Videos
|
International

Nepal Flood Rescue / ମୃତ୍ୟୁର ତାଣ୍ଡବ ଭିତରେ ବି ଥମିନି ବଞ୍ଚିବା ଓ ବଞ୍ଚାଇବାର ଲଢ଼େଇ, ପଙ୍କ ତଳେ ଜୀବନର ସନ୍ଧାନ

Santosh Kumar Sahoo
Browse all articles by Santosh Kumar Sahoo
·26 mins ago·3 min read
ମୃତ୍ୟୁର ତାଣ୍ଡବ ଭିତରେ ବି ଥମିନି ବଞ୍ଚିବା ଓ ବଞ୍ଚାଇବାର ଲଢ଼େଇ, ପଙ୍କ ତଳେ ଜୀବନର ସନ୍ଧାନ
Nepal Flood Rescue

Key Points

ମୃତ୍ୟୁର ତାଣ୍ଡବ ଭିତରେ ବି ଥମିନି ବଞ୍ଚିବା ଓ ବଞ୍ଚାଇବାର ଲଢ଼େଇ
କୋଳରେ ନବଜାତ ଶିଶୁଙ୍କୁ ଧରି ସୁରକ୍ଷିତ ସ୍ଥାନକୁ ଆଣିଲେ ଉଦ୍ଧାରକାରୀ
ନେପାଳରେ ଜଳପ୍ରଳୟ ପରେ ସାମ୍ନାକୁ ଆସୁଛି ହୃଦୟଥରା ଚିତ୍ର

ପ୍ରକୃତିର ଗୋଟିଏ ଝଟକାରେ ବଦଳି ଯାଇଛି ହିମାଳୟର ସ୍ୱର୍ଗୀୟ ରୂପ । ଚାରିଆଡ଼େ କେବଳ ପାଣି, ପଙ୍କ, କାଦୁଅ ଆଉ ପ୍ରଳୟର ଆର୍ତ୍ତଚିତ୍କାର । ନେପାଳରେ ଆକସ୍ମିକ ବନ୍ୟାର ଭୟଙ୍କର ତାଣ୍ଡବ ଭିତରେ ମୃତ୍ୟୁସଂଖ୍ୟା ୫ ଶହ ୪୭ରେ ପହଞ୍ଚିଥିବା ବେଳେ ୧ ହଜାର ୪ ଶହରୁ ଅଧିକ ଲୋକ ଏବେ ବି ନିଖୋଜ । ମୃତ୍ୟୁର ଏହି ତାଣ୍ଡବ ଭିତରେ ବି ଜାରି ରହିଛି ଜୀବନ ବଞ୍ଚାଇବାର ନିରନ୍ତର ଲଢ଼େଇ ।

ମାତ୍ର କିଛି ମିନିଟ୍... ଆଉ ଆଖିପିଛୁଳାକେ ଭାସିଗଲା ଗୋଟିଏ ପରେ ଗୋଟିଏ ସହର । ବୁଡ଼ିଗଲା କେତେ କେତେ ସୁନେଲି ସ୍ୱପ୍ନ । ଯେଉଁ ଘରର ଦୁଆର ମୁହଁରେ କାଲି ଯାଏଁ ହସ-ଖୁସିର ଆଲୋକ ଥିଲା, ଆଜି ସେଠି କେବଳ ମାଟି ଆଉ କାଦୁଅର ସମାଧି । ଖାଲି ହାତ, ଶୂନ୍ୟ ଆଖି ଆଉ ଛାତି ତଳେ ଅସରନ୍ତି ପ୍ରଶ୍ନ- "ଆମର ଦୋଷ କ’ଣ ଥିଲା ?"

ଏହି ବିପର୍ଯ୍ୟୟ ଭିତରେ ବିପଦକୁ ଖାତିର ନକରି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ସେନା ଓ ଉଦ୍ଧାରକାରୀ ଦଳ । ନୁୱାକୋଟ୍ ଜିଲ୍ଲାର ଟୁପ୍‌ଚେ ଅଞ୍ଚଳରେ ଧ୍ୱଂସାବଶେଷ ତଳେ ଫସି ରହିଥିବା ଜଣେ ବୃଦ୍ଧାଙ୍କୁ JCB ସାହାଯ୍ୟରେ ସୁରକ୍ଷିତ ଭାବେ ବାହାର କରାଯାଇଛି । ଅବିଶ୍ରାନ୍ତ ଉଦ୍ଧାର କାର୍ଯ୍ୟ ମଧ୍ୟରେ ଉଦ୍ଧାର କରାଯାଇଥିବା ଆହତମାନଙ୍କୁ ତୁରନ୍ତ ଆବଶ୍ୟକୀୟ ଚିକିତ୍ସା ପାଇଁ 'ଚକ୍ରଦେବ ହସ୍ପିଟାଲ'କୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଡାକ୍ତରୀ ଦଳ ଆହତମାନଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେଉଛନ୍ତି ।

ଜୀବନ ବଞ୍ଚାଇବାର ଏହି ଆପ୍ରାଣ ସଂଗ୍ରାମ ଭିତରେ ସେନା ଓ ଉଦ୍ଧାରକାରୀ ଦଳ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେମାନଙ୍କ କାମ ଜାରି ରଖିଛନ୍ତି । ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳରେ, ହେଲିକପ୍ଟର ପାଲଟିଛି ଜୀବନର ଭରସା । ଘରର ଛାତ ଉପରେ ଆଶ୍ରୟ ନେଇଥିବା ଲୋକଙ୍କୁ ରସି ଓ ସ୍ୱତନ୍ତ୍ର ଉପକରଣ ସାହାଯ୍ୟରେ ଆକାଶପଥରୁ ଆଣି ଆଶ୍ରୟସ୍ଥଳରେ ପହଞ୍ଚାଯାଉଛି । ପ୍ରଖର ସୁଅ ସହ ଆସିଛି ପଙ୍କ ଓ କାଦୁଅ । ଅନେକ ସ୍ଥାନରେ ପଙ୍କ ତଳେ ଫସିଯାଇଛନ୍ତି ଲୋକ । କେଉଁଠି ହାତରେ ଖୋଳାଖୋଳି... କେଉଁଠି ଆଧୁନିକ ଉଦ୍ଧାର ଉପକରଣର ସାହାଯ୍ୟ... ଗୋଟିଏ ଆଶା- ହୁଏତ୍ ପଙ୍କ ତଳେ କେହି ଜୀବିତ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିଛି ଲୋକଙ୍କ ଜୀବନ ବଞ୍ଚିଗଲା ସିନା... କିନ୍ତୁ ସଂସାର ଉଜୁଡ଼ିଗଲା । ଯେଉଁମାନେ ବଞ୍ଚିଗଲେ... ସେମାନଙ୍କ ପାଇଁ ଏବେ ଆରମ୍ଭ ହୋଇଛି ଆଉ ଏକ ଲଢ଼େଇ । କେଉଁଠି ରହିବେ ? କ’ଣ ଖାଇବେ ? କେମିତି ପୁଣି ଠିଆ ହେବେ ? କାହାର ଫେରିଆସିବାର ଅପେକ୍ଷା... କାହାର ଗୋଟିଏ ଫୋନ୍‌ କଲ୍‌ର ଆଶା...ଆଉ ଏହି ଆଶା ଓ ଆଶଙ୍କା ଭିତରେ ଚାଲିଛି ଖୋଜାଖୋଜି ।

ସବୁଠୁ ବଡ଼ ଚିନ୍ତା ନିଖୋଜଙ୍କ ସଂଖ୍ୟା । ନେପାଳ ଓ ତିବ୍ବତକୁ ମିଶାଇ ୧ ହଜାର ୪ ଶହ ୬୮ ଜଣ ନିଖୋଜ ଥିବା ତଥ୍ୟ ଦିଆଯାଇଛି । ନିଖୋଜଙ୍କ ମଧ୍ୟରେ ବିଭିନ୍ନ ଦେଶର ନାଗରିକ ମଧ୍ୟ ରହିଛନ୍ତି ।

ନେପାଳ ପ୍ରଳୟ ପରେ ନିଖୋଜ

ଭାରତୀୟ- ୨୮୮
ଆମେରିକୀୟ- ୯୦
ଅଷ୍ଟ୍ରେଲିୟ- ୩୯
ବ୍ରିଟିଶ- ୩୩

ଏଥିସହ ପ୍ରାୟ ୩୦ଟି ଦେଶର ନାଗରିକ ନିଖୋଜ ଥିବା ଜଣାପଡ଼ିଛି । ତେବେ ଏହି ସଂଖ୍ୟା କେବଳ ଏକ ତଥ୍ୟ ନୁହେଁ । ପ୍ରତ୍ୟେକ ସଂଖ୍ୟା ପଛରେ ଅଛି- ଗୋଟିଏ ମଣିଷ...ଗୋଟିଏ ପରିବାର...ଗୋଟିଏ ଅସରନ୍ତି ଅପେକ୍ଷା ...

ପାହାଡ଼ ସେମିତି ନିଶ୍ଚଳ ହୋଇ ଛିଡ଼ା ହୋଇଛି । ନଦୀ ସେମିତି ବହିଯାଉଛି । କେବଳ ବଦଳିଯାଇଛି ମଣିଷର ହାତ ଗଢ଼ା ସଂସାର । ପ୍ରକୃତିର ଗୋଟିଏ ଝଟକାରେ, ସୌଖିନ ମହଲ, ସୁଉଚ୍ଚ ସ୍ୱପ୍ନ, ଭବିଷ୍ୟତର ସବୁ ଯୋଜନା, ସବୁକିଛି ଯେମିତି କାଚ ଭଳି ଭାଙ୍ଗି ଚୁରମାର ହୋଇଯାଇଛି । ପାଣି ହୁଏତ୍ କମିଯିବ...କାଦୁଅ ହୁଏତ ଶୁଖିଯିବ... କିନ୍ତୁ ଯେଉଁମାନେ ବଞ୍ଚିଗଲେ... ସେମାନଙ୍କ ପାଇଁ ଆସଲ ଲଢ଼େଇ ଏବେ ଆରମ୍ଭ । କେମିତି ଶୂନ୍ୟରୁ ଆରମ୍ଭ ହେବ ଆଗାମୀ କାଲି ?