Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

US spending on Iran War / ଇରାନ ଯୁ୍ଦ୍ଧରେ ଦୈନିକ କେତେ ଟଙ୍କା ଖର୍ଚ୍ଚ କରୁଛି ଆମେରିକା?

Subhramjit ray
Browse all articles by Subhramjit ray
·4 months ago·3 min read
ଇରାନ ଯୁ୍ଦ୍ଧରେ ଦୈନିକ କେତେ ଟଙ୍କା ଖର୍ଚ୍ଚ କରୁଛି ଆମେରିକା?
US spending on Iran War

Key Points

ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ ଏବେ ଆର୍ଥିକ ଦୃଷ୍ଟିକୋଣରୁ ଆମେରିକା ପାଇଁ ମହଙ୍ଗା ପଡ଼ିଛି। 
US spending on Iran War: ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ ପାଇଁ ଏବେ ଆମେରିକା ଉପରେ ପଡ଼ିଛି ଚଡ଼କ। କାରଣ ଏହି ଯୁଦ୍ଧରେ ଆମେରିକାକୁ ଦୈନିକ ପ୍ରାୟ ୮୯୧ ମିଲିୟନ ଡଲାର ଖର୍ଚ୍ଚ କରିବାକୁ ପଡୁ଼ଛି। କେବଳ ଏହି ଯୁଦ୍ଧର ପ୍ରଥମ ସପ୍ତାହରେ ଆମେରିକା ପ୍ରାୟ ୬ ବିଲିୟନ ଡଲାର ଖର୍ଚ୍ଚ କରିସାରିଲାଣି। ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯୁଦ୍ଧ ଶେଷ ହେବା ବେଳକୁ ମୋଟ ଖର୍ଚ୍ଚର ପରିମାଣ ୧୦ ବିଲିୟନ ଡଲାର ଅତିକ୍ରମ କରିପାରେ।

ଏପରିକି ଯୁଦ୍ଧ କାରଣରୁ ଆମେରିକା ସହ ପଶ୍ଚିମ ଏସିଆର ଅର୍ଥନୀତି ଦୋହଲି ଯାଇପାରେ। ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ଦେଶର ସଂସଦ କଂଗ୍ରେସକୁ କହିଛି ଯେ ଯୁଦ୍ଧ ଆରମଭ ହେବାର ପ୍ରଥମ ସପ୍ତାହରେ ପ୍ରାୟ ୬ ବିଲିୟନ ଡଲାର ଖର୍ଚ୍ଚ ହୋଇସାରିଛି।

ଇରାନ ଯୁଦ୍ଧରେ ଆମେରିକା ଦ୍ୱାରା ହେଉଥିବା ପ୍ରତିରକ୍ଷା ବ୍ୟୟକୁ ନେଇ ରାଜଧାନୀ ୱାଶିଂଟନ୍ ଭିତ୍ତିକ ଥିଙ୍କଟ୍ୟାଙ୍କ୍ ସେଣ୍ଟର ଫର୍ ଷ୍ଟ୍ରେଟେଜିକ୍ ଆଣ୍ଡ ଇଣ୍ଟର ନେସନାଲ ଷ୍ଟଡିଜ୍ (ସିଏସଆଇଏସ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଯେଉଁଥିରେ କୁହାଯାଇଛି ଯେ ଇରାନ ଯୁଦ୍ଧରେ ଆମେରିକୀୟ ପ୍ରଶାସନ ଦୈନିକ ପ୍ରାୟ ୮୯୧.୪ ମିଲିୟନ ଡଲାର ଖର୍ଚ୍ଚ କରୁଛି। ଏହି ଯୁଦ୍ଧ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନକୁ ଆହୁରି ଅଧିକ ବ୍ୟୟ କରିବାକୁ ପଡ଼ିପାରେ। ଏଥିପାଇଁ ଦେଶର ସଂସଦ କଂଗ୍ରେସର ଅନୁମତି ଆବଶ୍ୟକ। ପୂର୍ବରୁ ୨୦୦୦ ମସିହା ପରେ ହୋଇଥିବା ଇରାକ ଏବଂ ଆଫଗାନିସ୍ତାନ ଯୁଦ୍ଧରେ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ ଙ୍କ ପ୍ରଶାସନ କଂଗ୍ରେସ ଅନୁମତି ନେଇ ପ୍ରତିରକ୍ଷା ବ୍ୟୟକୁ ବଢାଇଥିଲେ।

ଏଥିସହ ପଢ଼ନ୍ତୁ: ସପ୍ତାହକର ଯୁଦ୍ଧ ଭିତରେ ଦୋହଲି ଗଲାଣି ଦୁନିଆ; ଆଗକୁ ପଡ଼ିବ କେଉଁ ପ୍ରଭାବ ?

ଆମେରିକା ପୂର୍ବରୁ ଗୋଟିଏ ସପ୍ତାହରେ ଅନେକ ଛୋଟ ଛୋଟ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡ଼ିପି) ପରିମାଣ ଅପେକ୍ଷା ଅଧିକ ଖର୍ଚ୍ଚ କରିସାରିଛି। ଯାହାର ପରିମାଣ ଭାରତର ସମଗ୍ର ବାର୍ଷିକ ମହାକାଶ ବଜେଟ୍ ଅପେକ୍ଷା ଅଧିକ। ପ୍ରଥମ ସପ୍ତାହର ପ୍ରାୟ ୪ ବିଲିୟନ ଆମେରିକୀୟ ଡଲାର ଯୁଦ୍ଧାସ୍ତ୍ର ପାଇଁ ଖର୍ଚ୍ଚ ହୋଇଥିଲା। ଯାହା ମୁଖ୍ୟତଃ ଇରାନୀ କ୍ଷେପଣାସ୍ତ୍ରକୁ ଖସାଇ ଦେବା ପାଇଁ ବ୍ୟବହୃତ ହେଉଥିବା ଇଣ୍ଟରସେପ୍ଟର ପାଇଁ ଖର୍ଚ୍ଚ ହୋଇଥିଲା। ଏହି ରିପୋର୍ଟ ଆହୁରି ଦର୍ଶାଇଛି ଯେ ଗତ ବର୍ଷ ଇରାନର ପରମାଣୁ କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣରେ ପ୍ରାୟ ୨.୦୪ ବିଲିୟନ୍ ରୁ ୨.୨୬ ବିଲିୟନ୍ ଖର୍ଚ୍ଚ ହୋଇଥିଲା। ଏହି ରିପୋର୍ଟ ବ୍ରାଉନ ବିଶ୍ୱବିଦ୍ୟାଳୟର ଗବେଷଣା ପ୍ରକଳ୍ପ କଷ୍ଟ୍ସ୍ ଅଫ୍ ୱାର (Costs of War)ପାଖରୁ ମିଳିଥିବା ସିଏସଆଇଏସ ପକ୍ଷରୁ କୁହାଯାଇଛି। ମାତ୍ର ୨ ଘଣ୍ଟା ମଧ୍ୟରେ ଶେଷ ହୋଇଥିବା ଏହି ଅଭିଯାନ ଅପରେସନ ମିଡନାଇଟ୍ ହାମର୍ (peration Midnight Hammer) ନାମରେ ଜଣାଶୁଣା।

ସିଆଇଏସଏସ ରିପୋର୍ଟ ଅନୁସାରେ ଇରାନ ଯୁଦ୍ଧରେ ଆମେରିକୀୟ ବାୟୁସେନାକୁ ଦୈନିକ ୩୦ ମିଲିୟନ ଡଲାର ଖର୍ଚ୍ଚ କରିବାକୁ ପଡୁଛି। ସେହିପରି ନୌସେନାକୁ ୧୫ ଏବଂ ସ୍ଥଳସେନାକୁ ୧.୬ ମିଲିୟନ୍ ଡଲାର ଖର୍ଚ୍ଚ କରିବାକୁ ପଡୁଛି।

ଯଦି ଆମେରିକା ଦ୍ୱାରା ଇରାନ ଯୁଦ୍ଧରେ ଖର୍ଚ୍ଚ କରାଯାଇଥିବା ପରିମାଣକୁ ହିସାବ କରାଯାଏ ତାହେଲେ ଏହା କେତେକ ଛୋଟ ଛୋଟ ଦେଶର ମୋଟ ଜିଡ଼ିପି ଠାରୁ ମଧ୍ୟ ଅଧିକ। କହିବାକୁ ଗଲେ ଆମେରିକା ଭାରତର ମୋଟ୍ ବାର୍ଷିକ ମହାକାଶ ବଜେଟ୍କୁ ୨ ଦିନରେ, ପାକିସ୍ତାନର ମୋଟ ପ୍ରତିରକ୍ଷା ବଜେଟ୍କୁ ମାତ୍ର ୧୦ ଦିନରେ ଏବଂ ନେପାଳର ମୋଟ ଜିଡ଼ିପିକୁ ମାତ୍ର ୨ ମାସ ମଧ୍ୟରେ ଖର୍ଚ୍ଚ କରିସାରିଛି।

ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ୨୦୨୬ ଆର୍ଥିକ ବର୍ଷ ପାଇଁ ୨୪.୪ ବିଲିୟନ୍ ବ୍ୟବବରାଦ କରିଛି। ଯଦି ଏହି ପରିମାଣକୁ ଇରାନ ଯୁଦ୍ଧର ଖର୍ଚ୍ଚ ସହ ତୁଳନା କରାଯାଏ ତାହେଲେ ଆମେରିକୀୟ ସେନା ବାହିନୀ ଏକ ମାସରୁ କମ୍ ସମୟ ମଧ୍ୟରେ ଏହାର ସମଗ୍ର ବେସାମରିକ ମହାକାଶ କାର୍ଯ୍ୟକ୍ରମର ସମକକ୍ଷ ଖର୍ଚ୍ଚ କରିବ।

ଆମେରିକାର ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ଜଣେ ଫ୍ୟାକଲ୍ଟି ନିର୍ଦ୍ଦେଶକ କେଣ୍ଟ ସ୍ମେଟର୍ସ ସ୍ଥାନୀୟ ଟିଭି ଚ୍ୟାନେଲ ସିଏନଏନ ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ ଦୁଇ ମାସ ପାଇଁ ଯୁଦ୍ଧ ଖର୍ଚ୍ଚର ପରିମାଣ ୪୦ ବିଲିୟନ୍ ରୁ ୯୫ ବିଲିୟନ୍ ଡଲାର ହୋଇପାରେ। ଏହି ପରିମାଣ ୨ ମାସ ପରେ ପ୍ରାୟ ୨୧୦ ବିଲିୟନ ଡଲାରକୁ ବୃଦ୍ଧି ହୋଇପାରେ।
ସେହିପରି ବିଶ୍ଳେଷକ ଲିଣ୍ଡସେ କୋଶଗାରିଆନ୍ ସିଏନଏନ ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ ଯୁଦ୍ଧରେ ହେଉଥିବା ସାମରିକ ଖର୍ଚ୍ଚ ହେଉଛି ଅତ୍ୟନ୍ତ ଅପ୍ରତ୍ୟାଶିତ। ଯାହାର ପରିକଳ୍ପନା କରାଯାଇ ପାରିବ ନାହିଁ। ୨୦୦୩ ଇରାକ ବିରୋଧି ଯୁଦ୍ଧର ମୂଲ୍ୟ ପ୍ରାୟ ୩ ଟ୍ରିଲିୟନ ଡଲାର ରହିଥିଲା। ବର୍ତ୍ତମାନ ଇରାନ ସହ ଚାଲିଥିବା ଯୁଦ୍ଧ ଶେଷ ହେବା ବେଳେକୁ କେତେ ଟଙ୍କା ଖର୍ଚ୍ଚ ହୋଇଥିବ ତାହାର ପୂର୍ବାନୁମାନ କରିହେବ ନାହିଁ।

ପଢନ୍ତୁ ଏହି ଖବର: ଚାଲିଛି ଯୁଦ୍ଧ: ଭୟରେ ଆସିଲା ମୋଦୀଙ୍କୁ କଲ୍‌, କଣ କରିବେ ଭାରତ ସରକାର ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Budget for Iran War | Argus News