Videos
|
International

NASA Astronaut Donald Roy Pettit / ମହାକାଶରୁ ନଜର ଆସିଲା ମହାକୁମ୍ଭ ମେଳାର ଭବ୍ୟ ଦୃଶ୍ୟ; ନାସା ମହାକାଶଚାରୀ ମଧ୍ୟ ହୋଇଉଠିଲେ ପ୍ରଶଂସକ

Subhramjit Ray
Browse all articles by Subhramjit Ray
·1 hour ago·3 min read
ମହାକାଶରୁ ନଜର ଆସିଲା ମହାକୁମ୍ଭ ମେଳାର ଭବ୍ୟ ଦୃଶ୍ୟ; ନାସା ମହାକାଶଚାରୀ ମଧ୍ୟ ହୋଇଉଠିଲେ ପ୍ରଶଂସକ
NASA Astronaut Donald Roy Pettit

Key Points

ନାସା ମହାକାଶଚାରୀ ଡୋନାଲ୍ଡ ଆର. ପେଟିଟ୍ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ଠାରୁ ୨୦୨୫ ପ୍ରୟାଗରାଜ ମହାକୁମ୍ଭ ମେଳାର ଏକ ଫଟୋ ସେୟାର କରିଛନ୍ତି। ଯାହା ପ୍ରୟାଗରାଜ ପ୍ରତି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି।
2025 Prayagraj Maha Kumbh Mela:  ଗତ ବର୍ଷ ଜାନୁଆରୀ-ଫେବୃଆରୀ ମାସରେ ଆୟୋଜିତ ବିଶ୍ୱପ୍ରସିଦ୍ଧ ପ୍ରୟାଗରାଜ କୁମ୍ଭମେଳାକୁ ଇତି ମଧ୍ୟରେ ବର୍ଷେ ପୂକଣ ସାରିଲାଣି। ହେଲେ ମଧ୍ୟ ବିଶ୍ୱରେ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ କୁମ୍ଭମେଳା। ସଦ୍ୟ ଏହାର ଭବ୍ୟ ଦୃଶ୍ୟ ମହାକାଶରୁ ନଜର ଆସିଛି। ଆମେରିକୀୟ ମହାକାଶ ସଂସ୍ଥା ନାସାର ଜଣେ ବରିଷ୍ଠ ମହାକାଶଚାରୀ ଡୋନାଲ୍ଡ ଆର. ପେଟିଟ୍ ସୋସିଆଲ ମିଡି଼ଆରେ ୨୦୨୫ ପ୍ରୟାଗରାଜ ମହାକୁମ୍ଭ ମେଳାର ଏକ ଆଶ୍ଚର୍ଯ୍ୟଜନକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଦ୍ୱାରା ଉତ୍ତୋଳନ କରାଯାଇଛି। ଏହି ଫଟୋ ସେୟାର କରି ଆମେରିକୀୟ ମହାକାଶଚାରୀ ଡୋନାଲ୍ଡ ଆର. ପେଟିଟ୍ ଲେଖିଛନ୍ତି, "ISS ଠାରୁ ମୋ ଦ୍ୱାରା ନିଆଯାଇଥିବା ୨୦୨୫ ପ୍ରୟାଗରାଜ ମହାକୁମ୍ଭ ମେଳାର ସର୍ବୋତ୍ତମ ଫଟୋ। ଏହା ପବିତ୍ର ତିବ୍ରେଣୀ ସଙ୍ଗମରେ ଆୟୋଜିତ ହେଉଥିବା ଏକ ହିନ୍ଦୁ ତୀର୍ଥଯାତ୍ରା। ଯାହା ପ୍ରତି ୧୪୪ ବର୍ଷରେ ଥରେ ଆୟୋଜିତ ହୋଇଥାଏ। ଯାହା ବିଶ୍ୱର ଏକ ପ୍ରମୁଖ ଘଟଣାକ୍ରମ ମଧ୍ୟରୁ ଅନ୍ୟତମ। ଏହାର ଗୋଟିଏ ଫଟୋ ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କ ଉପସ୍ଥିତକୁ ଦର୍ଶାଇଥାଏ।

ଡୋନାଲ୍ଡ ଆର.ପେଟିଟ୍ କିଏ?
ଆମେରିକୀୟ ମହାକାଶଚାରୀ ଡୋନାଲ୍ଡ ଆର. ପେଟିଟ୍ (American Astronaut Donald Roy Pettit) ହେଉଛନ୍ତି ନାସାର ଜଣେ ପ୍ରବୀଣ ମହାକାଶ ବିଜ୍ଞାନୀ (NASA Space Scientist)। ତାଙ୍କୁ ୧୯୯୬ ମସିହାରେ NASA ଦ୍ୱାରା ଜଣେ ମହାକାଶଚାରୀ ଭାବରେ ମନୋନୀତ କରାଯାଇଥିଲା। ତାଙ୍କର ମହାକାଶ ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ଅଛି। ନାସାରେ ଯୋଗଦେବା ପୂର୍ବରୁ, ସେ ଲସ୍ ଆଲାମୋସ୍ ନ୍ୟାସନାଲ୍ ଲାବୋରେଟୋରୀ ଠାରେ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଥିଲେ। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଗବେଷଣା ପ୍ରକଳ୍ପରେ ଅବଦାନ ରଖିଥିଲେ।


ପେଟିଟ୍ ଆଜି ପର୍ଯ୍ୟନ୍ତ ଚାରୋଟି ମହାକାଶ ଅଭିଯାନରେ ଅଂଶଗ୍ରହଣ କରିଛନ୍ତି। ସେ ମହାକାଶରେ ମୋଟ ୫୯୦ ଦିନ ବିତାଇ ସାରିଛନ୍ତି। ସେ ୧୩ ଘଣ୍ଟାରୁ ଅଧିକ ସମୟ ପାଇଁ ସ୍ପେସୱାକ (Spacewalk) କରିଛନ୍ତି। ନିକଟରେ ସେ ୨୦୨୪ ସେପ୍ଟେମ୍ବର ୧୧ ତାରିଖରେ ସୋୟୁଜ୍ MS-26 ମହାକାଶଯାନରେ ISS ଠାରେ ପହଞ୍ଚିଥିଲେ। ପ୍ରାୟ ୭ ମାସ ପାଇଁ ସେଠାରେ ରହିଥିଲେ। ଏହା ପରେ ୨୦୨୫ ଅପ୍ରେଲ ୧୯ ତାରିଖରେ ପୃଥିବୀ ପୃଷ୍ଠକୁ ଫେରି ଆସିଥିଲେ।

ISS କ'ଣ?
ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (International Space Station), ଯାହା ପୃଥିବୀକୁ ଘୂରି ବୁଲୁଥିବା ଏକ ବିଶାଳକାୟ ମହାକାଶ ପରୀକ୍ଷାଗାର (Space Laboratory)। ଏହା ପୃଥିବୀ ଉପରେ ପ୍ରାୟ ୪୦୦ କିଲୋମିଟର ଦୂରରେ ଘୂରି ବୁଲୁଛି। ଏଠାରେ ବିଭିନ୍ନ ଦେଶର ମହାକାଶଚାରୀ ମହାକାଶରେ ମାନବ ଜୀବନ ସହିତ ଜଡିତ ବୈଜ୍ଞାନିକ ପରୀକ୍ଷଣ କରିଥାନ୍ତି। ଏଠାରୁ ମହାକାଶଚାରୀ ଡୋନାଲ୍ଡ ପେଟିଟ୍ ୨୦୨୫ ମହାକୁମ୍ଭର ଏହି ମନମୋହକ ଦୃଶ୍ୟ କଏଦ କରିଥିଲେ।

କୁମ୍ଭମେଳାର ଭବ୍ୟତା ସମସ୍ତଙ୍କୁ କରିଥିଲା ପ୍ରଭାବିତ
୨୦୨୫ ପ୍ରୟାଗରାଜ ମହାକୁମ୍ଭ ମେଳ ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ। ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ଅନୁଷ୍ଠିତ ହେଉଥିବା ଏହି ଧାର୍ମିକ ମେଳାରେ ଲକ୍ଷ ଲକ୍ଷ ଭକ୍ତ ସ୍ନାନ କରିବା ସହ ପୂଜାର୍ଚ୍ଚନା କରିଥାନ୍ତି। ମହାକାଶରୁ ମଧ୍ୟ ବିଶାଳ ଜନସମାଗମ, ଆଲୋକ ଏବଂ ଅସ୍ଥାୟୀ ସହରର ମହିମା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥିଲା।\

ଏହା ସହ ପଢନ୍ତୁ: ମୃତ୍ୟୁ ପରେ ମଧ୍ୟ ଚର୍ଚ୍ଚାରେ ଏହି ତାରା; ବୈଜ୍ଞାନିକ ଖୋଜି ବାହାର କଲେ ସବୁଠାରୁ ବଡ ରହସ୍ୟ

ଡୋନାଲ୍ଡ ପେଟିଟଙ୍କୁ କେବଳ ଜଣେ ବୈଜ୍ଞାନିକ ନୁହେଁ ବରଂ ଜଣେ ଚମତ୍କାର ଫଟୋଗ୍ରାଫର ଭାବରେ ବିବେଚନା କରାଯାଏ। ଯିଏ ମହାକାଶରୁ ପୃଥିବୀ ପୃଷ୍ଠରେ ମହଜୁଦ ରହିଥିବା ବିଭିନ୍ନ ସ୍ଥାନର ଫଟୋ ଉଠାଇବାରେ ପାରଙ୍ଗମ । ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ଠାରେ ତାଙ୍କ ଅଭିଯାନ ସମୟରେ, ସେ ପୃଥିବୀର ଅନେକ ବିରଳ ଫଟୋଗ୍ରାଫ୍ ଉତ୍ତୋଳନ କରିଥିଲେ। ମହାକୁମ୍ଭର ପ୍ରତିଛବିକୁ ତାଙ୍କର ସବୁଠାରୁ ସ୍ୱତନ୍ତ୍ର ଫଟୋଗ୍ରାଫ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: