Videos
|
International

INTERPOL / କାର୍ ଚୋରଙ୍କ ଉପରେ ଇଣ୍ଟରପୋଲର ବଡ଼ ଆକ୍ସନ୍; ୬୫ ଦେଶରୁ ୬୯୯ ଜଣ ଗିରଫ

Sushanta Sahoo
Browse all articles by Sushanta Sahoo
·27 mins ago·3 min read
କାର୍ ଚୋରଙ୍କ ଉପରେ ଇଣ୍ଟରପୋଲର ବଡ଼ ଆକ୍ସନ୍; ୬୫ ଦେଶରୁ ୬୯୯ ଜଣ ଗିରଫ
INTERPOL global car theft operation

Key Points

୬୫ଟି ଦେଶରେ ଇଣ୍ଟରପୋଲର ଅପରେସନ୍ କାରବ୍ୟାକ୍-୨
ଚୋରି ଗାଡ଼ି କାରବାରରେ ୬୮୮ ଜଣ ଗିରଫ
୨,୩୯୪ଟି ଚୋରା ଗାଡ଼ି ଓ ୧,୮୯୧ଟି ଯନ୍ତ୍ରାଂଶ ଜବତ
ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଦେଶରେ ଚୋରା ଗାଡ଼ି କାରବାର ବିରୋଧରେ ବଡ଼ ଧରଣର ଅଭିଯାନ ଚଳାଇଛି ଇଣ୍ଟରପୋଲ । ଏହି ଅଭିଯାନରେ ୬୫ଟି ଦେଶର ପୋଲିସ ଓ ତଦନ୍ତକାରୀ ସଂସ୍ଥା ସାମିଲ ହୋଇଥିଲେ । ଏହାର ନାଁ ରଖାଯାଇଥିଲା 'ଅପରେସନ୍ କାରବ୍ୟାକ୍-୨' ।

ଏହି ଅଭିଯାନରେ ମୋଟ ୬୮୮ ଜଣଙ୍କୁ ଗିରଫ କରାଯାଇଛି । ଅପରେସନ୍‌ରେ ୨,୩୯୪ଟି ଚୋରି ଗାଡ଼ି ଜବତ କରାଯାଇଛି । ଚୋରା ଗାଡ଼ି କିଣାବିକା, ଗାଡ଼ିର ପରିଚୟ ବଦଳାଇବା ଏବଂ ଏହାକୁ ଅନ୍ୟ ଦେଶକୁ ପଠାଇବା ଭଳି କାରବାର ଉପରେ ଏହି ଅଭିଯାନରେ ନଜର ରଖାଯାଇଥିଲା ।

୧୫ ଲକ୍ଷରୁ ଅଧିକ ଥର ଯାଞ୍ଚ

ଏହି ଅଭିଯାନ ସମୟରେ ଇଣ୍ଟରପୋଲର ଡାଟାବେସ୍‌ରେ ୧୫ ଲକ୍ଷରୁ ଅଧିକ ଥର ଯାଞ୍ଚ କରାଯାଇଥିଲା । ଏଥିରୁ ୧,୧୮୦ଟି ମାମଲାରେ ସନ୍ଦେହଜନକ ତଥ୍ୟ ମିଳିଥିଲା । ୪ ଲକ୍ଷ ୮୦ ହଜାରରୁ ଅଧିକ ଗାଡ଼ିର ପଞ୍ଜୀକରଣ ନମ୍ବରକୁ ଚୋରି ହୋଇଥିବା ଗାଡ଼ିର ଡାଟାବେସ୍ ସହ ମିଳାଇ ଯାଞ୍ଚ କରାଯାଇଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇଣ୍ଟରପୋଲର ତଦନ୍ତରୁ ଜଣାପଡ଼ିଛି ଯେ, ଚୋରି ଗାଡ଼ି କେବଳ ବିକ୍ରି ପାଇଁ ବ୍ୟବହାର ହେଉନାହିଁ । ଏହାକୁ ନିଶାଦ୍ରବ୍ୟ, ବନ୍ଧୁକ ଓ ଅନ୍ୟ ବେଆଇନ ସାମଗ୍ରୀ ଚାଲାଣରେ ମଧ୍ୟ ବ୍ୟବହାର କରାଯାଉଛି । ଏପରିକି ଗୋଟିଏ ଅପରାଧୀ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଟଙ୍କା ବଦଳରେ ଚୋରି ଗାଡ଼ି ମଧ୍ୟ ଦେଉଛନ୍ତି ।

ଗ୍ରୀସ୍, ଜର୍ମାନୀରେ ଚୋରା ଗାଡ଼ି କାରବାର

ଗ୍ରୀସ୍‌ରେ ଯାଞ୍ଚ ସମୟରେ ଫ୍ରାନ୍ସର ନମ୍ବର ପ୍ଲେଟ୍ ଲାଗିଥିବା ୩ଟି ଗାଡ଼ି ଉପରେ ପୋଲିସର ସନ୍ଦେହ ହୋଇଥିଲା । ଯାଞ୍ଚ ପରେ ଗାଡ଼ିଗୁଡ଼ିକର କାଗଜପତ୍ର ନକଲି ବୋଲି ଜଣାପଡ଼ିଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ, ଗାଡ଼ିଗୁଡ଼ିକ ଭଡ଼ାରେ ନିଆଯାଇଥିଲା । ଏହାକୁ ଭଡ଼ା ଦେଇଥିବା କମ୍ପାନୀ ଜାଣିବା ପୂର୍ବରୁ ୟୁରୋପୀୟ ସଂଘ ବାହାରକୁ ନେଇଯିବାକୁ ଅଭିଯୁକ୍ତମାନେ ଯୋଜନା କରିଥିଲେ ।

ଏଥିସହ ପଢ଼ନ୍ତୁ: ଭାରତ ଆସିଥିବା ପାକିସ୍ତାନୀ ମନ୍ତ୍ରୀ ମୁସାଦିକଙ୍କୁ ମିଳିଲାନି ତାଜମହଲ ଯିବାକୁ ଅନୁମତି 

ସେହିପରି ଜର୍ମାନୀରେ ଚୋରି ନମ୍ବର ପ୍ଲେଟ୍ ଲାଗିଥିବା ଏକ ଗାଡ଼ିକୁ ଅଟକାଇଥିଲା ପୋଲିସ । ଏହାର ଯାଞ୍ଚ ବେଳେ ଗୋଟିଏ ରବର ଡଙ୍ଗା ଓ ଚୋରି ହୋଇଥିବା ଡଙ୍ଗାର ମୋଟର ମିଳିଥିଲା । ଗାଡ଼ି ଚାଳକଙ୍କ ମୋବାଇଲ୍ ଯାଞ୍ଚ ପରେ ମାନବ ଚାଲାଣ ନେଟୱର୍କ ସହ ତାଙ୍କର ସମ୍ପର୍କ ଥିବା ଜଣାପଡ଼ିଥିଲା ।

ଆର୍ଜେଣ୍ଟିନାରେ ପ୍ରାୟ ୩୬୦ଟି ଗାଡ଼ିର ଯନ୍ତ୍ରାଂଶ ଜବତ ହୋଇଥିଲା । ଏଥିରେ ଗିୟରବକ୍ସ, ବ୍ରେକ୍ ଡିସ୍କ ଓ ଇଞ୍ଜିନ୍ ବ୍ଲକ୍ ଭଳି ସାମଗ୍ରୀ ରହିଥିଲା । ନିକାରାଗୁଆରେ ଏକ ଗ୍ୟାଙ୍ଗକୁ ଧରିଥିଲା ପୋଲିସ । ଏହି ଗ୍ୟାଙ୍ଗ ଭଡ଼ାରେ ମୋଟରସାଇକେଲ୍ ନେଇ ମାଲିକଙ୍କ ନକଲି ଦସ୍ତଖତରେ ବିକ୍ରି କାଗଜପତ୍ର ତିଆରି କରୁଥିଲା । ପରେ ଗାଡ଼ିଗୁଡ଼ିକୁ ବନ୍ଧକ ରଖିବା ସହ ପୁଣି ବିକ୍ରି କରୁଥିଲା । ଭେନେଜୁଏଲାରେ ମଧ୍ୟ ନିଶାଦ୍ରବ୍ୟ ଚାଲାଣ, ଲୁଟ୍ ଓ ହତ୍ୟା ଭଳି ମାମଲା ସହ ଜଡ଼ିତ ଅନେକ ଗାଡ଼ି ଜବତ ହୋଇଛି ।

GPS ସାହାଯ୍ୟରେ ଠାବ ହେଲା ଚୋରି ଗାଡ଼ି

ଏହି ଅଭିଯାନରେ GPS ଓ ଗୁପ୍ତ ତଥ୍ୟ ଆଦାନପ୍ରଦାନ ମଧ୍ୟ ବେଶ୍ ସହାୟକ ହୋଇଥିଲା । ମରିଟାନିଆରେ ଫ୍ରାନ୍ସରୁ ଚୋରି ହୋଇଥିବା ଏକ ଟୟୋଟା କାର୍ ଜବତ ହୋଇଥିଲା । ପର୍ତ୍ତୁଗାଲରୁ ଚୋରି ହୋଇଥିବା ଦୁଇଟି କାର୍‌କୁ ସେନେଗାଲ ଓ ନାଇଜେରିଆର ଅଧିକାରୀମାନେ ଠାବ କରିଥିଲେ ।

ସେହିପରି ବୋଲିଭିଆରେ GPS ସାହାଯ୍ୟରେ ଆର୍ଜେଣ୍ଟିନାରୁ ଚୋରି ହୋଇଥିବା ଏକ କାର୍‌କୁ ଧରାଯାଇଥିଲା । କାନାଡାରୁ ଚୋରି ହୋଇଥିବା ଦୁଇଟି ଦାମୀ ଗାଡ଼ିକୁ ମରକ୍କୋର ଟାଞ୍ଜିୟର ବନ୍ଦର ଦେଇ ଯିବା ସମୟରେ ଜବତ କରାଯାଇଥିଲା ।

ଇଣ୍ଟରପୋଲର ଏହି ଅଭିଯାନ ସହ ୟୁରୋପୀୟ ସୀମା ସୁରକ୍ଷା ସଂସ୍ଥା ଫ୍ରଣ୍ଟେକ୍ସ ମଧ୍ୟ 'ଜଏଣ୍ଟ ଆକ୍ସନ୍ ଡେଜ୍ ମୋବାଇଲ୍-୯' ନାମରେ ଅଲଗା ଅଭିଯାନ ଚଳାଇଥିଲା । ଏଥିରେ ଆଉ ୭୧୦ଟି ଗାଡ଼ି ଜବତ ହୋଇଥିବା ବେଳେ ୩୩୪ ଜଣ ଗିରଫ ହୋଇଛନ୍ତି ।

ଇଣ୍ଟରପୋଲର ସୂଚନା ଅନୁସାରେ, ଅପରେସନ୍ କାରବ୍ୟାକ୍-୨ରେ ୩୦ଟି ସଂଗଠିତ ଅପରାଧୀ ଗୋଷ୍ଠୀର ନେଟୱର୍କକୁ ଭାଙ୍ଗି ଦିଆଯାଇଛି । ଅନ୍ୟ କିଛି ଗୋଷ୍ଠୀ ବିରୋଧରେ ତଦନ୍ତ ଜାରି ରହିଛି । ଏହି ଅଭିଯାନକୁ କାନାଡା ସରକାରଙ୍କ 'ପ୍ରୋଜେକ୍ଟ ଡ୍ରାଇଭ୍ ଆଉଟ୍' ଅଧୀନରେ ଆର୍ଥିକ ସହାୟତା ମିଳିଥିଲା ।