|
logo
Live

Argus News - କେତେ ଶକ୍ତିଶାଳୀ ଆମେରିକାର ଏଫ-୩୫ ଯୁଦ୍ଧ ବିମାନ; ଯାହା ଉପରେ ହୋଇଛି ଇରାନୀ ମିସାଇଲ ଆକ୍ରମଣ

International

Middle East War / କେତେ ଶକ୍ତିଶାଳୀ ଆମେରିକାର ଏଫ-୩୫ ଯୁଦ୍ଧ ବିମାନ; ଯାହା ଉପରେ ହୋଇଛି ଇରାନୀ ମିସାଇଲ ଆକ୍ରମଣ

Subhramjit Ray
Browse all articles by Subhramjit Ray
·3 weeks ago·4 min read
କେତେ ଶକ୍ତିଶାଳୀ ଆମେରିକାର ଏଫ-୩୫ ଯୁଦ୍ଧ ବିମାନ; ଯାହା ଉପରେ ହୋଇଛି ଇରାନୀ ମିସାଇଲ ଆକ୍ରମଣ
US Fighter Jet F-35

Key Points

ଇରାନ ଦ୍ୱାରା ମିସାଇଲ ହେବା ପରେ ବର୍ତ୍ତମାନ ଆମେରିକାର ଏଫ-୩୫ ଯୁଦ୍ଧ ବିମାନର କ୍ଷମତା ଉପରେ ଏବେ ପ୍ରଶ୍ନ ଉଠିବାରେ ଲାଗିଛି।
US F-35 Lightning Fighter Jet: ମଧ୍ୟପ୍ରାଚ୍ୟ ସଂଘର୍ଷ ସମୟରେ ଆମେରିକୀୟ ଏଫ-୩୫ ଯୁଦ୍ଧ ବିମାନର କ୍ଷମତା ଉପରେ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ଇରାନ ଏହାର କ୍ଷେପଣାସ୍ତ୍ର ସହାୟତାରେ ବିଶ୍ୱର ସବୁଠାରୁ ଉନ୍ନତ ଏବଂ ଅଜେୟ ଏହି ଆମେରିକୀୟ ଲଢ଼ୁଆ ବିମାନକୁ ଟାର୍ଗେଟ କରିଥିବାର ଦାବି କରିଛି। ରାଡାର୍ କୁ ଚକମା ଦେଇ ଆକାଶରେ ଅଦୃଶ୍ୟ ହେଇ ଯାଉଥିବା ଏହି ବିମାନ ଗୁପ୍ତ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୯୦୦ କୋଟି ଟଙ୍କା।

ଗୁପ୍ତ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏଫ-୩୫ ଯୁଦ୍ଧ ବିମାନ ଯାହା ଆମେରିକୀୟ ସାମରିକ ଶକ୍ତିର ପ୍ରତୀକ ଭାବରେ ବିବେଚିତ ତାହା ଏବେ ଧ୍ୱଂସ ପାଇବାର ଖବର ଏବେ ବିଶ୍ୱରେ ପ୍ରତିରକ୍ଷା କ୍ଷେତ୍ରରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଏହାକୁ ଦୀର୍ଘ ସମୟ ଧରି ବିଶ୍ୱର ସବୁଠାରୁ ସୁରକ୍ଷିତ ଲଢ଼ୁଆ ବିମାନ ଭାବରେ ବିବେଚନା କରାଯାଉଥିଲା। କାରଣ ରାଡାର୍ କୁ ଚକମା ଦେଇ ଆକାଶରେ ଅଦୃଶ୍ୟ ହେବାର କ୍ଷମତା ରଖିଥିବାରୁ ଏହା ଉପରେ ଶତ୍ରୁ ପକ୍ଷ ଦ୍ୱାରା ଆକ୍ରମଣ କରିବା ପ୍ରାୟତଃ ଅସମ୍ଭବ ରହିଥିଲା।

ଏଥିସହ ପଢ଼ନ୍ତୁ: ପ୍ରତିଶୋଧ ନେଲା ଇରାନ, ମିସାଇଲ ମାଡ଼ରେ ଥରିଲା ଇସ୍ରାଏଲର ନ୍ୟୁକ୍ଲିୟର ସିଟି 'ଡିମୋନା'

କାହିଁକି ଏତେ ସ୍ୱତନ୍ତ୍ର ଏଫ-୩୫
ଏଫ୍-୩୫ ଲାଇଟନିଂ (F-35 Lightning II) ହେଉଛି ଏକ ପଞ୍ଚମ ପିଢ଼ିର ବହୁମୁଖୀ ଯୁଦ୍ଧ ବିମାନ। ଯାହା ଆମେରିକା ଏବଂ ଏହାର ସାମରିକ ସହଯୋଗୀଙ୍କ ଦ୍ୱାରା ବ୍ୟବହୃତ ହୋଇଥାଏ। ଏହି ଯୁଦ୍ଧ ବିମାନକୁ ଶତ୍ରୁ ପକ୍ଷର ସବୁଠାରୁ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଭେଦ କରିବା ଏବଂ ଚିହ୍ନଟ ବିନା ଆକ୍ରମଣ କରିବା ପାଇଁ ବିକଶିତ କରାଯାଇଛି। ଏହା କେବଳ ଏକ ବିମାନ ନୁହେଁ, ବରଂ ଏକ ଉଡ଼ନ୍ତା କମ୍ପ୍ୟୁଟର। ଏହାର ସବୁଠାରୁ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ଏହାର ଗୁପ୍ତ ଡିଜାଇନ୍। ଯାହା ଏହାକୁ ରାଡାର୍ ସିଗନାଲ୍ କୁ ଦ୍ୱନ୍ଦ୍ୱରେ ପକାଇଥାଏ। ଯେଉଁଥିପାଇଁ ଶତ୍ରୁ ପକ୍ଷର ରାଡାର୍ ଏହି ଯୁଦ୍ଧ ବିମାନର ଅବସ୍ଥିତି ସମ୍ପର୍କରେ ଜାଣି ପାରନ୍ତି ନାହିଁ। ଏହାର ଇଲେକ୍ଟ୍ରୋନିକ୍ ଜାମିଂ ସିଷ୍ଟମ୍ ଶତ୍ରୁ ଦେଶ ରାଡାର ସିଷ୍ଟମ୍ କୁ ସମ୍ପୂର୍ଣ୍ଣ ବନ୍ଦ କରିଦେବାର କ୍ଷମତା ରଖିଥାଏ।

ରାଡାର୍ କୁ ଚକମା ଦେବା ପାଇଁ ରହିଛି ଅଦୃଶ୍ୟ ହେବାର କ୍ଷମତା
ଏଫ୍-୩୫ ବିମାନ ସାମଗ୍ରିକ ଡିଜାଇନ୍ ଏବଂ ସ୍ୱତନ୍ତ୍ର ରଙ୍ଗ କାମ ଏହାକୁ ରାଡାର ସ୍କ୍ରିନ୍ ଠାରୁ ଦୂରରେ ରଖିଥାଏ। ଏହାକୁ ଗୁପ୍ତ ଭାବରେ ଉଡ଼ିବା, ଶତ୍ରୁ ପକ୍ଷର ଟାର୍ଗେଟ ଉପରେ ସଠିକ୍ ଆକ୍ରମଣ କରିବା ଏବଂ ଯୁଦ୍ଧ ସମୟରେ ଗୁପ୍ତ ସୂଚନା ସଂଗ୍ରହ କରିବା ପାଇଁ ବିକଶିତ କରାଯାଇଛି। ପ୍ରାୟ ଦୁଇ ଦଶନ୍ଧି ଧରି, ଏହାକୁ ଆମେରିକୀୟ ବାୟୁସେନାର ସବୁଠାରୁ ପ୍ରିମିୟମ୍ ଏବଂ ଘାତକ ଅସ୍ତ୍ର ଭାବରେ ବିବେଚନା କରାଯାଉଛି। ହେଲେ ଯେତେବେଳେ ଇରାନ୍ ମିସାଇଲ ମାରି ଏହାକୁ ଖସାଇ ଦେଇଥିଲା ଏବଂ ଏହା ଦ୍ୱାରା ବିମାନ କ୍ଷତିଗ୍ରସ୍ତ ହୋଇଥିବାର ଖବର ଆସିଲା ସେତେବେଳେ ଏହାର କ୍ଷମତାକୁ ନେଇ ପ୍ରଶ୍ନ ଉଠିବାର ଲାଗିଛି।

ବେଗ ଏବଂ ଲକ୍ଷ୍ୟଭେଦ କରିବାର ଏକ ଆକର୍ଷଣୀୟ ମିଶ୍ରଣ
ଏଫ୍-୩୫ ବିମାନର ଶକ୍ତି ଏହାର ସର୍ବାଧିକ ଗତିରୁ ଅନୁମାନ କରାଯାଇପାରିବ। ଯାହା ହେଉଛି ମ୍ୟାକ୍ ୧.୬ ଅର୍ଥାତ୍ ଘଣ୍ଟା ପ୍ରତି ପ୍ରାୟ ୧୯୩୦ କିଲୋମିଟର। ଏହାର ଲକ୍ଷ୍ୟଭେଦ କରିବାର ପରିସର ହେଉଛି ପ୍ରାୟ ୨୨୨୨ କିମି। ଯାହା ଏହାକୁ ଦୀର୍ଘ ଦୂରଗାମୀ ସାମରିକ ଅଭିଯାନ ପାଇଁ ଉପଯୁକ୍ତ କରିଥାଏ। ବିମାନ AESA ରାଡାର ସହ ସଜ୍ଜିତ। ଯାହା ଥରକେ ଶତ୍ରୁ ପକ୍ଷର ଶହ ଶହ ଶତ୍ରୁ ଟାର୍ଗେଟ୍କୁ ଟ୍ରାକ୍ କରିପାରିବ। ଏହାର DAS ସିଷ୍ଟମ ପାଇଲଟ୍ ଙ୍କୁ ବିମାନର ୩୬୦ ଡିଗ୍ରୀ ଦୃଶ୍ୟ ପ୍ରଦାନ କରିଥାଏ। ଯାହା ଏହା ସୁନିଶ୍ଚିତ କରେ ଯେ ଶତ୍ରୁ ପକ୍ଷର କୌଣସି ଆକ୍ରମଣ ୟେପରି ପାଇଲଟ୍ ଙ୍କ ନଜରରୁ ଖସି ନଯାଏ।

ଏଫ-୩୫ ବିମାନର ରହିଛି ତିନୋଟି ସଂସ୍କରଣ
ଏଫ-୩୫ ଯୁଦ୍ଧ ବିମାନକୁ ଜଳ, ସ୍ଥଳ, ଆକାଶରେ କାର୍ଯ୍ୟ କରିବା ପାଇଁ ତିନୋଟି ଭିନ୍ନ ଭିନ୍ନ ସଂସ୍କରଣରେ ବିକଶିତ କରାଯାଇଛି। ପ୍ରଥମ ସଂସ୍କରଣ ହେଉଛି F-35A, ଯାହାକୁ ଆମେରିକୀୟ ବାୟୁସେନା ବ୍ୟବହାର କରିଥାଏ। ଏହାର ମୂଲ୍ୟ ହେଉଛି ପ୍ରାୟ ୮୮୩ କୋଟି ଟଙ୍କା। ଯିଏ ୮୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ। ଦ୍ୱିତୀୟ ସଂସ୍କରଣ ହେଉଛି F-35B, ଯାହାକୁ ଆମେରିକା ସେନା ମ୍ୟାରିନ୍ କର୍ପସ ବ୍ୟବହାର କରିଥାଏ। ଏହାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ଏହାର ଭୂଲମ୍ବ ଉଡ଼ାଣ ଏବଂ ଅବତରଣ କରିବାର କ୍ଷମତା। ଅର୍ଥାତ୍ ଏହା ଏକ ହେଲିକ୍ୟାପ୍ଟର ଭଳି ଉଡ଼ାଣ ସହ ଅବତରଣ କରିବାକୁ ସକ୍ଷମ। ଯାହାର ମୂଲ୍ୟ ହେଉଛି ପ୍ରାୟ ୭୧୨ କୋଟି ଟଙ୍କା।

ଏଥିସହ ପଢ଼ନ୍ତୁ: କତାରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୬ ଜଣଙ୍କ ଜୀବନ

ନୌସେନା ସଂସ୍କରଣ F-35C
ଏଫ-୩୫ ଯୁଦ୍ଧ ବିମାନ ତୃତୀୟ ସଂସ୍କରଣ ହେଉଛି F-35C ଯାହାକୁ ଆମେରିକୀୟ ନୌସେନା ବ୍ୟବହାର କରିଥାଏ। ଏହାକୁ ବିଶେଷ ଭାବରେ ଆମେରିକୀୟ ନୌସେନାର ବିମାନ ବାହକ ଯୁଦ୍ଧପୋତ ପାଇଁ ଡିଜାଇନ୍ କରାଯାଇଛି। ଏହାର ମୂଲ୍ୟ ହେଉଛି ପ୍ରାୟ ୯୪୪ କୋଟି ଟଙ୍କା। ଏହାର ଡେଣାର ଲମ୍ବା ୪୩ ଫୁଟ। ଅନ୍ୟ ଦୁଇଟି ସଂସ୍କରଣ ଅପେକ୍ଷା ଏହାକୁ ବିଶାଳ ମହାସାଗରରେ ବିମାନ ବାହକ ଯୁଦ୍ଧପୋତରୁ ସହଜରେ ଉଡ଼ାଯାଇପାରିବ। ଏହାର ଘଣ୍ଟା ପ୍ରତି ବେଗ ୧୯୭୫ କିମି ହୋଇଥିବା ବେଳେ ଏହି ବିମାନ ୮୧୦୦ କିଲୋଗ୍ରାମ ଯୁଦ୍ଧାସ୍ତ୍ର ସହ ଉଡ଼ାଣ ଭରିବାକୁ ସକ୍ଷମ।

ଇଲେକ୍ଟ୍ରୋନିକ୍ ଯୁଦ୍ଧ ଏବଂ ସେନ୍ସର ନେଟୱାର୍କ
F-35 ବିମାନରେ ଲାଗିଥିବା EOTS System କୌଣସି ଲକ୍ଷ୍ୟକୁ ଚିହ୍ନଟ କରିବା ଟ୍ରାକ କରିବାରେ ଅଦ୍ଭୂତ କ୍ଷମତା ରଖିଛି। ଏହି ସିଙ୍ଗଲ୍ ସିଟ୍ ବିଶିଷ୍ଟ ବିମାନ ଗୋଟିଏ ମିଶନ ସମୟରେ ଅନେକ କାର୍ଯ୍ୟ କରିପାରିବ। ଯେପରିକି ଅନ୍ୟ ଲଢ଼ୁଆ ବିମାନ ଉପରେ ଗୁଇନ୍ଦା ନଜର ରଖିବା, ବୋମାମାଡ଼ ଏବଂ ଉଡାଣ ଭରିବା ସମୟରେ ଶତ୍ରୁ ପକ୍ଷର ବିମାନ ସହ ଲଢେଇ କରିବା। ଏହାର ସେନ୍ସର ନେଟୱାର୍କ ଏତେ ଉନ୍ନତ ଯେ ଏହା ଶତ୍ରୁ ପକ୍ଷର ରାଡାର ସିଗନାଲ୍ ଚିହ୍ନଟ କରି ଏହାକୁ ଜାମ୍ କରିପାରିବ। ଯାହା ଶତ୍ରୁକୁ ଆକ୍ରମଣ କେଉଁଠାରୁ ଆରମ୍ଭ ହୋଇଥିଲା ତାହା ଜାଣିବାର ସୁଯୋଗ ଦେଇନଥାଏ।

ଇରାନର ଦାବି ଗମ୍ଭୀର ପ୍ରଶ୍ନ ଉଠାଇଛି?
ଏଫ-୩୫ ଯୁଦ୍ଧ ବିମାନକୁ ଟାର୍ଗେଟ କରିଥିବା ନେଇ ଇରାନ ଦ୍ୱାରା ହେଉଥିବା ଦାବି ଏବେ ଏହାର ଅଦୃଶ୍ୟ ହୋଇଯିବାର କ୍ଷମତା ଏବଂ ଏଥିରେ ଲାଗିଥିବା ଗୁପ୍ତ ପ୍ରଯୁକ୍ତିବିଦ୍ୟାର ନିର୍ଭରଯୋଗ୍ୟତା ଉପରେ ସନ୍ଦେହ ସୃଷ୍ଟି କରିଛି। ଯଦି ଇରାନୀ କ୍ଷେପଣାସ୍ତ୍ର ପ୍ରକୃତରେ ଏହାକୁ ଆକ୍ରମଣ କରିବାରେ ସଫଳ ହୋଇଥିଲା, ତାହେଲେ ଏହାର ଅର୍ଥ ହେଉଛି ଯେ ଅଦୃଶ୍ୟ ହୋଇଯିବାର କ୍ଷମତା (Stealth Technology) ଭବିଷ୍ୟତ ଯୁଦ୍ଧରେ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ। ପ୍ରତିରକ୍ଷା ବିଶେଷଜ୍ଞ ଏବେ ତଦନ୍ତ କରୁଛନ୍ତି ଯେ ଇରାନ ପାଖରେ କୌଣସି ଏକ ନୂତନ ରାଡାର ସିଷ୍ଟମ ଅଛି ନା ନାହିଁ। ଯାହା ଏହି ଗୁପ୍ତ ଆମେରିକୀୟ ପ୍ରଯୁକ୍ତିବିଦ୍ୟାକୁ ସଫଳତାର ସହିତ ଚିହ୍ନଟ କରିଛି। ଏହି ଘଟଣା ବିଶ୍ୱ ସାମରିକ ସନ୍ତୁଳନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିପାରେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Middle East War: କେତେ ଶକ୍ତିଶାଳୀ ଆମେରିକାର ଏଫ-୩୫ ଯୁଦ୍ଧ ବିମାନ; ଯାହା ଉପରେ ହୋଇଛି ଇରାନୀ ମିସାଇଲ ଆକ୍ରମଣ | Argus News