Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Iran Israel Conflict / ବଢୁଛି ଯୁଦ୍ଧ, ମାଡ଼ି ଆସୁଛି ମହାବିପଦ...ବିଶ୍ବରେ ଦେଖାଦେବ ତୈଳ ଓ ଗ୍ୟାସ୍ ସଂକଟ

Santosh Kumar Sahoo
Browse all articles by Santosh Kumar Sahoo
·3 months ago·3 min read
ବଢୁଛି ଯୁଦ୍ଧ, ମାଡ଼ି ଆସୁଛି ମହାବିପଦ...ବିଶ୍ବରେ ଦେଖାଦେବ ତୈଳ ଓ ଗ୍ୟାସ୍ ସଂକଟ
War

Key Points

ଦିନକୁ ଦିନ ବଢୁଛି ଯୁଦ୍ଧ, ମାଡ଼ି ଆସୁଛି ମହାବିପଦ
ବିଶ୍ବରେ ଦେଖାଦେବ ତୈଳ ଓ ଗ୍ୟାସ୍ ସଂକଟ
ସାରା ପୃଥିବୀରେ ଭୁଷୁଡ଼ି ପଡ଼ିପାରେ ଅର୍ଥନୀତି
ତିନି ସପ୍ତାହ ହୋଇଗଲା, ଯୁଦ୍ଧ ବଢୁଛି ସିନା ଛିଡ଼ିବାର ନାଁ ନେଉନି । ପରିସ୍ଥିତି ଏପରି ହୋଇଛି ଯେ ଆଗାମୀ ଦିନରେ ମହାବିପଦ ମାଡ଼ି ଆସିପାରେ । କାରଣ ଇରାନ-ଆମେରିକା ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ଭିନ୍ନ ମୋଡ଼ ନେଇଛି । ପରସ୍ପରର ତୈଳ ବିଶୋଧନାଗାର ଉପରେ ମିସାଇଲ୍ ମାଡ଼ ସାରା ବିଶ୍ବରେ ତେଲ ଓ ଗ୍ୟାସର ସଂକଟ ସୃଷ୍ଟି କଲାଣି । ଯାହା ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିବ । ବିଦେଶୀ ତୈଳ ଉପରେ ନିର୍ଭର କରୁଥିବା ଭାରତ ସବୁଠାରୁ ଅଧିକ ପ୍ରଭାବିତ ହେବା ଆଶଙ୍କା ବଢ଼ିଯାଇଛି ।
କାତାରରେ ଥିବା ବିଶ୍ୱର ବୃହତ୍ତମ LNG ପ୍ଲାଣ୍ଟ ଉପରେ ଇରାନର ମିସାଇଲ ମାଡ଼ । ହୁତୁହୁତୁ ହୋଇ ଜଳୁଛି ତୈଳ ବିଶୋଧନାଗାର । ପାରସ୍ୟ ଉପସାଗରୀୟ ଅଞ୍ଚଳରେ ଥିବା ଶକ୍ତି କେନ୍ଦ୍ରଗୁଡ଼ିକ ଉପରେ କ୍ରମାଗତ ଆକ୍ରମଣ ଯୋଗୁଁ ଏହି ସଂଘର୍ଷ ଏବେ ନୂଆ ମୋଡ଼ ନେଇଛି । ବିଶ୍ୱର ପ୍ରାୟ ଏକ-ପଞ୍ଚମାଂଶ LNG ଯୋଗାଣ କରୁଥିବା 'ରାସ ଲାଫାନ' ତୈଳ ବିଶୋଧନାଗାର ଉପରେ ଘନଘନ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଛି ଇରାନ ସେନା । ଫଳରେ ଏହା ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣ ପରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିବାକୁ କାତାର କର୍ତ୍ତୃପକ୍ଷ ଜୋରଦାର ଚେଷ୍ଟା ଚଳାଇଛନ୍ତି ।

ଯୁଦ୍ଧର ତୃତୀୟ ସପ୍ତାହରେ ଇସ୍ରାଏଲ ସବୁଠାରୁ ବଡ଼ ପଦକ୍ଷେପ ନେଇ ଇରାନର 'ସାଉଥ୍ ପାର୍ସ' ଗ୍ୟାସ୍ ଫିଲ୍ଡ ଉପରେ ଆକ୍ରମଣ କରିଥିଲା । ସାଉଥ୍ ପାର୍ସ ହେଉଛି ବିଶ୍ୱର ସବୁଠାରୁ ବଡ଼ ପ୍ରାକୃତିକ ଗ୍ୟାସ୍ ଭଣ୍ଡାର । ଏଠାରୁ ଇରାନ ନିଜର ୮୦% ବିଦ୍ୟୁତ୍ ଉତ୍ପାଦନ କରେ । ଏହାପରେ ପ୍ରତିଶୋଧ ନେବା ଆରମ୍ଭ କରିଛି ଇରାନ୍ ।
ଗ୍ୟାସ୍ କେନ୍ଦ୍ରଗୁଡ଼ିକ ଉପରେ ହୋଇଥିବା ଆକ୍ରମଣର ପ୍ରଭାବ ତୁରନ୍ତ ବିଶ୍ବ ବଜାରରେ ଦେଖିବାକୁ ମିଳିଛି । ବ୍ରେଣ୍ଟ କ୍ରୁଡ୍ ଅଏଲ୍ ଦର ବ୍ୟାରେଲ୍ ପିଛା ୧୧୦ ଡଲାରକୁ ବୃଦ୍ଧି ପାଇଛି । ରୋଷେଇ ଗ୍ୟାସ୍ ବେଞ୍ଚମାର୍କ ଦରରେ ମଧ୍ୟ ୬% ବୃଦ୍ଧି ଦେଖିବାକୁ ମିଳିଛି ।

ଶକ୍ତି ବିଶେଷଜ୍ଞ ମତରେ LNG ପ୍ଲାଣ୍ଟ ଉପରେ ଆକ୍ରମଣ ହେବା ସବୁଠାରୁ ଖରାପ ସ୍ଥିତି । ଏହିଭଳି ଜଟିଳ ଭିତ୍ତିଭୂମିକୁ ମରାମତି କରି ପୁଣି ଥରେ କାର୍ଯ୍ୟକ୍ଷମ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିପାରେ । ୨୦୦୩ ଇରାକ ଯୁଦ୍ଧ ସମୟରେ ମଧ୍ୟ ଉତ୍ପାଦନ ସ୍ୱାଭାବିକ ହେବାକୁ ପ୍ରାୟ ୨ ବର୍ଷ ସମୟ ଲାଗିଥିଲା । ଗଲ୍ଫ ଦେଶଗୁଡ଼ିକ ୟୁରୋପ, ଏସିଆ ଓ ଭାରତ ପାଇଁ ଶକ୍ତିର ମୁଖ୍ୟ ଉତ୍ସ ହୋଇଥିବାରୁ, ଏଠାରେ ହେଉଥିବା ପ୍ରତିଟି ବିସ୍ଫୋରଣ ବିଶ୍ୱବ୍ୟାପୀ ମହଙ୍ଗା ମାଡ଼ର କାରଣ ସାଜିବ । ଭାରତ ବିଦେଶରୁ କିଣୁଥିବା ମୋଟ LNG ର ପ୍ରାୟ ୪୦% କେବଳ କାତାରରୁ ଆସିଥାଏ । ଅର୍ଥାତ୍ ଭାରତର ମୋଟ ଗ୍ୟାସ୍ ଆବଶ୍ୟକତାର ୨୦% କେବଳ କାତାର ଉପରେ ନିର୍ଭରଶୀଳ ।
ଭାରତକୁ ଦୈନିକ ୧୮୯ ମିଲିୟନ୍ ମେଟ୍ରିକ୍ ଷ୍ଟାଣ୍ଡାର୍ଡ କ୍ୟୁବିକ୍ ମିଟର ପର୍ ଡେ ଗ୍ୟାସ୍ ଆବଶ୍ୟକ । ଭାରତ ମାତ୍ର ୯୭.୫ ମିଲିୟନ୍ ମେଟ୍ରିକ୍ ଷ୍ଟାଣ୍ଡାର୍ଡ କ୍ୟୁବିକ୍ ମିଟର ପର୍ ଡେ ନିଜେ ଉତ୍ପାଦନ କରୁଛି । ଯୁଦ୍ଧ କାରଣରୁ 'ଫୋର୍ସ ମେଜର' ଫଳରେ ଦୈନିକ ଗ୍ୟାସ୍ ଯୋଗାଣ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । କାତାରରୁ ଗ୍ୟାସ୍ ଯୋଗାଣ ବନ୍ଦ ହେଲେ ଗ୍ୟାସ୍ ଚାଳିତ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରେ ଉତ୍ପାଦନ କମିଯିବ । କାରଖାନାକୁ ମିଳୁଥିବା ଗ୍ୟାସ୍ ପରିମାଣ କମାଇବାକୁ ପଡ଼ିବ, କୃଷି ପାଇଁ ଜରୁରୀ ସାର ପ୍ରସ୍ତୁତି ବ୍ୟାହାତ ହେବ ।

ସ୍ଥିତିକୁ ସମ୍ଭାଳିବା ପାଇଁ ଭାରତର ସରକାରୀ ଗ୍ୟାସ୍ କମ୍ପାନୀଗୁଡ଼ିକ ତତ୍ପରତା ପ୍ରକାଶ କରିଛନ୍ତି । କାତାର ଉପରେ ନିର୍ଭରତା କମାଇବା ପାଇଁ ଅନ୍ୟ ବିକଳ୍ପ ଉତ୍ସରୁ LNG କାର୍ଗୋ ମଗାଇବା ପାଇଁ ଅର୍ଡର ଦିଆଯାଇଛି । ଯଦିଓ ଏହା ସାମାନ୍ୟ ମହଙ୍ଗା ହୋଇପାରେ, ତଥାପି ଯୋଗାଣ ସ୍ୱାଭାବିକ ରଖିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Global Energy Crisis Looms as Iran-Israel Conflict Escalates | Argus News