles Cases Surge in Bangladesh

Key Points

ମିଳିମିଳା ସହ ବାଂଲାଦେଶ ଲଢ଼ୁଛି । ସୂଚନା ଅନୁସାରେ, ମାର୍ଚ୍ଚ ୧୫ରୁ ଏବେ ସୁଦ୍ଧା ବାଂଲାଦେଶରେ ମିଳିମିଳାରେ ୨୫୦ରୁ ଅଧିକ ଜଣ ଆଖି ବୁଜିଛନ୍ତି ।
ଢାକା: ପ୍ରଥମେ ଜ୍ଵର, ପୁଣି ଦେହ ସାରା ଲାଲ୍ ଦାଗ । ଅସହ୍ୟ ଯନ୍ତ୍ରଣା ପରେ ଝରି ଯାଉଛି ଗୋଟିଏ ପରେ ଗୋଟିଏ କୋମଳମତି ଜୀବନ । ଏବେ ବାଂଲାଦେଶ ତାର ନିକଟ ଇତିହାସରେ ବଡ଼ଧରଣର ମିଳିମିଳା ସଂକ୍ରମଣର ସାମ୍ନା କରୁଛି । ଆଉ ଏଥିରେ ସର୍ବାଧିକ ଆକ୍ରାନ୍ତ ହେଉଛନ୍ତି ଛୋଟ ଛୁଆ ।

ବାଂଲାଦେଶରେ ବଢ଼ୁଥିବା ମିଳିମିଳା ସଂକ୍ରମଣକୁ ଦେଖି ଚିନ୍ତା ପ୍ରକଟ କରିଛି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO) । ମିଳିମିଳା ସଂକ୍ରମଣ ପଡ଼ୋଶୀ ଭାରତ ଓ ମିଆଁମାରକୁ ବ୍ୟାପିବା ନେଇ WHO ଆଶଙ୍କା କରିଛି । ତେବେ ଭାରତରେ ଶତପ୍ରତିଶତ ଟୀକାକରଣ ହେଉଥିବାରୁ ବିପଦ ଆଶଙ୍କା ସେତେଟା ନଥିବା ବିଶେଷଜ୍ଞ କହିଛନ୍ତି ।

ଏଥିସହ ପଢ଼ନ୍ତୁ: ବନ୍ଦ ହେବ ପ୍ଲାଷ୍ଟିକ୍ ପାଉଚ୍ ଗୁଟଖା, ଏଥର ଆସିବ ପେପରବୋର୍ଡ ପ୍ୟାକ୍ ହୋଇ 

ଗୋଟିଏ ସମୟରେ ବାଂଲାଦେଶ ମିଳିମିଳା ପାଇଁ ଟିକାକରଣ କ୍ଷେତ୍ରରେ ଦୁନିଆରେ ଆଗରେ ଥିଲା । ଏବେ ମିଳିମିଳା ସହ ବାଂଲାଦେଶ ଲଢ଼ୁଛି । ସୂଚନା ଅନୁସାରେ, ମାର୍ଚ୍ଚ ୧୫ରୁ ଏବେ ସୁଦ୍ଧା ବାଂଲାଦେଶରେ ମିଳିମିଳାରେ ୨୫୦ରୁ ଅଧିକ ଜଣ ଆଖି ବୁଜିଛନ୍ତି ।

ଏହି ସମୟରେ ବାଂଲାଦେଶରେ ମିଳିମିଳାର ୭ ହଜାର ୫୦୦ ମାମଲା ଆସିଛି । ଯାହା ପରେ ବାଂଲାଦେଶରେ ରବିବାର ଠାରୁ ଜରୁରୀକାଳୀନ ଭିତ୍ତିରେ ଟୀକାକରଣ ଅଭିଯାନ ଆରମ୍ଭ କରାଯାଇଛି ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁସାରେ, ବାଂଲାଦେଶର ସମସ୍ତ ୮ଟି ଡିଭିଜନର ୬୪ ଜିଲ୍ଲାରୁ ୫୮ଟି ଜିଲ୍ଲାରେ ମିଳିମିଳା ବ୍ୟାପିଛି । ଚିହ୍ନଟ ହୋଇଥିବା ୭୯ ପ୍ରତିଶତ ମାମଲାରେ ୫ ବର୍ଷରୁ କମ୍ ବୟସ୍କ ଶିଶୁ ଆକ୍ରାନ୍ତ ହୋଇଛନ୍ତି ।

ଦ ଡେଲି ଷ୍ଟାର ରିପୋର୍ଟରେ ଦାବି କରାଯାଇଛି, ବାଂଲାଦେଶର ୯୧ ପ୍ରତିଶତ ମିଳିମିଳା ମାମଲା ୧୪ ବର୍ଷରୁ କମ୍ ଛୁଆଙ୍କ ଠାରେ ଚିହ୍ନଟ ହୋଇଛି । ଏଥିସହ ମୃତ୍ୟୁବରଣ କରିଥିବା ଛୁଆଙ୍କ ବୟସ ୫ ବର୍ଷରୁ କମ୍ ଅଟେ ।

ଟୀକାକରଣରେ ଅବହେଳା

ବାଂଲାଦେଶରେ ପ୍ରତି ୪ ବର୍ଷରେ ଥରେ ମିଳିମିଳା ବିରୋଧରେ ସ୍ଵତନ୍ତ୍ର ଟୀକାକରଣ ଅଭିଯାନ ହୋଇଥାଏ । ଏହା ପୂର୍ବରୁ ୨୦୨୦ରେ ଅଭିଯାନ କରାଯାଇଥିଲା । କିନ୍ତୁ ରାଜନୈତିକ ଅସ୍ଥିରତା ଓ ମହାମାରୀ କୋଭିଡ୍ ପରେ ପରବର୍ତ୍ତୀ ଟୀକାକରଣ ସମୟରେ ହୋଇନଥିଲା ।

ବର୍ତ୍ତମାନର ସ୍ଵାସ୍ଥ୍ୟ ମନ୍ତ୍ରୀ ସରଦାର ସଖାୱତ ହୁସୈନ କହିଛନ୍ତି, "ୟୁନୁସ ସରକାର ସମୟରେ ଟୀକାକରଣ ହାର ୨୦୨୫ରେ ୫୯.୬ ପ୍ରତିଶତକୁ ଖସି ଆସିଥିଲା । ଯେତେବେଳେ କି ୨୦୧୭ରୁ ୨୦୨୩ ପର୍ଯ୍ୟନ୍ତ ଟୀକାକରଣ ହାର ସବୁବେଳେ ୮୯ ପ୍ରତିଶତରୁ ଅଧିକ ରହୁଥିଲା ।"

ମିଳିମିଳା କେମିତି ବ୍ୟାପେ ?

ଏହା ହେଉଛି ଏକ ଭାଇରାଲ୍ ରୋଗ । ଯାହା ଶୀଘ୍ର ବ୍ୟାପିଥାଏ ଏବଂ ସମସ୍ତ ବୟସର ଲୋକଙ୍କୁ ସଂକ୍ରମଣ କରିପାରେ । କିନ୍ତୁ ଏହା ଛୋଟ ଛୁଆଙ୍କ ଲାଗି ଅଧିକ ବିପଜ୍ଜନକ ହୋଇପାରେ । ଦୁନିଆରେ ମିଳିମିଳାରେ ମୃତ୍ୟୁବରଣ ମାମଲା ମଧ୍ୟରୁ ଅଧିକାଂଶ ଛୋଟ ଛୁଆ । ଏହା ବାୟୁ ଦ୍ଵାରା ବ୍ୟାପିଥାଏ । ନାକ, ମୁହଁ କିମ୍ବା ଗଳାରେ ବୁନ୍ଦା ଦ୍ଵାରା ସଂକ୍ରମିତ କରିଥାଏ ।

ଏଥିସହ ପଢ଼ନ୍ତୁ: ବିବାହ ପରେ ଅଲଗା ସାତ ମାସ ପରେ ଯମଜ ସନ୍ତାନ, ଖୋଲିଲା ନବବଧୂର ରହସ୍ୟ 

ମିଳିମିଳାର ଲକ୍ଷଣ ୧୦ରୁ ୧୪ ଦିନ ପରେ ଦେଖାଯାଏ । ପ୍ରବଳ ଜ୍ଵର ଆସିବା ସହ ନାକରୁ ପାଣି ବହେ, ଆଖି ଲାଲ୍ ହୋଇଯାଏ, କଫ ପଡ଼େ ଏବଂ ପାଟିରେ ଧଳା ଦାଗ ଦେଖାଯାଏ । କିଛିଦିନ ପରେ ମୁହଁରେ ଓ ଦେହରେ ଲାଲ୍ ଦାଗ ଦେଖାଯାଏ ।

ଟୀକାକରଣ ଓ ଭାରତର ସ୍ଥିତି

WHO ଓ UNICEF ତଥ୍ୟ ଅନୁସାରେ, ୨୦୨୪-୨୦୨୫ ବର୍ଷରେ ଭାରତରେ ଯଥାକ୍ରମେ ୯୭ ଓ ୯୨ ପ୍ରତିଶତଙ୍କୁ ପ୍ରଥମ ଓ ଦ୍ଵିତୀୟ ଡୋଜ୍ ଟିକା ଦିଆଯଇଛି । ଭାରତ ସରକାର ଦେଶକୁ ୨୦୨୬ ଶେଷ ସୁଦ୍ଧା ମିଳିମିଳା ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
WHO Warns of Measles Outbreak in Bangladesh, Risk to India | Argus News | Argus News