Videos
|
International

Canada US Trade War / ଟ୍ରମ୍ପଙ୍କ ଟାରିଫ୍‌କୁ ପାଲଟା ଝଟକା, ଆମେରିକା ସାମଗ୍ରୀ ଉପରେ ୫୦% ଶୁଳ୍କ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଟ୍ରମ୍ପଙ୍କ ଟାରିଫ୍‌କୁ ପାଲଟା ଝଟକା, ଆମେରିକା ସାମଗ୍ରୀ ଉପରେ ୫୦% ଶୁଳ୍କ
Canada US Trade War

Key Points

ଆମେରିକା-କାନାଡା ଟ୍ରେଡ୍ ୱାର
ଟ୍ରମ୍ପଙ୍କୁ କାନାଡାର ବଡ଼ ପାଲଟା ଆକ୍ରମଣ
ଆମେରିକୀୟ ଉତ୍ପାଦ ଉପରେ ଲାଗିଲା ୫୦% ଟାରିଫ୍
ବିଶ୍ୱରେ ପୁଣିଥରେ ବଢ଼ିବାରେ ଲାଗିଛି ଟ୍ରେଡ୍ ୱାରର ଆଶଙ୍କା । ଏଥର ମୁହାଁମୁହିଁ ହୋଇଛନ୍ତି ଦୁଇ ପଡ଼ୋଶୀ ଦେଶ—ଆମେରିକା ଓ କାନାଡା । ଗୋଟିଏ ପଟେ ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ବୋମା, ଅନ୍ୟପଟେ କାନାଡାର ପାଲଟା ଆକ୍ରମଣ । ଶହ ଶହ ଆମେରିକୀୟ ସାମଗ୍ରୀ ଉପରେ ଭାରି ଶୁଳ୍କ ଲଗାଇ କାନାଡା ଦେଇଛି କଡ଼ା ଜବାବ । ଏହି ଟାରିଫ୍‌ ଯୁଦ୍ଧ ଏବେ କେବଳ ଦୁଇ ଦେଶ ମଧ୍ୟରେ ସୀମିତ ନାହିଁ; ବରଂ ପୁଣିଥରେ ସାରା ବିଶ୍ୱକୁ ଘାରିଛି ନୂଆ ଟ୍ରେଡ୍ ୱାରର ଭୟ ।

ରିପୋର୍ଟ ଅନୁସାରେ, କାନାଡା ଆମେରିକାର ୭୦୦ରୁ ଅଧିକ ସାମଗ୍ରୀ ଉପରେ ୧୫%ରୁ ୫୦% ପର୍ଯ୍ୟନ୍ତ ଟାରିଫ୍ ଲାଗୁ କରିଛି । ଏହି ନୂଆ ଟାରିଫ୍‌ ସେପ୍ଟେମ୍ବର ୮ରୁ ଲାଗୁ ହୋଇଛି । ଏହାର ମୋଟ ବାଣିଜ୍ୟିକ ମୂଲ୍ୟ ପ୍ରାୟ ୨୭.୬ ବିଲିୟନ୍ କାନାଡିଆନ୍ ଡଲାର ବୋଲି କୁହାଯାଉଛି ।

କେଉଁ ସାମଗ୍ରୀ ଉପରେ ଟାରିଫ୍ ?

କାନାଡାର ଏହି ପାଲଟା କାର୍ଯ୍ୟାନୁଷ୍ଠାନରେ ଡେୟରୀ ପ୍ରଡକ୍ଟ, କୃଷି ଉପକରଣ, କାଗଜ, ଘରୋଇ ଉପକରଣ ଓ ଇଲେକ୍ଟ୍ରୋନିକ୍ସ ସମେତ ଅନେକ ଆମେରିକୀୟ ସାମଗ୍ରୀ ସାମିଲ ହୋଇଛି । ଆମେରିକୀୟ ଷ୍ଟିଲ୍, ଆଲୁମିନିୟମ୍ ଓ ଲୁହା ଉତ୍ପାଦ ଉପରେ ଟାରିଫ୍ ଦୁଇଗୁଣା ବଢ଼ି ୫୦% କରାଯାଇଛି । ଏହାଛଡ଼ା ଫର୍ଣ୍ଣିଚର, ମୋଟରସାଇକେଲ୍, ପୋଷାକ ଓ କିଛି ବ୍ୟୁଟି ପ୍ରଡକ୍ଟ ମଧ୍ୟ ଅଧିକ ଟାରିଫ୍ ଲାଗୁଥିବା ସାମଗ୍ରୀ ତାଲିକାରେ ରହିଛି ।

ଆମେରିକାର ପଦକ୍ଷେପର ପାଲଟା ଜବାବ

କାନାଡା କହିଛି ଯେ ଏହି ଟାରିଫ୍ ଆମେରିକାର ପୂର୍ବ ନିଷ୍ପତ୍ତିର ପ୍ରତିଶୋଧମୂଳକ ପଦକ୍ଷେପ । ଅଗଷ୍ଟ ୨୨ରେ ଆମେରିକା ପ୍ରାୟ ୨୦ ବିଲିୟନ୍ ଡଲାର ମୂଲ୍ୟର କାନାଡୀୟ ସାମଗ୍ରୀ, ଯେଉଁଥିରେ ମଦ, ହକି ଷ୍ଟିକ୍ ଓ ଅନ୍ୟାନ୍ୟ ଉତ୍ପାଦ ରହିଛି, ସେଗୁଡ଼ିକ ଉପରେ ୫୦% ଅତିରିକ୍ତ ଟାରିଫ୍ ଲଗାଇବାକୁ ଘୋଷଣା କରିଥିଲା ।
କାନାଡାର ଅର୍ଥ ବିଭାଗ କହିଛି ଯେ ଏହି ପଦକ୍ଷେପ ଦେଶର ଶ୍ରମିକ, ଉତ୍ପାଦକ ଓ ମାନୁଫ୍ୟାକ୍ଚରିଂ କ୍ଷେତ୍ରକୁ ସୁରକ୍ଷା ଦେବାରେ ସହାୟକ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟ୍ରମ୍ପଙ୍କ ପୁଣି ଚେତାବନୀ

କାନାଡାର ପାଲଟା ଟାରିଫ୍ ପରେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ କଠୋର ଆଭିମୁଖ୍ୟ ନେଇଛନ୍ତି । ଟ୍ରମ୍ପ କାନାଡା ଆମେରିକା ସହ ବାଣିଜ୍ୟରେ ଭେଦଭାବ କରୁଥିବା ଅଭିଯୋଗ କରିଛନ୍ତି । ସେପ୍ଟେମ୍ବର ୧୫ରୁ ଆମେରିକା ନିଜର ବର୍ତ୍ତମାନର ୫୦% ଟାରିଫ୍‌କୁ ଆହୁରି କିଛି କାନାଡୀୟ ସାମଗ୍ରୀ ଉପରେ ବଢ଼ାଇବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି । ଏହା ସହିତ ସେପ୍ଟେମ୍ବର ୨୯ରୁ କିଛି କାନାଡୀୟ ଡେୟରୀ ପ୍ରଡକ୍ଟ, ମୋଟରସାଇକେଲ୍ ଓ ମଦ୍ୟଜାତୀୟ ସାମଗ୍ରୀର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ମଧ୍ୟ ସଙ୍କେତ ଦିଆଯାଇଛି ।

ଦୁଇ ଦେଶ ମଧ୍ୟରେ ବିଶାଳ ବାଣିଜ୍ୟ

ଆମେରିକା ଓ କାନାଡା ମଧ୍ୟରେ ବ୍ୟାପକ ଆମଦାନୀ-ରପ୍ତାନୀ ହୋଇଥାଏ । ଆମେରିକାର ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟର ତଥ୍ୟ ଅନୁସାରେ, ୨୦୨୫ରେ ଆମେରିକା କାନାଡାକୁ ପ୍ରାୟ ୩୩୩.୬ ବିଲିୟନ୍ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରିଥିଲା । ସେହିପରି କାନାଡାରୁ ଆମେରିକା ପ୍ରାୟ ୩୮୧.୯ ବିଲିୟନ୍ ଡଲାରର ସାମଗ୍ରୀ ଆମଦାନୀ କରିଥିଲା ।

ଉଭୟ ଦେଶ ମଧ୍ୟରେ ଶକ୍ତି, ଅଟୋମୋବାଇଲ୍, ଭାରୀ ମେସିନାରୀ, ବିମାନ, ଫାର୍ମାସ୍ୟୁଟିକାଲ୍ସ, ରତ୍ନ ଓ ଅଳଙ୍କାର, ଫର୍ଣ୍ଣିଚର, ପୋଷାକ ସହିତ ବିଭିନ୍ନ ଖାଦ୍ୟ ଓ ପାନୀୟ ସାମଗ୍ରୀର ବ୍ୟବସାୟ ହୋଇଥାଏ । ଏପରି ସ୍ଥିତିରେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ଟାରିଫ୍ ଯୁଦ୍ଧ କେବଳ ଆମେରିକା ଓ କାନାଡାର ବାଣିଜ୍ୟକୁ ନୁହେଁ, ବରଂ ବିଶ୍ୱ ବାଣିଜ୍ୟ ଓ ଯୋଗାଣ ଶୃଙ୍ଖଳା ଉପରେ ମଧ୍ୟ ପ୍ରଭାବ ପକାଇପାରେ ।